ବୌଦ୍ଧ,୧୩ା୧୨ (ପ୍ରମୋଦ ବାଘ): ଦିନଥିଲା, ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ବୌଦ୍ଧ ଜିଲ୍ଲାବାସୀଙ୍କ ପାଇଁ ସମୃଦ୍ଧିର ପ୍ରତୀକ ଥିଲା । ମହାନଦୀ ପାଣିରୁ ଚାଷୀ ବର୍ଷତମାମ ଜମିକୁ ପାଣି ଲଗାଇପାରୁଥିଲା । ବୌଦ୍ଧ ସମେତ ମହାନଦୀ ସଂଲଗ୍ନ ଜିଲ୍ଲାର ଅନ୍ୟାନ୍ୟ ଗ୍ରାମବାସୀ ଅନାୟାସରେ ପାନୀୟ ଜଳ ପାଉଥିଲେ । ମତ୍ସ୍ୟଜୀବୀମାନେ କେବେ ଡଙ୍ଗା ଚଳାଇ ତ’ ଆଉ କେବେ ମାଛମାରି ରୋଜଗାର କରୁଥିଲେ । ହେଲେ ସେ ସବୁ ଏବେ ଅତୀତ । ମହାନଦୀ କ୍ରମଶଃ ଶୁଷ୍କ ହେବାରେ ଲାଗିଛି । ସରୁ ଧାର ଭଳି ପାଣିର ସ୍ରୋତ ନା ଚାଷକୁ ପାଣି ଯୋଗାଇ ପାରୁଛି ନାଁ କେଉଟଙ୍କୁ ରୋଜଗାର ଦେଇପାରୁଛି । ଜୀବନରେଖା ଏବେ ଶେଷ ନିଶ୍ୱାସ ଗଣୁଛି ।
ମହାନଦୀ, ବୌଦ୍ଧ-ସୋନପୁର ସୀମାନ୍ତ ମନମୁଣ୍ଡାଠାରୁ ହରଭଙ୍ଗା ବ୍ଲକର ନୟାଗଡ଼ ସୀମା ପର୍ଯ୍ୟନ୍ତ ପ୍ରାୟ ପ୍ରାୟ ୧୧୦କିଲୋମିଟର ଧରି ବହିଯାଇଛି । ଏହି ୧୧୦ କିଲୋମିଟର ମଧ୍ୟରେ ନଦୀର ଉଭୟ ପାଶ୍ୱର୍ରେ ଲୋକେ ମହାନଦୀ ପାଣି ଉପରେ ନିର୍ଭରଶୀଳ ହୋଇ କୃଷିକାର୍ଯ୍ୟ କରିଥାଆନ୍ତି । ସାଧାରଣତଃ ମହାନଦୀ ପଠାରେ ଶୀତଋତୁରେ ଡାଲିଜାତୀୟ ଚାଷ ହୋଇଥାଏ । ସେଥିପାଇଁ ନଦୀଜଳ ଉପରେ ହିଁ ଚାଷୀ ନିର୍ଭର କରିଥାଆନ୍ତି । ପୂର୍ବରୁ ଚାଷୀମାନେ ନଦୀରେ ତେଣ୍ଡା ଲଗାଇ ତାଳ ଗଣ୍ଡି ଆଦି ସାହାଯ୍ୟରେ ମନ୍ଦା ଗୁଡ଼ିକରେ ଦେଉଥିଲେ । ପରେପରେ ମୋଟର ପମ୍ପ ଲଗାଇ ଚାଷକୁ ପାଣି ଦେଉଥିଲେ । କିନ୍ତୁ ଗତ ପ୍ରାୟ ଆଠରୁ ଦଶବର୍ଷ ହେବ ନଦୀରେ ଆଉ ପାଣି ଧାର ନାହିଁ । ଗତ ଦୁଇ ତିନି ବର୍ଷଧରି ନଦୀ ପଠାରୁ ପ୍ରାୟ ୧ କିଲୋମିଟର ଦୂରକୁ ପାଣି ଘୁଞ୍ଚିଯାଇଥିବା ବେଳେ ସେଠାରେ ମଧ୍ୟ ସ୍ରୋତ ନାହିଁ । ଫଳରେ ଡାଲିଜାତୀୟ ଚାଷ ପାଇଁ ଚାଷୀମାନେ ସାହସ ଜୁଟାଇ ପାରୁନାହାନ୍ତି । ଅନୁରୂପ ସମସ୍ୟାରେ ପଡ଼ିଛନ୍ତି ମତ୍ସ୍ୟଜୀବୀମାନେ।
