ନୂଆଦିଲ୍ଲୀ ୨୦/୦୧: ତୀର୍ଥରାଜ ପ୍ରୟାଗରେ ଚାଲିଛି ମହାକୁମ୍ଭ ମେଳା । ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସୁଛନ୍ତି ସଙ୍ଗମରେ ପବିତ୍ର ବୁଡ଼ ପକାଇ ମନୁଷ୍ୟ ଜନ୍ମକୁ ସାର୍ଥକ କରିବାକୁ । ଅନେକେ ମଧ୍ୟ ବିଶ୍ୱର ଏହି ସର୍ବବୃହତ ଆଧ୍ୟାତ୍ମିକ ସମ୍ମେଳନରେ ସାମିଲ ହେଉଛନ୍ତି ହିନ୍ଦୁଧର୍ମର ସାଂସ୍କୃତିକ, ଆଧ୍ୟାତ୍ମିକ ବୈଭବକୁ ନିକଟରୁ ପରଖିବା ଲାଗି । ତେବେ ଯିଏ ଯେଉଁ ଉଦ୍ଦେଶ୍ୟରେ ଆସିଥାନ୍ତୁ ନା କାହିଁକି, ମହାକୁମ୍ଭ ମେଳାରେ ସମସ୍ତଙ୍କର ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ନାଗାସାଧୁ । ଭୌତିକ ଜୀବନର ସମସ୍ତ ମୋହକୁ ତ୍ୟାଗ କରି ଭଗବାନ୍ ଶଙ୍କରଙ୍କର ଶରଣାପନ୍ନ ନାଗାସାଧୁମାନଙ୍କର ବେଶଭୁଷା ଲୌକିକ ଦୃଷ୍ଟିକୋଣରୁ ଯେତିକି ଅଦ୍ଭୁତ, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ସେତିକି ଅନନ୍ୟ ।
ହିନ୍ଦୁଧର୍ମରେ ଜଣେ ସୁହାଗିନୀ ନାରୀ ଷୋହଳପ୍ରକାର ଶୃଙ୍ଗାର କରୁଥିବାବେଳେ ଜଣେ ନାଗାସାଧୁ ନିଜକୁ ୨୧ପ୍ରକାର ଶୃଙ୍ଗାରରେ ସଜାଇଥାନ୍ତି । ନାଗାସାଧୁମାନଙ୍କର ଶୃଙ୍ଗାର ଭଗବାନ୍ ଶଙ୍କରଙ୍କ ସଦୃଶ ହୋଇଥାଏ ।
କ୍ଷଣଭଙ୍ଗୁର ଜୀବନର ସତ୍ୟତାକୁ ହୃଦୟଙ୍ଗମ କରାଇଥାଏ । ଭସ୍ମକୁ ସେମାନେ ନିଜ ଶରୀର ସାରା ବୋଳି ହୋଇଥାନ୍ତି ।
ହଳାହଳ ପାନ କରିଥିବା ଭଗବାନ୍ ଶିବଙ୍କୁ ଶୀତଳତା ପ୍ରଦାନ ଲାଗି କଣ୍ଠରେ ଚନ୍ଦନ ଲେପ କରାଯାଇଥାଏ । ନାଗାସାଧୁ ମଧ୍ୟ ମସ୍ତକ,ଗଳା ଏବଂ ହାତରେ ଚନ୍ଦନ ଲେପ କରିଥାନ୍ତି ।
ମସ୍ତକରେ ତିଳକ ଭକ୍ତିର ପ୍ରତୀକ ।
ମହାଦେବଙ୍କ ଅଶ୍ରୁରୁ ସୃଷ୍ଟି ରୁଦ୍ରାକ୍ଷ ନାଗାସାଧୁମାନଙ୍କ ଶୃଙ୍ଗାରର ବିଶେଷ ଅଂଶ ଅଟେ ।
ନାଗାସାଧୁ ଆଖିରେ କଜଳ ପିନ୍ଧି ସଜାଇ ହେବାର ପରମ୍ପରା ରହିଛି ।
ମାନ୍ୟତା ରହିଛି ଯେ ଭଗବାନ୍ ଶିବ ପାଦରେ କଙ୍କଣ ଧାରଣ କରିଥାନ୍ତି । ଏଣୁ ନାଗାସାଧୁମାନେ ମଧ୍ୟ ପିତ୍ତଳ,ତମ୍ବା,ସୁନା ଏବଂ ରୁପା କିମ୍ବା ଲୁହାରେ ତିଆରି କଙ୍କଣ,କଡ଼ା ଧାରଣ କରିଥାନ୍ତି ।
