ନୂଆଦିଲ୍ଲୀ,୨୫/୧୧: ଲାଞ୍ଚ ଏବଂ ଜାଲିଆତି ଅଭିଯୋଗରେ ଆଦାନି ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନି ଏବଂ ତାଙ୍କ ପୁତୁରା ସାଗର ଆଦାନିଙ୍କୁ ଘେରିଛି ଆମେରିକା । ଉଭୟଙ୍କ ବିରୋଧରେ ଆମେରିକା ପ୍ରତିଭୂତି ଏବଂ ବିନିମୟ ଆୟୋଗ(ଏସ୍ଇସି) ସମନ୍ ଜାରି କରିଛି । ଏହା ଅନ୍ତର୍ଗତ ଉଭୟଙ୍କୁ ୨୧ ଦିନ ମଧ୍ୟରେ ସେମାନଙ୍କ ଉପରେ ଲାଗିଥିବା ଅଭିଯୋଗର ଜବାବ ଦେବାକୁ ପଡ଼ିବ । ଏପଟେ ଭାରତରେ ସୁପ୍ରିମକୋର୍ଟରେ ପହଞ୍ଚିଛି ଆଦାନି ମାମଲା । ଏ ନେଇ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାୟର କରାଯାଇଛି । ଏହି ମାମଲାର ଯାଞ୍ଚ ଲାଗି ଆବେଦନରେ କୁହାଯାଇଛି ।
ବିଶାଲ ତିୱାରୀ ଆଦାନି ହିଣ୍ଡେନବର୍ଗ ବିବାଦରେ ଶେୟାର ମୂଲ୍ୟ ହେରଫେର ଅଭିଯୋଗରେ ଏକ ଅନ୍ତରୀଣ ପିଟିଶନ ଦାଖଲ କରିଛନ୍ତି । ଆଦାନିଙ୍କ ବିରୋଧରେ ଆସିଥିବା ଅଭିଯୋଗ ସାଂଘାତିକ । ଭାରତୀୟ ଅଧିକାରୀଙ୍କ ଦ୍ୱାରା ଏହାର ଯାଞ୍ଚ ହେବା ଜରୁରୀ ବୋଲି ପିଟିଶନରେ କୁହାଯାଇଛି ।
ଆବେଦନକାରୀ ଏହା ମଧ୍ୟ କହିଛନ୍ତି ଯେ, ସେବି ଏହାର ଯାଞ୍ଚ ସମ୍ପୂର୍ଣ୍ଣ କରିବା ସହ ନିସ୍କର୍ଷକୁ ରେକର୍ଡ ଭାବେ ଗ୍ରହଣ କରାଯିବା ଆବଶ୍ୟକ। ସେବି ଯାଞ୍ଚରେ ସର୍ଟ ସେଲିଂର ଅଭିଯୋଗ ରହିଥିଲା । ବିଦେଶୀ ଏଜେନ୍ସି ଗୁଡିକ ପକ୍ଷରୁ ଆସିଥିବା ଅଭିଯୋଗ ଏହା ସହ ସମ୍ପର୍କ ରହିଥାଇ ପାରେ । ସେବି ଯାଞ୍ଚ ରିପୋର୍ଟରେ ଏ ସମ୍ପର୍କରେ ସ୍ପଷ୍ଟ ହେବା ଉଚିତ । ସେବିର ବିଶ୍ୱସନୀୟତାକୁ ନେଇ ମଧ୍ୟ ଆବେଦନରେ ଚିନ୍ତା ପ୍ରକଟ କରାଯାଇଛି ।
ଆମେରିକା ଜଷ୍ଟିସ ବିଭାଗର ଆଦେଶ ଏବଂ ୟୁଏସ୍ ସିକ୍ୟୁରିଟିଜ ଏବଂ ଏକ୍ସଚେଞ୍ଜ କମିଶନର ଅଭିଯୋଗ ଆଦାନି ଗ୍ରୁପର ଗଡବଡକୁ ସାମ୍ନାକୁ ଆଣିଛି । ଆରୋପ ଗମ୍ଭୀର ହୋଇଥିବାରୁ ଭାରତୀୟ ଏଜେନ୍ସି ଗୁଡିକ ଏହି ମାମଲାରେ ହସ୍ତକ୍ଷେପ କରିବା ସହ ଭଲ ଭାବେ ଯାଞ୍ଚ କରନ୍ତୁ ବୋଲି ଆବେଦନକାରୀ ସର୍ବୋଚ୍ଚ କୋର୍ଟଙ୍କୁ ନିବେଦନ କରିଛନ୍ତି ।
