ଭୁବନେଶ୍ଵର, ୧୩/୦୮ : ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୫ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୨୪ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ୪୮ ଘଣ୍ଟାରେ ଉତ୍ତର ଆନ୍ଧ୍ର ଉପକୂଳ ଓ ଦକ୍ଷିଣ ଓଡ଼ିଶା ମଧ୍ୟ ଦେଇ ଗତି କରିବ। ଲଘୁଚାପ ପ୍ରଭାବରେ ୧୫ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ବଲାଙ୍ଗିର ଓ ନୂଆପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଗୁରୁବାର ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଗଜପତି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ ।