ଜଳେଶ୍ଵର, ୧୨/୦୮ : ପିଲାଙ୍କ ଭିତରେ ବଢୁଛି ଆତ୍ମହତ୍ୟା ପ୍ରବଣତା। ଜୀବନ କ'ଣ ବୁଝିବା ଆଗରୁ ନେଉଛନ୍ତି ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି। ବାଲେଶ୍ବର ସିଂଲା ଥାନା ଜାମଶୁଳି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅନଲାଇନ୍ ଗେମ୍ ଖେଳିବାକୁ ବାରଣ କରିବାରୁ ଜଣେ ନାବାଳକ ଜୀବନ ହାରିଦେଇଛନ୍ତି। ବାଥରୁମ୍ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର । ନାବାଳକଙ୍କୁ ଝୁଲନ୍ତା ଅବସ୍ଥାରେ ଗାଧୁଆ ଘରୁ ଉଦ୍ଧାର କରାଯାଇଛି।
ସୂଚନାନୁଯାୟୀ, ସିଂଲା ଥାନା ଜାମଶୁଳି ଗାଁର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ସବୁବେଳେ ଅନଲାଇନ୍ ଗେମ୍ ଖେଳୁଥିଲେ। ଏହାକୁ ନେଇ ପରିବାର ଲୋକ ବାରମ୍ବାର ଆକଟ କରୁଥିଲେ। ମଙ୍ଗଳବାର ସକାଳେ ନାବାଳକ ଜଣଙ୍କ ପାଠ ନପଢି ଗେମ୍ ଖେଳିବାରୁ ମା' ବିରକ୍ତି ପ୍ରକାଶ କରିଥିଲେ। ଏଥିରେ ନାବାଳକ ଜଣଙ୍କ ରାଗିଯାଇ ଗାଧୁଆ ଘର ଭିତରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ। ବହୁ ସମୟ ଧରି ନାବାଳକ ବାଥ୍ ରୁମ୍ରୁ ନବାହାରିବାରୁ ପରିବାର ଲୋକ କବାଟ ଭାଙ୍ଗି ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।