ବାରିପଦା,୦୪/୦୧: ବାରିପଦା ସହର ଉପକଣ୍ଠରେ ହାତୀପଲଙ୍କ ହାବୁଡ଼ରେ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବାରିପଦା ବନଖଣ୍ଡ ଅନ୍ତର୍ଗତ ଶ୍ୟାମାଖୁଣ୍ଟା ଅଞ୍ଚଳର ଦାଡଦୁଡ ଗ୍ରାମର ମଧୁସୂଦନ ପାଣ୍ଡେ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ବାରିପଦା ସହର ଉପକଣ୍ଠ ଶ୍ୟାମାଖୁଣ୍ଟା ଅଞ୍ଚଳରେ ୪୦ ଟିକିଆ ହାତୀପଲ ଚଳପ୍ରଚଳ କରୁଛନ୍ତି । ତେବେ ଶନିବାର ସକାଳୁ ମଧୁସୂଦନ ଶୌଚ ହେବାକୁ ବିଲକୁ ଯାଇଥିବା ବେଳେ ହାତୀ ସହିତ ମୁଁହାମୁହିଁ ହୋଇଥିଲେ । ହାତୀ ଆକ୍ରମଣରେ ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହାତୀ ପଲ ଛୁଆ ସହିତ କରଞ୍ଜିଆ, ବହାଦୁର ପୁର, ଅସ୍ତିଆ, ଶିରୀଶବଣୀ ଶାମାଖୁଣ୍ଟା ଅଞ୍ଚଳରେ ଚଳପ୍ରଚଳ କରୁଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସତର୍କ କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଦିଆଯିବ ।