ମାଲକାନଗିରି, ୨୪/୫(ଆପ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଓଦାମନ ନୀତିକୁ ଜୋରଦାର କରିବା ଦ୍ୱାରା ଧିରେଧିରେ ଓଡିଶା, ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟ ମାଓପ୍ରବଣ ଅଞ୍ଚଳ ଗୁଡିକରେ ଭୁଷୁଡୁଛି ମାଓ ଦୁର୍ଗ। ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଦବଦବା କମିବା ସହିତ ହିଂସା କାଣ୍ଡ ଥମିବା ଓ ମାଓବାଦି ହ୍ରାସ ପାଇଥିବାର ଜଣା ପଡିଛି।
ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା, ବିଜାପୁର, ଦନ୍ତେୱାର୍ଦା, ନାରାୟଣପୁର ଜିଲ୍ଲା ଗୁଡିକର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ମାଓବାଦୀ ମାନେ ଆଶ୍ରୟସ୍ଥଳ କରି ବାରମ୍ବାର ହିଂସା କାଣ୍ଡ ଘଟାଇ ଚାଲୁଛନ୍ତି। କେନ୍ଦ୍ର ସରକାରଙ୍କ ଅପରେସନ ମାଓବାଦୀରେ ଗତ କିଛିମାସ ହେଲା ଅନେକ ମାଓବାଦୀ ମୃତାହତ ହୋଇଛନ୍ତି। ଆଉ ପ୍ରତଦିନ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରି ଚାଲିଛନ୍ତି।
ଗତ କିଛିଦିନ ତଳେ ଛତିଶଗଡ଼ ରାଜ୍ୟ ନାରାୟଣପୁର ଜିଲ୍ଲାରେ ଗୁଳି ବିନିମୟରେ ଅଗଧାଡିର ମୋଷ୍ଟ ୱାଣ୍ଟେଡ ମାଓବାଦୀ ସଚିବ ତଥା ବରିଷ୍ଠ ମାଓବାଦୀ ନେତା ନାମ୍ବାବାଲା କେଶବ ରାଓଙ୍କର ମୃତ୍ୟୁ ଘଟିବା ସହିତ ୨୭ ଜଣ ମାଓବାଦୀ ନିହତ ହୋଇଥିଲେ। ପ୍ରତିଦିନ ଗୁଳି ବିନିମୟରେ ଅନେକ ମାଓବାଦୀଙ୍କର ମୃତ୍ୟୁ ଘଟିଚାଲିଛି। ଦିନେ ନା ଦୁନେ ପୁଲିସ ଗୁଳିରେ ଜୀବନ ଯିବ ବୋଲି ମାଓ ନେତା କେଶବ ରାଓ ଜାଣିପାରି ଏନକାଉଣ୍ଟର ପୂର୍ବରୁ ଅନ୍ୟ କମ୍ରେଡଙ୍କ ପ୍ରତି ଶେଷ ଚିଠି ଲେଖି ଯାଇଥିଲେ।
ତାଙ୍କ ମୃତ୍ୟୁ ପରେ ପୁଲିସର ଯାଞ୍ଚ ସମୟରେ ଜବତ ହୋଇଥିବା ଖାତାବହିରୁ ତେଲୁଗୁ ଭାଷାରେ ଲିଖିତ ଏକ ଚିଠି ପୁଲିସର ହସ୍ତଗତ ହୋଇଥିବାର ଜଣା ପଡିଛି। ସେଥିରେ ମାଓ କମ୍ରେଡଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଛି, ଲୁଚିଯାଅ ନଚେତ ଯବାନ ମାନେ ଗୋଡ଼ାଇ ଗୋଡ଼ାଇ ମାରିବେ। ଏହାଦ୍ୱାରା ଜଣା ପଡୁଛି ଛତିଶଗଡ଼ ରାଜ୍ୟରେ ମଧ୍ୟ ମାଓ ଦୁର୍ଗ ଭୁଶୁଡିବାକୁ ଯାଉଛି।