ଭୁବନେଶ୍ବର,୧୧/୧୨: ଭୂବନେଶ୍ୱର ଭିତର ଓ ଚାରିପାଖର ରାସ୍ତା ହେବ ବିଶ୍ୱସ୍ତରୀୟ । ସହର ଭିତରେ ଆଉ ଟ୍ରାଫିକ୍ ଭିଡ଼ ଲାଗିବନି । ଚୁଟ୍କିରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ହେବ । ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ଅର୍ଥନୈତିକ କ୍ଷେତ୍ର ଗଢ଼ାଯିବ । ନୂଆ ଗ୍ରେଟର ଭୁବନେଶ୍ୱରର ପରିକଳ୍ପନା ବି ହୋଇଛି । ଏହି ପରିକଳ୍ପନାକୁ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଆଜି ସବୁଜ ସଙ୍କେତ ଦେଇଛନ୍ତି । ରାଜଧାନୀର ଜନସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି । ଏହି ଜନସଂଖ୍ୟା ତୁଳନାରେ ରାଜଧାନୀ ଓ ଏହାର ଉପକଣ୍ଠରେ ଥିବା ରାସ୍ତା ପର୍ଯ୍ୟାପ୍ତ ହେଉନି । ଫଳରେ ଟ୍ରାଫିକ୍ ଭିଡ଼ ହେଉଛି । ଜାତୀୟ ରାଜପଥ ବି ଜାମ ହୋଇଯାଉଛି । ବର୍ଦ୍ଧିତ ଜନସଂଖ୍ୟାକୁ ଦେଖି ସହର ପାଇଁ ରିଙ୍ଗରୋଡ୍, ଏକାଧିକ ନୂଆ ରାସ୍ତା, ଫ୍ଲାଏଓଭର, ରେଳ ଓଭରବ୍ରିଜ୍ ତିଆରି ପାଇଁ ପୂର୍ତ୍ତ ବିଭାଗ ଓ ବିଡିଏ ଯୋଜନା କରିଛନ୍ତି । ସହରର ଟ୍ରାଫିକ୍ ଭିଡ଼ କମାଇବାକୁ ଏକ ମେଗା ପ୍ଲାନ୍ ପ୍ରସ୍ତୁତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାମ୍ନାରେ ପ୍ରସ୍ତାବିତ ଯୋଜନା ଓ ପରିକଳ୍ପନାକୁ ନେଇ ବିସ୍ତୃତ ଉପସ୍ଥାପନା କରାଯାଇଛି । ଗାଡ଼ି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ପ୍ରସ୍ତାବିତ ଯୋଜନା ଅନୁସାରେ, ଭୁବନେଶ୍ୱରରେ ଟ୍ରାଫିକ ଭିଡ଼ କମାଇବାକୁ ନୂଆ ରୋଡ୍ ନେଟୱର୍କ ବିକାଶ କରାଯିବ ।
ଏଥିରେ ପ୍ରାୟ ୧୪ ହଜାର ୫୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରୁ ଅଳ୍ପ କିଛି ପ୍ରକଳ୍ପ ସରିଥିବାବେଳେ ସିଂହ ଭାଗ କାମ ପ୍ରସ୍ତାବରେ ଅଟକିଛି । ଖୁବ୍ଶୀଘ୍ର ଏହା ଆଗେଇବ । ଏଥିରେ ଭୁବନେଶ୍ୱର ଆଉଟର ରିଙ୍ଗରୋଡ୍ ହେଉଛି ସବୁଠୁ ବଡ଼ ପ୍ରକଳ୍ପ । ଏହି ରିଙ୍ଗରୋଡ୍ ଜାତୀୟ ରାଜପଥ-୩୧୬ ପିପିଲି ପାଖରୁ ବାହାରି ଜାତୀୟ ରାଜପଥ-୧୬ରେ ଥିବା କେଏମ୍ବିବି କଲେଜ, ଜାତୀୟ ରାଜପଥ-୫୭ ତରତୁଆ, ହରିରାଜପୁର ଓ ଚକ୍ରଧରପୁର, ଜାତୀୟ ରାଜପଥ-୧୬ ବାଲିକୁଦା ଦେଇ ରାଜ୍ୟ ରାଜପଥ-୬୦ ସୁନ୍ଦରଗାଁ ଓ ବାଲିପାଟଣା ଦେଇ ରାଜ୍ୟ ରାଜପଥ-୧୩ ଶାଳଜଙ୍ଗ ହୋଇ ପୁଣି ପିପିଲି ପାଖରେ ସରିବ । ଏହି ରାସ୍ତା ୧୪୮ କିମି ଦୂରତାକୁ ଯୋଡ଼ିବ । ଏଥିରେ ପ୍ରାୟ ୬୧୫୨ କୋଟି ଟଙ୍କା ଖର୍ଚ୍ଚ ହେବ । ଭୁବନେଶ୍ୱର ଇନର ରିଙ୍ଗରୋଡ୍ ପ୍ରକଳ୍ପ କାମ ପର୍ଯ୍ୟାୟକ୍ରମେ ଚାଲିଛି । ଏହି ରିଙ୍ଗରୋଡ୍ ତମାଣ୍ଡୋ- ପାଇକରାପୁର-ଚନ୍ଦକା-ବାରଙ୍ଗ-ନନ୍ଦନକାନନ- ଇଞ୍ଜଣା-ପାହାଳ-ହଂସପାଳ-ଲିଙ୍ଗିପୁର-ଧଉଳି ଯାଏ ଲମ୍ବିବ ବୋଲି ପରିକଳ୍ପନା କରାଯାଇଛି । ଏହି ରାସ୍ତାର ଦୂରତା ମୋଟ ୬୪ କିମି ରହିବ । ଏହାକୁ ତିଆରି ପାଇଁ ୧୫୫୯ କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ଅଛି । ଉଭୟ ଇନର ଓ ଆଉଟର ରିଙ୍ଗରୋଡ୍ ରାସ୍ତା ୬ ଲେନ୍ ବିଶିଷ୍ଟ ହେବ । ଏହି ରିଙ୍ଗରୋଡ୍ରେ ଅନେକ ବ୍ରିଜ୍ ଓ ଛକ ରହିବ । ସେହିଭଳି ବିଡିଏର କମ୍ପ୍ରେହେନସିଭ୍ ଡେଭଲପ୍ମେଣ୍ଟ ପ୍ଲାନ୍(ସିଡିପି) ଅଧୀନରେ ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା ଅଛି । ସିଡିପି ନକ୍ସାରେ ଅଙ୍କା ଯାଇଥିବା ରାସ୍ତାକୁ ଏହି ପ୍ଲାନ୍ରେ ତିଆରି କରାଯିବ । ଏହି ଯୋଜନାକୁ ସାକାର କରିବାକୁ ପ୍ରାୟ ୩୯୬୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ଆକଳନ ହୋଇଛି । କଳ୍ପନା ଛକରୁ ରବି ଟକିଜ୍ ଯାଏ ଏକ ଫ୍ଲାଏଓଭର ନିର୍ମାଣ ପାଇଁ ଯୋଜନା ଅଛି । ଏଥିରେ ଫ୍ଲାଏଓଭର ସହିତ ତଳେ ଥିବା ସବୁ ଛକକୁ ନୂଆ ରୂପ ଦିଆଯିବ । ନୂଆ ସର୍ଭିସ୍ ରୋଡ୍ ବି ନିର୍ମାଣ ହେବ । ୪୨୮ କୋଟି ଟଙ୍କା ଖର୍ଚ୍ଚରେ ଏହାକୁ ତିଆରି ପାଇଁ ପ୍ରସ୍ତାବ ରହିଛି । ମାଉସୀ ମା’ ଛକରୁ ଶିଶୁଭବନ ଯାଏ ରେଳଲାଇନ୍ ଉପରେ ଆଉ ଏକ ନୂଆ ଓଭରବ୍ରିଜ୍ ହେବ । ଏହା ୩ ଲେନ୍ ବିଶିଷ୍ଟ ହେବ ଓ ୩କିମି ଯାଏ ଲମ୍ବିବ ।
ସେହିଭଳି ରାଇଟ୍ ଆକ୍ସେସ୍ ରୋଡ୍ ପାଇଁ ୬୮୭ କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ହୋଇଛି । ଏହି ପ୍ରକଳ୍ପର ଅନେକ କାମ ସରିଥିବାବେଳେ ଆହୁରି ଅନେକ ନୂଆ ଯୋଜନା ରହିଛି । କେଳୁଚରଣ ପାର୍କରୁ ପଟିଆ-ଇଞ୍ଜଣା ଯାଏ ନୂଆ ରାସ୍ତା ଫିଟିବ । କଳାରାହାଙ୍ଗରୁ ବରିମୁଣ୍ଡ ହୋଇ ଫୁଲନଖରା ଯାଏ ନୂଆ ରାସ୍ତା ଯିବ । କିଟ୍-ପଟିଆରୁ ସୈନିକ ସ୍କୁଲ ଦେଇ ଆଚାର୍ଯ୍ୟବିହାରକୁ ରାସ୍ତା ଯୋଡ଼ାଯିବ । ସୈନିକ ସ୍କୁଲ ରାସ୍ତାକୁ ଚଉଡ଼ା କରାଯିବ । ଆବଶ୍ୟକ ପଡ଼ିଲେ ଏହି ରାସ୍ତାରେ ଏକ ଫ୍ଲାଏଓଭର ପାଇଁ ଯୋଜନା ରହିଛି । ପଥରଗାଡ଼ିଆରୁ ରଘୁନାଥପୁରକୁ ୪ଲେନ୍ ରାସ୍ତା ପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ପଥରଗାଡ଼ିଆରୁ ପ୍ରସ୍ତାବିତ ରିଙ୍ଗରୋଡ଼୍କୁ ଯୋଡ଼ିବାକୁ ୪୨୨ କୋଟି ଟଙ୍କା ଖର୍ଚ୍ଚ ପାଇଁ ଆକଳନ ହୋଇଛି । ଏହି ସମସ୍ତ ପ୍ରକଳ୍ପ ବାଟରେ ଜମି ଅଧିଗ୍ରହଣ ଓ ଜବରଦଖଲ ଉଚ୍ଛେଦ ଏକ ବଡ଼ ଆହ୍ୱାନ ପାଲଟିବ ବୋଲି ଆଜି ବୈଠକରେ ଆଲୋଚନା ହୋଇଛି । ସେହିଭଳି ବିଦ୍ୟୁତ୍ ଖୁଣ୍ଟ ସହିତ ଅନ୍ୟ କେବୁଲ୍ ଓ ୟୁଟିଲିଟି ସ୍ଥାନାନ୍ତର ବଡ଼ ସମସ୍ୟା ସୃଷ୍ଟି କରିପାରେ । ଏହାକୁ ସମାଧାନ କରି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଉପରେ ବୈଠକରେ ଆଲୋଚନା ହୋଇଛି । ଉପମୁଖ୍ୟମନ୍ତ୍ରୀ କେଭି. ସିଂହଦେଓ ଓ ପ୍ରଭାତୀ ପରିଡା, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଭିଭି ଯାଦବ, ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ, ବିଡିଏ ଉପାଧ୍ୟକ୍ଷ ଏନ୍ ଥିରୁମାଲା ନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।