ମୁମ୍ବାଇ,୨୭/୧୧ : ସୋମବାର ଅନୁଷ୍ଠିତ ଆଇପିଏଲ ଖେଳାଳି ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ଯୁବ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ନୀତା ଏମ ଅମ୍ବାନୀ । ସେ ନୂତନ ପ୍ରତିଭା ପ୍ରତିପୋଷଣ ଏବଂ ଭାରତୀୟ କ୍ରିକେଟ୍ ପାଇଁ ବିଶ୍ୱ ସ୍ତରୀୟ ଖେଳାଳି ପ୍ରସ୍ତୁତ କରିବା ଦିଗରେ ଦଳର ରହିଆସିଥିବା ପରମ୍ପରା ଉପରେ ଆଲୋକପାତ କରିଛନ୍ତି ।
ନୀତା ଅମ୍ବାନୀ କହିଛନ୍ତି, "ମେଗା ନିଲାମର ଅର୍ଥ ହେଉଛି ଏକ ନୂତନ ଆରମ୍ଭ ଏବଂ ଏକ ନୂତନ ଦଳ, କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସର ଉତ୍ସାହ ଏବଂ ଆତ୍ମା ସର୍ବଦା ପୂର୍ବ ଭଳି ରହିଛି । କିଛି ନୂତନ ପ୍ରତିଭାବାନ ଚେହେରାକୁ ସ୍ୱାଗତ କରି ଆମେ ଗର୍ବିତ ଏବଂ ଆମର ପୁରୁଣା ଖେଳାଳିଙ୍କୁ ଫେରାଇ ଆଣିବାରେ ମଧ୍ୟ ଆମେ ସଫଳ ହୋଇଛୁ । ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମାଙ୍କ ପରି ମଜଭୁତ ମୂଳ ଖେଳାଳିଙ୍କୁ କେନ୍ଦ୍ରରେ ରଖି ନେଇ ଏକ ନୂତନ ଦଳ ଗଠନ କରାଯାଇଛି ।"
ସେ କହିଛନ୍ତି, "ଏହା ଆମ ପାଇଁ ଗର୍ବର ବିଷୟ ଯେ ଜସପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମାଙ୍କ ଭଳି ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସରୁ ବାହାରି ଭାରତୀୟ ଦଳରେ ନିଜ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ଆମ ପାଖରେ ନମନ ଧୀର, ରବିନ୍ ମିଞ୍ଜ, ଅଶ୍ୱିନୀ କୁମାର ଏବଂ ରାଜ ଅଙ୍ଗଦ ବାୱାଙ୍କ ଭଳି ଯୁବ ଖେଳାଳି ଅଛନ୍ତି, ଯାହାଙ୍କୁ ଆମେ ପ୍ରସ୍ତୁତ କରି ସଫଳତାର ନୂତନ ଶିଖରରେ ପହଞ୍ଚିବା ପାଇଁ ସୁଯୋଗ ଦେବୁ । "