ଜିଲ୍ଲାରେ ମୁଖ୍ୟତଃ କେଉଟ ବା କୈବର୍ତ୍ତ, ଧୀବର, ଗିଙ୍ଗିରା, ଝରା ଆଦି ଜାତି ସମାଜର ଲୋକମାନେ ମାଛମାରି ଜୀବିକା ନିର୍ବାହ କରିଥାନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ହଜାରରୁ ଅଧିକ ଲୋକ ମହାନଦୀ ଉପରେ ନିର୍ଭରଶୀଳ । ମାଛମାରିବା ପାଇଁ ସେମାନେ ଡଙ୍ଗାରେ ଗଭୀର ପାଣିକୁ ଯାଇ ଜାଲ, ଥପା, ଉଜ ଆଦି ସାହାଯ୍ୟରେ ମାଛମାରି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ନଦୀରେ ପାଣି ନଥିବାରୁ ସେମାନଙ୍କ ଜୀବନଜୀବିକା ଏବେ ବିପନ୍ନ । ଜୀବିକା ହରାଇବା ପରେ ମତ୍ସ୍ୟଜୀବୀମାନେ ନିଜର କୌଳିକ ବୃତ୍ତି ଛାଡ଼ି କାମଧନ୍ଦା ପାଇଁ ବାହାର ରାଜ୍ୟକୁ ଦାଦନ ଯାଉଛନ୍ତି । ଅନ୍ୟମାନେ ଏଠାରେ ରହି କେବେ ଦିନମଜୁରିଆ ଭାବେ ମୂଲ ଲାଗୁଛନ୍ତି ତ’ ଆଉ କେବେ କାଳେ ମାଛ ମିଳିଯିବ ବୋଲି ପୂର୍ବବତ୍ ନଦୀକୁ ଯାଉଛନ୍ତି । କିନ୍ତୁ ପୂର୍ବଭଳି ମାଛ ମିଳୁନଥିବା ସେମାନେ କହିଛନ୍ତି ।
ଏ ସମ୍ପର୍କରେ ଗିଙ୍ଗିରା, ଗିରିଗିରା ସମାଜର ରାଜ୍ୟ ସଭାପତି ଆଇନଜୀବୀ ସୁଧାଂଶୁ ଶେଖର ବେହେରା କହିଛନ୍ତି, ମହାନଦୀରେ ମାଛବଂଶ କ୍ରମାଗତ ଭାବେ ଲୋପ ପାଇବାରେ ଲାଗିଛି । ଅବଶ୍ୟ ମତ୍ସ୍ୟସମ୍ପଦର ସୁରକ୍ଷା ଓ ମତ୍ସ୍ୟଜୀବୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ବୌଦ୍ଧ ଭଳି ଅନୁନ୍ନତ ତଥା ପଛୁଆ ଜିଲ୍ଲାରେ ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । ସେ ଆହୁରି କହିଛନ୍ତି, ମତ୍ସ୍ୟଜୀବୀ ସମ୍ପ୍ରଦାୟର ଲୋକେ କଦାଚିତ୍ କୀଟନାଶକ କିମ୍ବା ରସାୟାନିକ ଦ୍ରବ୍ୟ ବ୍ୟବହାର କରୁନାହାନ୍ତି । ବାହାର ଅଞ୍ଚଳରୁ ଆସୁଥିବା ଅସାଧୁ ବେପାରୀମାନେ ମହାନଦୀରେ କୀଟନାଶକ ଓ ଡିନାମାଇଟ ଆଦି ବ୍ୟବହାରକରି ମାଛ ମାରୁଛନ୍ତି । ଏନେଇ ସଂଘ ପକ୍ଷରୁ ପୁଲିସ ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଛି । ମାତ୍ର ଅଭିଯୋଗକୁ କେହି କେବେ ଗୁରୁତ୍ୱ ଦେଇନାହାନ୍ତି । ସାଧାରଣ ଲୋକେ ପାନୀୟ ଭାବେ ନଦୀଜଳର ବ୍ୟବହାର କରୁଛନ୍ତି । ତେଣୁ କୀଟନାଶକ ପ୍ରୟୋଗକରି ତାହାକୁ ପ୍ରଦୂଷିତ ନକରିବା ପାଇଁ ପ୍ରଶାସନିକସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଥିବା ଶ୍ରୀ ବେହେରା କହିଛନ୍ତି ।
