ପ୍ରମୂଖ ଖବର

‘ପ୍ରମେୟ’ର ପ୍ରଭାବ : ଏକ କୋଟି ୩୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଦର୍ଶ ଶ୍ମଶାନ ଉଦଘାଟିତ

Published By : Suraj Ku Rath | May 19, 2025 7:20 PM

ମାଲକାନଗିରି, ୧୯/୫(ଆପ୍ର ) ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ରୁକ୍ମଣୀ ଗୁଡା  ନିକଟରେ ପୌର ପରିଷଦ ଓ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ଏକ କୋଟି ୩୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଅତ୍ୟାଧୁନିକ ଆଦର୍ଶ ଶ୍ମଶାନ  ଉଦଘାଟିତ ହୋଇଯାଇଛି । ଗତ ମାସ ୨୩ ତାରିଖରେ ‘ପ୍ରମେୟ’ରେ "ଶବ ଖୋଜୁଛି ଆଦର୍ଶ ମଶାଣି," ତିନି ବର୍ଷ ହେଲା ସରୁନି କାମ ଖବର ପ୍ରକାଶିତ ହୋଇଥିଲା।  ଏହି ଖବରକୁ ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ଗୁରୁତ୍ୱ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ଶ୍ମଶାନ ନିର୍ମାଣ କାମ ସାରିଛନ୍ତି। ସୋମବାର ନବ ନିର୍ମିତ ଅତ୍ୟାଧୁନିକ ଆଦର୍ଶ ଶ୍ମଶାନରେ ପ୍ରତିଷ୍ଠିତ ବିରାଟକାୟ ଶିବ ପ୍ରତିମୂର୍ତ୍ତି ନିକଟରେ ପୂଜା ପାଠ ହୋମ ଯଜ୍ଞ କରାଯାଇଥିଲା। ଏହା ପରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ମୂଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ।

ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ମୂଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର, ପୌର ପରିଷଦ ଉପାଧ୍ୟକ୍ଷା କବିତା ମାହୁନ୍ତ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ କେ.ଅଶୋକ ଚକ୍ରବର୍ତ୍ତୀ, ସାଂସଦ ଜିଲ୍ଲା ପ୍ରତିନିଧି ସଞ୍ଜୟ ସରକାର, ପୌର ପରିଷଦ ସଂସଦ ପ୍ରତିନିଧି ବିଜୟ କୁମାର ମହାରଣା,ପୌର ପରିଷଦ ବିଧାୟକ ପ୍ରତିନିଧି ରାହୁଲ ଟାୱରି ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସଦର ମହକୁମାରେ ଏଭଳି ଏକ ଅତ୍ୟାଧୁନିକ ଆଦର୍ଶ ଶ୍ମଶାନର ଆବଶ୍ୟକତା ଥିବା ବେଳେ ଏହାଦ୍ୱାରା ସ୍ଵଚ୍ଛ ପରିବେଶ ମଧ୍ୟରେ ଲୋକେ ଶବ ସତ୍କାର କରିପାରିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରପରିଷଦ ସହକାରୀ ଯନ୍ତ୍ରୀ ଇନ୍ଦୁମାଧବ ସରକାର, ଯନ୍ତ୍ରୀ କରଣ ବୁରୁଦା, ଓ ଅନ୍ୟା ଅଧିକାରୀ, ପୌର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆଦର୍ଶ ଶ୍ମଶାନ ପରିସରରେ  ସ୍ଵଚ୍ଛ ପରିବେଶ ସହ ତିନୋଟି  ଶବ ଦାହ ଗୃହ,ସ୍ନାନ ଓ ପାନୀୟ ଜଳ, ପୁଷ୍ପ ଉଦ୍ୟାନ,ପାର୍କ, ଗୋଦାମ ଗୃହ,ହିମାଳୟ ପର୍ବତ ରେ ତପସ୍ୟା ରତ  ଶିବଙ୍କ ପ୍ରତିମୂର୍ତ୍ତି, ଝରଣା ପ୍ରଭାହିତ ଦୃଶ୍ୟ, ରୁଷିମୁନୀ, ପରି ମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି। ଉଜ୍ଜଳ ଆଲୋକ, ଫାଇବର ଟାଇଲ ପାଦ ଚଲା ରାସ୍ତା  ଓ ଆଶ୍ରୟସ୍ଥଳର ସୁବିଧା କରାଯାଇଛି । ଏହି ମଶାଣୀ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ପୌର ପରିଷଦ ଦ୍ୱାରା ମୋଟ ୧ କୋଟି ୩୫ଲକ୍ଷ ଟଙ୍କା ବ୍ୟୟଅଟକଳ ରେ ନିର୍ମାଣ କରାଯାଇଛି ।ଏହି ଆଦର୍ଶ ଶ୍ମଶାନ ଟି  ପୁଷ୍ପ ଉଦ୍ୟାନ ଓ ଶୈବପୀଠର ଭ୍ରମ ସୃଷ୍ଟି କରି ଥିବାରୁ ଅନେକ ଯୁବ ଗୋଷ୍ଠୀ ସେଲ୍ଫି ଉଠାଇବା ସହିତ ରିଲ କରୁଥିବାର ଦେଖିବାକୁ ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.