ମହାକୁମ୍ଭ ଭକ୍ତି, ଶ୍ରଦ୍ଧା ଓ ବିଶ୍ଵାସର ଏକ ଅପୂର୍ବ ସଙ୍ଗମ। ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା ଏହି ମେଳା ଭାରତର ଆଧ୍ୟାତ୍ମିକ ଐତିହ୍ୟର ଏକ ଦିବ୍ୟ ଉତ୍ସବ । ଦୀର୍ଘ ୧୪୪ ବର୍ଷ ପରେ ଦୁର୍ଲଭ ସ୍ବର୍ଗୀୟ ସଂଯୋଗ ପଡ଼ୁଥିବା ସନ୍ଥମାନେ ଦାବି କରୁଥିବାରୁ ଏଥର ମହାକୁମ୍ଭକୁ ସବୁଠୁ ଶୁଭ ବିବେଚନା କରାଯାଉଛି । ମହାକୁମ୍ଭ ସମୟରେ ପ୍ରୟାଗଠାରେ ତ୍ରିଦେବ ଯଥା ବ୍ରହ୍ମା-ବିଷ୍ଣୁ-ମହେଶ୍ୱର, ସକଳ ଦେବ, ସମସ୍ତ ବେଦର ମିଳନ ଘଟିଥାଏ । ଏହି ସମୟରେ ଗଙ୍ଗାରେ ବୁଡ଼ ପକାଇବା ଫଳରେ ଐଶ୍ୱରିକ ସତ୍ତାର ଉପଲବ୍ଧି ମିଳେ ବୋଲି ବିଶ୍ୱାସ ରହିଛି ।
ହିନ୍ଦୁ ଧର୍ମ ଅନୁସାରେ,ମହାକୁମ୍ଭ ମେଳାରେ ସାହି ସ୍ନାନର ବିଶେଷ ମହତ୍ତ୍ବ ରହିଛି। ବିଶ୍ବାସ ରହିଛି ଯେ, କୁମ୍ଭମେଳାରେ ସାହି ସ୍ନାନ କରିବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ମେଳା ଆସନ୍ତା ଫେବୃଆରୀ ୨୬ ତାରିଖରେ ଶିବରାତ୍ରୀ ଦିନ ଶେଷ ହେବ। ମହାକୁମ୍ଭରେ ଅମୃତ ସ୍ନାନ ବା ସାହି ସ୍ନାନ ବ୍ୟବସ୍ଥା ବି ରହିଛି । ତେବେ ଆସନ୍ତୁ ଜାଣିବା ମହାକୁମ୍ଭର ଶେଷ ସାହି ସ୍ନାନ କେବେ ରହିଛି।
ମହାକୁମ୍ଭରେ ଶେଷ ସାହି ସ୍ନାନ ମହାଶିବରାତ୍ରୀରେ ହେବ । ଚଳିତ ବର୍ଷ ମହାଶିବରାତ୍ରୀ ଫେବୃଆରୀ ୨୬ ତାରିଖରେ ଅଛି। ଏହି ଦିନ କୁମ୍ଭମେଳାର ସମାପନା ହେବ । ମହାଶିବରାତ୍ରୀ ସବୁ ବର୍ଷ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥୀ ପାଳନ ହୋଇଥାଏ। ଏହି ପର୍ବ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମିଳନର ପ୍ରତୀକ ଅଟେ । ତେବେ ଚତୁର୍ଦଶୀ ତିଥୀ ଫେବୃଆରୀ ୨୬ର ସକାଳ ୧୧ ଟା ୮ ମିନିଟରୁ ଆରମ୍ଭ ହୋଇ ୨୭ ଫେବୃଆରୀ ସକାଳ ୮ଟା ୫୪ ମିନିଟରେ ଶେଷ ହେବ। ମହାକୁମ୍ଭ ସାହି ସ୍ନାନ ତିଥି ଜାନୁଆରୀ ୧୩,୧୪,୨୯ରେ ଥିବା ବେଳେ ଫେବୃଆରୀ ୩,୧୩ ଓ ୨୬ ତାରିଖରେ ରହିଛି। ମହାଶିବରାତ୍ରୀରେ କୁମ୍ଭ ମେଳାରେ ସ୍ନାନ କରିବା ଓ ଦାନ କରିବାର ବିଶେଷ ମହତ୍ତ୍ବ ରହିଛି। ମାନ୍ୟତା ରହିଛି ଯେ ଏଭଳି କରିବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ଜୀବନ ସୁଖ ସମୃଦ୍ଧି ଲାଭ ହୋଇଥାଏ।