ନୂଆଦିଲ୍ଲୀ: ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ୨୦ ପ୍ରତିଶତ ଶୁଳ୍କରେ ଖୁସି । ୟୁନୁସଙ୍କ ଅନୁସାରେ, ବାଂଲାଦେଶର ପ୍ରତିନିଧିମଣ୍ଡଳୀ ଟ୍ରମ୍ପଙ୍କ ସହ ଆଲୋଚନା କରି ଶୁଳ୍କ ହ୍ରାସ କରିବାରେ ସଫଳ ହୋଇଛନ୍ତି । ୧୭ ପଏଣ୍ଟ ହ୍ରାସ କରି ଶୁଳ୍କ ୨୦ ପ୍ରତିଶତକୁ ଆଣିବାରେ ବାଂଲାଦେଶ ସଫଳ ହୋଇଛି ବୋଲି ସେ କହିଛନ୍ତି । କିନ୍ତୁ ମହମ୍ମଦ ୟୁନୁସ ଖୁସି ହେବା ପଛରେ ଅନ୍ୟ ଏକ କାରଣ ରହିଛି । ବାଂଲାଦେଶ ଉପରେ ଟ୍ରମ୍ପ ୨୦ ପ୍ରତିଶତ ଟାରିଫ ଲଗାଇଥିବା ବେଳେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ବାଂଲାଦେଶ ଅପେକ୍ଷା ଭାରତ ଉପରେ ୫ ପ୍ରତିଶତ ଅଧିକ ଟାରିଫ ଲାଗୁ ହୋଇଥିବା ନେଇ ୟୁନୁସ୍ ଖୁସି ଥିବା କୁହାଯାଉଛି ।
ୟୁନୁସ କହିଛନ୍ତି ଯେ, ଆମର ପଡ଼ୋଶୀ ଦେଶ ଆମେରିକା ସହିତ ଏକ ଭଲ ଚୁକ୍ତି କରିବାରେ ବିଫଳ ହୋଇଛି ଏବଂ ୨୫ ପ୍ରତିଶତ ଶୁଳ୍କର ସମ୍ମୁଖୀନ ହୋଇଛି । ବାଂଲାଦେଶର ପ୍ରତିନିଧିମଣ୍ଡଳୀ ଫେବୃଆରୀ ମାସରୁ ଆମେରିକୀୟ ଅଧିକାରୀଙ୍କ ସହିତ ନିରନ୍ତର କଥାବାର୍ତ୍ତା କରିଛନ୍ତି । ସେମାନେ ଏକ ଭଲ ଚୁକ୍ତିରେ ପହଞ୍ଚିଛନ୍ତି । ଏହା ବିଶ୍ୱସ୍ତରରେ ବାଂଲାଦେଶର ଶକ୍ତି ବୃଦ୍ଧିକୁ ପ୍ରଦର୍ଶିତ କରୁଛି । ଏହି ଚୁକ୍ତି ଦେଶର ଦୃଢ଼ ଅର୍ଥନୀତିର ଭବିଷ୍ୟତକୁ ଆକାର ଦେବ । ବାଂଲାଦେଶ ସରକାର ଶୁକ୍ରବାର ଦିନ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଉପରେ ଏକ ବିବୃତ୍ତି ମଧ୍ୟ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ଡୋନାଲ୍ଡ ଟ୍ରମ୍ପ ୭୦ ଟି ଦେଶରୁ ଆମଦାନୀ ଉପରେ ୪୧% ପର୍ଯ୍ୟନ୍ତ ନୂତନ ଶୁଳ୍କ ହାର ଘୋଷଣା କରିଛନ୍ତି।
ବାଂଲାଦେଶ ଉପରେ ୨୦% ଶୁଳ୍କ ଲାଗିଛି । ଏହା ଏହି ଅଞ୍ଚଳର ପ୍ରମୁଖ ପ୍ରତିଯୋଗୀ, ଶ୍ରୀଲଙ୍କା, ଭିଏତନାମ, ପାକିସ୍ତାନ ଏବଂ ଇଣ୍ଡୋନେସିଆ ତୁଳନାରେ କମ୍ । ସେପଟେ ଆମେରିକା ସହିତ ଏକ ଚୁକ୍ତିନାମାରେ ପହଞ୍ଚିବାରେ ଅକ୍ଷମତା ହେତୁ ଭାରତ ଉପରେ ୨୫% ଶୁଳ୍କ ଲାଗିଛି । ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା, ଆମେ ଆଲୋଚନାରେ ଆମର ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେଇଥିଲୁ। ଆମ ପାଇଁ, ପୋଷାକ ଶିଳ୍ପର ସୁରକ୍ଷା ଏକ ସର୍ବୋଚ୍ଚ ପ୍ରାଥମିକତା ଥିଲା । ଆମେ ଆମର କ୍ରୟ ପ୍ରତିଶ୍ରୁତିକୁ ଆମେରିକାର କୃଷି ଉତ୍ପାଦ ଉପରେ କେନ୍ଦ୍ରିତ କରିଥିଲୁ। ଏହା ଆମର ଖାଦ୍ୟ ସୁରକ୍ଷା ଲକ୍ଷ୍ୟକୁ ସମର୍ଥନ କରେ । ଆମେ ଏକ ସମ୍ଭାବ୍ୟ ୩୫% ପାରଷ୍ପରିକ ଶୁଳ୍କକୁ ସଫଳତାର ସହିତ ଏଡ଼ାଇ ଦେଇଛୁ । ଏହା ଆମର ପୋଷାକ କ୍ଷେତ୍ର ଏବଂ ଏହା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭଲ ଖବର।