ଚିମୁଟା ନାଗାସାଧୁମାନଙ୍କର ଅସ୍ତ୍ର ତଥା ସାଧନାର ଅଂଶବିଶେଷ ଅଟେ । ନାଗାସାଧୁମାନେ ସର୍ବଦା ଏହି ଅସ୍ତ୍ର ଦ୍ୱାରା ସଜ୍ଜିତ ହୋଇଥାନ୍ତି ।
ଭଗବାନ୍ ଶିବଙ୍କର ପ୍ରିୟ ବାଦ୍ୟ ଡମ୍ବରୁ ହୋଇଥିବାରୁ ନାଗାସାଧୁମାନେ ମଧ୍ୟ ଡମ୍ବରୁ ଧାରଣ କରି ବଜାଇବା ଦେଖିବାକୁ ମିଳେ ।
କମଣ୍ଡଳୁ ଧରିବା ନାଗାସାଧୁଙ୍କର ଅନ୍ୟ ଏକ ଶୃଙ୍ଗାର । କମଣ୍ଡଳରେ ଜଳ ରହିଥାଏ ।
ନାଗାସାଧୁମାନଙ୍କର ଜଟା ସବୁଠୁ ନିଆରା । ପ୍ରାକୃତିକ ଉପାୟରେ ଗୁନ୍ଥା ଜଟା ପାଞ୍ଚଥର ଗୁଡ଼ା ହେବା ଅବସ୍ଥାରେ ପଞ୍ଚକେଶ ଶୃଙ୍ଗାର କରାଯାଇଥାଏ ।
ନାଗାସାଧୁମାନେ ସେମାନଙ୍କ ସାଧକ ଜୀବନର ଶେଷ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ବସ୍ତ୍ର ତ୍ୟାଗ କରିଥାନ୍ତି । ନଚେତ ସେମାନେ ଗେରୁଆ ରଙ୍ଗର ଲେଙ୍ଗୁଟୀ ଧାରଣ କରିଥାନ୍ତି ।
ନାଗା ସାଧୁମାନେ ବିଭିନ୍ନ ପ୍ରକାରର ଅଙ୍ଗୁଠି ବା ମୁଦି ପିନ୍ଧିଥିବା ଦେଖାଯାଇଥାଏ । ଏହି ମୁଦିଗୁଡ଼ିକ ବିଭିନ୍ନ ତତ୍ତ୍ୱର ପ୍ରତୀକ ଅଟନ୍ତି ।
ନାଗାସାଧୁମାନେ ଶରୀରରେ ଭସ୍ମ ବ୍ୟତୀତ ରୋଲି (ହଳଦୀ ସହିତ ଚୂର୍ଣ୍ଣରେ ମିଶ୍ରିତ କୁଙ୍କୁମ) ଲେପନ କରିଥାନ୍ତି ।
ନାଗାସାଧୁମାନଙ୍କ କାନରେ ଶୋଭାପାଉଥିବା କୁଣ୍ଡଳ ଚନ୍ଦ୍ର,ସୂର୍ଯ୍ୟଙ୍କର ପ୍ରତୀକ ଅଟେ ।
ମାଳା ନାଗାସାଧୁମାନଙ୍କର ଶୃଙ୍ଗାରର ଏକ ଅଂଶବିଶେଷ ହୋଇଥାଏ । ଅଣ୍ଟା,ଗଳାରେ ମାଳା ଧାରଣ କରିଥାନ୍ତି ।
ପ୍ରବଚନ ବା ଆଶୀର୍ବଚନ ମଧ୍ୟ ନାଗାସାଧୁଙ୍କର ଶୃଙ୍ଗାରର ଅଂଶବିଶେଷ ଅଟେ ।
ନାଗାସାଧୁମାନଙ୍କ ପାଇଁ ମଧୁର ବାଣୀ କହିବା ଅନ୍ୟତମ ଶୃଙ୍ଗାର ଭାବେ ଗଣ୍ୟ । ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ନାଗାସାଧୁମାନଙ୍କ ସାଧନା ଉଦ୍ଦିଷ୍ଟ ହୋଇଥିବାବେଳେ ଏହା ସେମାନଙ୍କର ସବୁଠୁ ବଡ଼ ଶୃଙ୍ଗାର ଅଟେ । ସେହିପରି ସେବା ଭାବ ନାଗାସାଧୁମାନଙ୍କର ଅନ୍ୟତମ ଶ୍ରେଷ୍ଠ ଶୃଙ୍ଗାର ।