ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ; ୨ ବର୍ଷରେ ସୃଷ୍ଟି ହେବ ୩.୫ କୋଟିରୁ ଅଧିକ ନିଯୁକ୍ତି

Published By : Prameya | July 2, 2025 10:42 AM

ନୂଆଦିଲ୍ଲୀ,୦୨/୦୬: ଦେଶରେ ବଡ଼  ମାତ୍ରାରେ ନିଯୁକ୍ତି ସୃଷ୍ଟି ହେବ । ଗବେଷଣା,  ବିକାଶ ଓ ନବସୃଜନକୁ ମିଳିବ ବଳ । କ୍ରୀଡା  ଉନ୍ନୟନ ଏବଂ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ  ଦ୍ରୁତ ବେଗରେ ଆଗେଇ ଚାଲିବ । ଏହି ଦିଗରେ କେନ୍ଦ୍ର କ୍ୟାବିନେଟ୍‌ ୨ ଲକ୍ଷ କୋଟିର ଏକ ପ୍ୟାକେଜ୍‌କୁ ଅନୁମୋଦନ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସରକାର ଲକ୍ଷେ କୋଟି  ଟଙ୍କାର ଆର୍‌ଡିଆଇ ଯୋଜନାକୁ ମଞ୍ଜୁରି ଦେଇଛନ୍ତି । ଆର୍‌ଡିଆଇ ଅର୍ଥ ଗବେଷଣା, ବିକାଶ ଏବଂ ନବସୃଜନ । ଏ ଯୋଜନା  ଦ୍ୱାରା ଦେଶରେ ନୂଆ ଉଦ୍ଭାବନକୁ  ତ୍ୱରାନ୍ୱିତ କରାଯିବ। ଫଳରେ ଭାରତର  ବିନିର୍ମାଣ କ୍ଷମତା ବଢ଼ିବ । ନୂଆ ନୂଆ  ଉତ୍ପାଦ ବିକାଶରେ ଦେଶ ହେବ ଅଗ୍ରଦୂତ । ନୂତନ ପ୍ରଯୁକ୍ତି ବିକାଶ କ୍ଷେତ୍ରରେ ଭାରତର ନାଁ ଆଗରେ ରହିବ । ସ୍ୱଚ୍ଛ ଶକ୍ତି, ଜଳବାୟୁ  କାର୍ଯ୍ୟକ୍ରମ, କୃଷି କ୍ଷେତ୍ରରେ ଆର୍ଟିଫିସିଆଲ  ଇଣ୍ଟେଲିଜେନ୍ସ ଏବଂ ସ୍ୱାସ୍ଥ୍ୟ, ଡିଜିଟାଲ ଅର୍ଥନୀତି, ଡିପ୍‌ ଟେକ୍‌, ମହାକାଶ ଓ ଜୈବ- ପ୍ରଯୁକ୍ତି ଆଦି କ୍ଷେତ୍ରରେ ଘରୋଇ ନବସୃଜନ  ଉପରେ ଧ୍ୟାନକେନ୍ଦ୍ରିତ କରିବ ଏ ଯୋଜନା । 

ସରକାର ଏହି ଯୋଜନା ପ୍ରସ୍ତୁତ କରିବା  ପୂର୍ବରୁ ଇସ୍ରାଏଲ, ଆମେରିକା, ଜର୍ମାନୀ  ଏବଂ ସିଙ୍ଗାପୁର ଭଳି ଦେଶଗୁଡ଼ିକର ବିକାଶ  ମଡେଲ୍‌କୁ ଅନୁଧ୍ୟାନ କରିଥିଲେ ବୋଲି  କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ୍‌ ମଧ୍ୟ ୯୯,୪୪୬  କୋଟି ଟଙ୍କାର ଏକ ନିଯୁକ୍ତି ସଂକ୍ରାନ୍ତ  ପ୍ରୋତ୍ସାହନ(ଇଏଲ୍‌ଆଇ) ସ୍କିମ୍‌କୁ ଅନୁମୋଦନ  ଦେଇଛି । ଏହି ସ୍କିମ୍‌ ମାଧ୍ୟମରେ ଦୁଇ ବର୍ଷରେ  ୩.୫ କୋଟିରୁ ଊଦ୍ଧ୍ୱର୍ ନିଯୁକ୍ତି ସୃଷ୍ଟି ହେବାର  ଅନୁମାନ ରହିଛି । ସ୍କିମ୍‌ ବିଶେଷକରି ବିନିର୍ମାଣ  କ୍ଷେତ୍ର ଉପରେ ଗୁରୁତ୍ୱ ଦେବ । ଉଭୟ  କର୍ମଚାରୀ ଓ ନିଯୁକ୍ତିଦାତାଙ୍କୁ ଏ ସ୍କିମ୍‌ ପ୍ରୋତ୍ସାହନ  ଯୋଗାଇଦେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ଶ୍ରୀ ବୈଷ୍ଣବ କହିଲେ, ଏହି ଯୋଜନାର  ଉଦ୍ଦେଶ୍ୟ ହେଉଛି, ବିନିର୍ମାଣ କ୍ଷେତ୍ରରେ ବୃହତ୍‌  ମାତ୍ରାରେ ନିଯୁକ୍ତି ସୃଷ୍ଟି କରିବା । ଏ ଯୋଜନା ଉକ୍ତ କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ ଦେବ ଯେଉଁଠାରେ ରୋଜଗାର ସମ୍ଭାବନା ଅଧିକ ରହିଛି । 

ସ୍କିମ୍‌ର ପ୍ରଥମ ପର୍ଯ୍ୟାୟରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ମାସିକିଆ ପାରିଶ୍ରମିକ ପ୍ରୋତ୍ସାହନରୁ  ପ୍ରଥମ କରି ଚାକିରି କରୁଥିବା ପ୍ରାୟ ୧.୯୨ କୋଟି  କର୍ମଚାରୀ ଉପକୃତ ହେବେ । ଦୁଇଟି କିସ୍ତିରେ ଏହା  ମିଳିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ଷ୍ଟାଫ୍‌  ନିଯୁକ୍ତି ଲାଗି ନିଯୁକ୍ତିଦାତାମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବ। କର୍ମଚାରୀ ପିଛା ଦୁଇ ବର୍ଷ ପାଇଁ ମାସିକ  ୩,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ କମ୍ପାନିଙ୍କୁ ପ୍ରଦାନ  କରାଯିବ । ବିନିର୍ମାଣ କ୍ଷେତ୍ରରେ ଏହି ଲାଭ ୪ ବର୍ଷକୁ  ସମ୍ପ୍ରସାରଣ ହେବ । ତେବେ ସ୍କିମ୍‌ର ଲାଭ ନେବା ପାଇଁ  ନିଯୁକ୍ତିଦାତାଙ୍କ ନିମନ୍ତେ ଇପିଏଫ୍‌ଓ ପଞ୍ଜୀକରଣ  ବାଧ୍ୟତାମୂଳକ । ଯଦି ସଂସ୍ଥାର କର୍ମଚାରୀଙ୍କ ସଂଖ୍ୟା  ୫୦ରୁ କମ୍‌ ହୋଇଥାଏ ତେବେ ଉକ୍ତ କମ୍ପାନିକୁ ଅନ୍ୟୁନ ଦୁଇ ଏବଂ କର୍ମଚାରୀ ସଂଖ୍ୟା ୫୦ରୁ ଅଧିକ  ହୋଇଥିଲେ ଅତିରିକ୍ତ ୫ ନିଯୁକ୍ତି ଦେବାକୁ ପଡ଼ିବ ।  ଉକ୍ତ କର୍ମଚାରୀମାନେ ସଂସ୍ଥାରେ ଅତିକମ୍‌ରେ ୬  ମାସ ରହିବା ଦରକାର । 

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତିକ୍ରମେ କ୍ୟାବିନେଟ୍‌ ପକ୍ଷରୁ ଖେଲୋ ଭାରତ ନୀତି ୨୦୨୫କୁ ଅନୁମୋଦନ ଦିଆଯାଇଛି । ଏଥିସହିତ ଦୁଇ  ଦଶନ୍ଧି ପୁରୁଣା ଜାତୀୟ କ୍ରୀଡା ନୀତି-୨୦୦୧ ହଟିଯିବ ।  ଏହି ନୀତି ୫ ପ୍ରମୁଖ ସ୍ତମ୍ଭକୁ ନେଇ ପ୍ରସ୍ତୁତ ହୋଇଛି ।  ତାହା ହେଲା ବିଶ୍ୱସ୍ତରୀୟ ଉତ୍କର୍ଷ, କ୍ରୀଡା ମାଧ୍ୟମରେ  ଅର୍ଥନୈତିକ ବିକାଶ, ସାମାଜିକ ଅନ୍ତର୍ଭୁକ୍ତୀକରଣରେ  ସୁଧାର, ଗଣ ଯୋଗଦାନର ପ୍ରୋତ୍ସାହନ ଏବଂ ଶିକ୍ଷା  ବ୍ୟବସ୍ଥାରେ କ୍ରୀଡାର ଅନ୍ତର୍ଭୁକ୍ତୀକରଣ । ଅନ୍ୟ  ଏକ ନିଷ୍ପତ୍ତିକ୍ରମେ ତାମିଲନାଡୁରେ ୪୬.୭ କିମି  ପରମକୁଡି-ରାମନାଥପୂରମ ଜାତୀୟ ରାଜପଥ-୮୭କୁ  ୪-ଲେନ୍‌ କରାଯିବାର ପ୍ରସ୍ତାବ ଉପରେ କ୍ୟାବିନେଟ୍‌  ମୋହର ବାଜିଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.