ମହାନଦୀରେ ପ୍ରାୟ ଅକ୍ଟୋବର ମାସ ପର୍ଯ୍ୟନ୍ତ ପାଣି ଗୋଳିଆ ହୋଇ ରହିଥାଏ । ନଭେମ୍ବର ମାସରୁ ପାଣି ସ୍ୱଚ୍ଛ ରହିଥାଏ । ଏଣୁ ନଭେମ୍ବରରୁ ମହାନଦୀରେ ଦିନତମାମ ଡିନାମାଇଟ ବିସ୍ଫୋରଣ କରି ଏବଂ କୀଟନାଶକ ଔଷଧ ପକାଇ ମାଛ ଓ ଚିଙ୍ଗୁଡି ମରାଯାଉଛି । ଡିନାମାଇଟ ବିସ୍ଫୋରଣ ଯୋଗୁଁ ବଡ଼ମାଛ ସହ ଛୋଟଛୋଟ ମାଛଗୁଡିକ ମରିଯାଉଛନ୍ତି । ଯଦ୍ୱାରା ମତ୍ସ୍ୟବଂଶ ଦିନକୁଦିନ ଲୋପ ପାଉଛି । ସେହିପରି ନଦୀଜଳରେ କୀଟନାଶକ ପକାଇ ମାଛ ଧରାଯାଉଛି । ସେହି କୀଟନାଶକ ଔଷଧ ପାଣି ଯେତେଦୂର ପର୍ଯ୍ୟନ୍ତ ଭାସିଭାସି ଯାଉଥିବ ସେତେଦୂର ପର୍ଯ୍ୟନ୍ତ ରହିଥିବା ମାଛ ଓ ଚିଙ୍ଗୁଡି ଗୁଡିକ ମରିଯାଇଥିବା ଦେଖିବାକୁ ମିଳୁଛି । ଅପରପକ୍ଷେ ବିଷକ୍ରିୟା ଯୋଗୁ ନଦୀଜଳ ପ୍ରଦୂଷିତହୋଇ ବିଭିନ୍ନ ରୋଗର ବାହକ ପାଲଟୁଛି ।
ଏ ସମ୍ପର୍କରେ ପରିବେଶବିତ୍ ତଥା ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ କହିଛନ୍ତି କୀଟନାଶକ ପ୍ରୟୋଗ ଦ୍ୱାରା ଛୋଟ ଓ ବଡ଼ ମାଛ ସବୁତକ ମରିଯାଉଛନ୍ତି । ସାଧାରଣତଃ କାର୍ତ୍ତିକ/ମାର୍ଗଶୀର ବେଳକୁ ମାଛମାନେ ଅଣ୍ଡା ଦେଇଥାଆନ୍ତି । ମାତ୍ର ବିଷକ୍ରିୟା ଯୋଗୁ ଗର୍ଭବତୀ ମାଛ ବି ମରି ଯାଉଛନ୍ତି । ଏହାଦ୍ୱାରା ମାଛବଂଶ କ୍ରମଶଃ ଲୋପ ପାଉଛି । ପୁଣି କୀଟନାଶକ ଯୋଗୁ ପାଣି ପ୍ରଦୂଷଣ ହେଉଛି । ବୌଦ୍ଧ ଜିଲ୍ଲାରେ କିଡ଼ନୀ ରୋଗର ସହକ୍ରମଣ ଅଧିକ ରହିଛି । ଏବେ ନଦୀପାଣିର ବ୍ୟବହାରପରେ ରୋଗୀମାନେ ମୃତ୍ୟୁ ମୁହଁକୁ ଠେଲିହୋଇଯାଉଛନ୍ତି । ଏଥିପ୍ରତି ପ୍ରଶାସନ କଠୋର ଆଭିମୁଖ୍ୟ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଓ ସଚେତନତା ସୃଷ୍ଟିକରିବା ଦରକାର ବୋଲି ଶ୍ରୀ ଦାସ କହିଛନ୍ତି ।