ଭୁବନେଶ୍ୱର,୦୩/୦୩: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲେ ମାଫିଆ । ଖବର ପାଇ ମାଡ଼ି ବସିଲା ପୋଲିସ । ଜଙ୍ଗଲରେ ୩୫ କୁଇଣ୍ଟାଲ୍ ୨୪ କେଜି ଗଞ୍ଜେଇ ସହ ନଗଦ ୧ ଲକ୍ଷ ୮୮ ହଜାର ଟଙ୍କା ଛାଡ଼ି ଫେରାର ହେଲେ ମାଫିଆ । ସମସ୍ତ ଗଞ୍ଜେଇ ଏବଂ ନଗଦ ଟଙ୍କା ଜବତ କଲା ଆଦର୍ଶ ଥାନା ପୋଲିସ । ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ସୂର୍ଯ୍ୟଲତା ଓ ଦେଓଗାଁ ମଝିରେ ଥିବା ଜଙ୍ଗଲରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଆଦର୍ଶ ଥାନା ଅନ୍ତର୍ଗତ ସୂର୍ଯ୍ୟଲତା ଓ ଦେଓଗାଁ ମଝିରେ ଥିବା ଜଙ୍ଗଲରେ ଗଞ୍ଜେଇ ମାଫିଆ ମାନେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିଲେ । ଏନେଇ ଆଦର୍ଶ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ତେବେ ଚଢାଉ ସମୟରେ ପୋଲିସକୁ ଦେଖି ମାଫିଆ ମାନେ ସେଠାରୁ ଫେରାର ମାରିଥିବା ବେଳେ ପୋଲିସ ଗଞ୍ଜେଇ ଗୁଡ଼ିକୁ ଜବତ କରିଥିଲା । ତେବେ ଗଞ୍ଜେଇ ନିକଟରେ ଏକ ପଲିଥିନରେ କିଛି ଟଙ୍କା ଥିବା ମଧ୍ୟ ପୋଲିସ ଦେଖିବାକୁ ପାଇଥିଲା। ଉକ୍ତ ପଲିଥିନ୍ରେ ୧ ଲକ୍ଷ ୮୮ ହଜାର ନଗଦ ଟଙ୍କା ଥିଲା । ସମସ୍ତ ଟଙ୍କାକୁ ଜବତ କରିବା ସହ ଜବତ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଓଜନ କରିଥିବା ବେଳେ ତାହା ୩୫ କୁଇଣ୍ଟାଲ୍ ୨୪ କେଜି ଥିବା ଜଣାପଡିଛି । ଟଙ୍କା ଓ ଗଞ୍ଜେଇ ଛାଡ଼ି ମାଫିଆ ମାନେ ସେଠାରୁ ଫେରାର ହୋଇଯାଇଥିବା ବେଳେ ଆଦର୍ଶ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।