ନୂଆଦିଲ୍ଲୀ: ଭାରତ ସହିତ ଶତ୍ରୁତା କରି ନିଜ ଗୋଡ଼ରେ କୁରାଢ଼ି ମାରିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ବର୍ତ୍ତମାନ ନିଜ ଦେଶର ଜନତା ପାଲଟିଛନ୍ତି ଟ୍ରୁଡୋଙ୍କ ଦୃଢ଼ ସମାଲୋଚକ। ଟ୍ରୁଡୋ ଭାରତ ସହିତ ସମ୍ପର୍କ ଖରାପ କରି ଭୁଲ୍ କରିଛନ୍ତି ଖୋଦ୍ କାନାଡ଼ା ନାଗରିକ କହୁଛନ୍ତି। ଏକଥା ଆମେ କହୁ ନାହୁଁ ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି।
ଆଙ୍ଗୁସ ରିଡ ଇନଷ୍ଟିଟ୍ୟୁଟ(ଏଆରଆଇ)ଓ ଏସିଆ ପାସିଫିକ ଫାଉଣ୍ଡେସନ ଅଫ କାନାଡା ଦୁହେଁ ମିଶି କାନାଡାରେ ଏକ ସର୍ଭେ କରିଥିଲୋ। ଏହି ସର୍ଭେରେ ୩୯ ପ୍ରତିଶତ କାନାଡ଼ା ନାଗରିକ ଟ୍ରୁଡୋ ସରକାରଙ୍କୁ ସମାଲୋଚନା କରିଥିଲେ। କାନାଡ଼ା ସରକାର ଭାରତ ସହ କୁଟନୈତିକ ସମ୍ପର୍କ ରଖିବାରେ ଫେଲ୍ ମାରିଛନ୍ତି ବୋଲି କହିଥିଲେ। ଖାଲି ସେତିକି ନୁହେଁ, ଜଷ୍ଟିନ ଟ୍ରୁଡୋ ପ୍ରଧାନ ମନ୍ତ୍ରୀ ଥିବା ଯାଏ ଭାରତ ସହିତ ସମ୍ପର୍କ ସୁଧୁରିବ ନାହିଁ ବୋଲି ମଧ୍ୟ ୩୯ ପ୍ରତିଶତ କାନାଡ଼ା ନାଗରିକ କହିଛନ୍ତି।
ଏହି ସର୍ଭେରେ ଭାଗନେଇଥିବା ଅଧିକାଂଶ ଲୋକ କାନାଡା ସରକାରଙ୍କୁ ଦୋଷ ଦେଇଥିଲେ। ସର୍ଭେ ଅନୁଯାୟୀ କାନାଡା ସରକାର ନିଜ ବନ୍ଧୁରାଷ୍ଟ୍ରଗୁଡ଼ିକ ସହ ଠିକ ସମ୍ପର୍କ ରଖୁନାହାନ୍ତି ବୋଲି ୩୯ ପ୍ରତିଶତ କାନାଡ଼ାବାସୀ କହିଥିବା ବେଳେ ୩୨ ପ୍ରତିଶତ ଏହା ବିରୋଧରେ ମତ ଦେଇଥିଲେ। ତେବେ ୨୯ ପ୍ରତିଶତ କହିଥିଲେ ଆମେ ଏ ବିଷୟରେ କିଛି କହିପାରିବୁ ନାହିଁ।
ଅନ୍ୟପଟେ କାନାଡାରେ ୨୦୨୫ରେ ସଂସଦୀୟ ନିର୍ବାଚନ ହେବାକୁ ଯାଉଛି। ଟ୍ରୁଡୋଙ୍କ କାର୍ଯ୍ୟକାଳ ଅତ୍ୟନ୍ତ ବିବାଦୀୟ ହୋଇ ପଡିଥିବାରୁ ବିପକ୍ଷରେ ଥିବା କନଜରଭେସନ ଦଳ ଏଥର ନିର୍ବାଚନରେ ଜିତିବାର ଅଧିକ ସମ୍ଭାବନା ରହିଛି। ନର୍ବାଚନରେ କନଜରଭେସନ ଦଳ ଜିତିଲେ ପିଏର ପୋଲିଏଭ୍ରେ କାନାଡାର ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ସେ ପ୍ରଧାନମନ୍ତ୍ରୀ ହେଲେ ଭାରତ ସହ ଥିବା ତିକ୍ତ ସମ୍ପର୍କରେ ପୁଣି ସୁଧାର ଆସିବ ବୋଲି ଆଶା କରାଯାଉଛି।
ସୂଚନା ଥାଉକି, ଆସନ୍ତା ନିର୍ବାଚନରେ ଜିତିବା ପାଇଁ ଟ୍ରୁଡୋ ଖଲିସ୍ତାନି ବିଚ୍ଛିନତାବାଦୀମାନଙ୍କୁ ସମର୍ଥନ କରୁଛନ୍ତି। ଏହି ପରିପ୍ରେକ୍ଷିରେ ଖଲିସ୍ତାନି ବିଚ୍ଛିନତାବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଉଦ୍ୟାମ ମାମଲାରେ ଭାରତର ହାତ ରହିଥିବା ନେଇ ଟ୍ରୁଡୋ ସର୍ବସମ୍ମୁଖରେ ଘୋଷଣା କରିଥିଲେ। ଯାହାକୁ ଖଣ୍ଡନ କରିଥିଲା ଭାରତ। କାନାଡାର ଏଭଳି ଖୋଲାଖୋଲି ଅଭିଯୋଗ କରିବା ବୈଦେଶକ ନୀତି ବାହାରେ ବୋଲି ଭାରତ କହିଥିଲା। ଏହାପର ଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି।