ନୂଆଦିଲ୍ଲୀ: ଭାରତର ଅର୍ଥନୀତିକୁ ନେଇ ଆମେରିକା ରାଷ୍ଟ୍ରମତି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ସମର୍ଥନ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତକୁ ଡେଡ୍ ଇକୋନୋମି ବା ମୃତ ଅର୍ଥନୀତି ବୋଲି କହିଥିଲେ ଡୋନାଲ୍ଡ ଟ୍ରମ୍ପ । ତାଙ୍କର ଏହି ମନ୍ତବ୍ୟକୁ ସମର୍ଥନ କରି ବିବାଦକୁ ଆସିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲଙ୍କ ଗାନ୍ଧୀ । ଟ୍ରମ୍ପଙ୍କ ମନ୍ତବ୍ୟରେ ସତ୍ୟତା ଅଛି ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ବୟାନ ସତ୍ୟକୁ ପ୍ରତିଫଳିତ କରୁଛି, ଯାହାକୁ କେବଳ ଭାରତ ସରକାର ଗ୍ରହଣ କରିବାକୁ ମନା କରୁଛନ୍ତି । ଟ୍ରମ୍ପଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ‘ହଁ ସେ ଠିକ୍ କହିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ସମସ୍ତେ ଏହା ଜାଣନ୍ତି । ସମସ୍ତେ ଜାଣନ୍ତି ଯେ, ଭାରତୀୟ ଅର୍ଥନୀତି ଏକ ମୃତ ଅର୍ଥନୀତି । ମୁଁ ଖୁସି ଯେ, ରାଷ୍ଟ୍ରପତି ଟ୍ରମ୍ପ ଏହି ସତ୍ୟକୁ ଉଜାଗର କରିଛନ୍ତି ।’
ରାହୁଲ ଗାନ୍ଧୀ ଗୁରୁବାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତୀୟ ଅର୍ଥନୀତିକୁ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି, ‘ଭାରତୀୟ ଅର୍ଥନୀତି ମୃତ । ଆଦାନୀ-ମୋଦୀ ସହଭାଗୀତା, ବିମୁଦ୍ରୀକରଣ ଏବଂ ତ୍ରୁଟିପୂର୍ଣ୍ଣ GST ସହିତ ଏହାକୁ ନଷ୍ଟ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । MSME ଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି ଏବଂ ଚାଷୀମାନଙ୍କୁ ଚାପି ଦିଆଯାଇଛି । ସେ ଭାରତର ଯୁବପିଢ଼ିଙ୍କ ଭବିଷ୍ୟତକୁ ନଷ୍ଟ କରିଦେଇଛନ୍ତି । ସେମାନଙ୍କ ପାଖରେ କୌଣସି ଚାକିରି ନାହିଁ।’
ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିବା ପରେ ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ଆସିଛି । ରୁଷ ସହିତ ଭାରତର ବାଣିଜ୍ୟ ସମ୍ପର୍କକୁ କଟାକ୍ଷ କରି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ, ଭାରତ ରୁଷ ସହିତ କ'ଣ କରେ ତାହା ତାଙ୍କୁ ଚିନ୍ତା ନାହିଁ । ଉଭୟ ଦେଶର ଅର୍ଥନୀତି ମୃତ ବୋଲି ସେ କହିଛନ୍ତି । ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ‘ଭାରତ ରୁଷ ସହିତ କ'ଣ କରେ ତାହା ମୋର ଭାବିବାର ନାହିଁ। ସେମାନେ ଏକାଠି ସେମାନଙ୍କର ମୃତ ଅର୍ଥନୀତିକୁ ନଷ୍ଟ କରିପାରନ୍ତି । ଏହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେ ଭାରତ ସହିତ ବହୁତ କମ୍ ବାଣିଜ୍ୟ କରିଛୁ, ସେମାନଙ୍କର ଶୁଳ୍କ ବହୁତ ଅଧିକ, ବିଶ୍ୱରେ ସର୍ବାଧିକ।’