ଚୌଦ୍ଵାର, ୧୨/୦୮ : ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ। ଟ୍ରକ୍ ପଛରେ ପିଟି ହୋଇ ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍। ପଶ୍ଚିମବଙ୍ଗ ପୁରୁଲିଆରୁ ପୁରୀ ଯାଉଥିବା ଏକ କାର୍ କଟକ ଟାଙ୍ଗୀ ନିର୍ଗୁଣ୍ଡୀ ଓଭର ବ୍ରିଜ୍ ଉପରେ ଜଳି ଯାଇଛି। ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଗାଡ଼ିରେ ଥିବା ୫ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାନୁଯାୟୀ, ପଶ୍ଚିମବଙ୍ଗ ପୁରୁଲିଆରୁ ଗୋଟିଏ ପରିବାରର ୫ଜଣ ଯାତ୍ରୀ ଏକ କାର୍ ଯୋଗେ ପୁରୀ ଯାଉଥିଲେ। ମଙ୍ଗଳବାର ସକାଳେ କଟକ ଟାଙ୍ଗୀ ନିର୍ଗୁଣ୍ଡୀ ଓଭର ବ୍ରିଜ୍ ଉପରେ କାର୍ଟି ଏକ ଟ୍ରକ୍ ପଛପଟେ ଧକ୍କା ହୋଇଥିଲା। ଏହାପରେ କାର୍ଟି ହୁତୁହୁତୁ ହୋଇ ଜଳି ଉଠିଥିଲା। କାର୍ରେ ଥିବା ସମସ୍ତ ଯାତ୍ରୀ ଗାଡି ଭିତରୁ ବାହାରକୁ ଚାଲି ଆସିଥିଲେ। ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ପୁଲିସ ଗାଡିକୁ ଥାନାକୁ ନେଇଛି। ଅପର ପକ୍ଷେ ଟ୍ରାଫିକ୍ ଆଇଆଇସି ପହଞ୍ଚି ଯାତ୍ରୀମାନଙ୍କୁ ଘରକୁ ଯିବା ପାଇଁ ବ୍ୟବସ୍ଥା କରିଛନ୍ତି।