ଏକ ମିଡିଆ ରିପୋର୍ଟ ମୁତାବକ, ଆମେରିକା ସିକ୍ୟୁରିଟିଜ ଆଣ୍ଡ କମିଶନର ଗୌତମ ଆଦାନି ଏବଂ ତାଙ୍କ ପୁତୁରା ସାଗର ଆଦାନିଙ୍କୁ ଉଚିତ ପ୍ଲାଟଫର୍ମରେ ସମନ ପଠାଇବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି । କାରଣ କୌଣସି ବିଦେଶୀ ନାଗରିକଙ୍କୁ ସିଧା ସମନ ପଠାଇବା ଅଧିକାର କ୍ଷେତ୍ରର ବାହାରେ ରହିଛି ।
ଏସ୍ଇସିର ବିଦେଶୀ ନାଗରିକଙ୍କ ଉପରେ କୌଣସି ଅଧିକାର ନାହିଁ । ୧୯୬୫ର ହେଗ ଚୁକ୍ତି ଅନୁସାରେ ଉଭୟ ଦେଶ ମଧ୍ୟରେ ଏଭଳି ମାମଲାକୁ ନିୟନ୍ତ୍ରିତ କରିଥାଏ । କୌଣସି ବ୍ୟକ୍ତି ବିଶେଷଙ୍କୁ ଏଭଳି ସିଧାସଳଖ ସମନ ପଠାଇବାକୁ ଏହି ଚୁକ୍ତିରେ ବାରଣ କରାଯାଇଛି । ଅନ୍ୟ ପଟେ ବାଂଲାଦେଶର ଅନ୍ତରୀଣ ସରକାର ଆଦାନିର ଶକ୍ତି ପ୍ରକଳ୍ପ ଉପରେ ଅଡିଟ କରିବ ବୋଲି ଜଣାପଡିଛି ।
ଭାରତରେ ଏକ ସୌରଶକ୍ତି କଣ୍ଟ୍ରାକ୍ଟ ହାସଲ କରିବା ପାଇଁ ଆଦାନି ଗ୍ରୁପ୍ ୫ଟି ରାଜ୍ୟର ସରକାରୀ ଅଧିକାରୀଙ୍କୁ ୨୬.୫ କୋଟି ଡଲାର ବା ୨୨୦୦ କୋଟି ଟଙ୍କାରୁ ଅଧିକ ଲାଞ୍ଚ ଦେଇଥିବା ଅଭିଯୋଗ ରହିଛି । ସୌରଶକ୍ତି ପ୍ରକଳ୍ପ ଆଳରେ ଆମେରିକୀୟ ବ୍ୟାଙ୍କ ଏବଂ ନିବେଶକଙ୍କଠାରୁ କୋଟି କୋଟି ଟଙ୍କା ଉଠାଇ ତାହାକୁ ଲାଞ୍ଚ ବାବଦ ଉକ୍ତ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ରହିଛି । ଆମେରିକୀୟ କୋର୍ଟ ଗୌତମ ଆଦାନି ଏବଂ ପୁତୁରା ସାଗର ଆଦାନିଙ୍କ ବିରୋଧରେ ଗିରଫ ପରୱାନା ବି ଜାରି କରିଛନ୍ତି ।
ଆମେରିକା ପକ୍ଷରୁ କରାଯାଇଥିବା ସମନ୍ ବା ନୋଟିସ୍ ଅହମ୍ମଦାବାଦସ୍ଥିତ ଗୌତମ ଆଦାନିଙ୍କ ବାସଭବନ(ଶାନ୍ତିବନ ଫାର୍ମ) ଏବଂ ସାଗର ଆଦାନିଙ୍କ ଆବାସ(ବୋଦକଦେବ ଘର) କୁ ପଠାଯାଇଛି । ଅନ୍ୟପକ୍ଷରେ, ଆଦାନି ଗ୍ରୁପ୍ ଏସବୁ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛି।