ପାପଡାହାଣ୍ଡି,୨୯/୭ : ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁରଠାରେ ମଙ୍ଗଳବାର ଅତ୍ୟଧିକ ମଦ୍ୟପାନ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ସୁଧୀର ବେନିଆ । ଗୁରୁତର ଅବସ୍ଥାରେ ତାଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ଅନୁସାରେ, ସନ୍ଧ୍ୟାରେ ସୁଧୀର ବେନିଆ ଓ ଦୟାନିଧି ବେନିଆ ବଜାର କରିବାକୁ ବାହାରିଥିଲେ । ପ୍ରଥମେ କମଲୁ ବିଶୋଇ, ତା’ପରେ ଦୈତା ବିଶୋଇ ଓ ଶେଷରେ ପୂରଣ ବିଶୋଇଙ୍କ ଘରେ ମଦ ପିଇଥିଲେ । ସେଠାରେ ସୁଧୀର ଅଚେତ ହୋଇ ଗୁରୁତର ହୋଇପଡ଼ିଥିଲେ । ଦୟାନିଧି ଏ ନେଇ ସୁଧୀରଙ୍କ ପରିବାରକୁ ଜଣାଇଥିଲେ । ଏକ ଅଟୋ ଦ୍ୱାରା ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ପରୀକ୍ଷା କରି ସୁଧୀରଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପରିବାର ଲୋକେ ମଦ ମୃତ୍ୟୁ ଅଭିଯୋଗ ଆଣିଛନ୍ତି । ଖବରପାଇ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । ତେବେ ଥାନାରେ ଏ ନେଇ କୌଣସି ଏତଲା ହୋଇନାହିଁ।