ଭୁବନେଶ୍ୱର,୧୩/୦୮ : ଅଙ୍ଗ ଦାନ ହେଉଛି ଜୀବନ ଦାନ । କିଛି ବର୍ଷ ଭିତରେ ଓଡ଼ିଶାରେ ଏହି ମହାନ କାର୍ଯ୍ୟ ଲାଗି ଲୋକଙ୍କ ଭିତରେ ସଚେତନତା ବଢ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୫୦ଟି କାଡାଭର୍ କିଡ୍ନୀ ପ୍ରତିରୋପଣ କରାଯାଇଛି । ସେହିପରି ରାଜ୍ୟରେ ସଫଳତାର ସହ ୯ଟି କାଡାଭର୍ ଯକୃତ(ଲିଭର) ପ୍ରତିରୋପଣ ହୋଇଛି । ଉଭୟ କାଡାଭର୍ ଓ ଜୀବନ୍ତ ମଣିଷଙ୍କ କିଡ୍ନୀ ଦାନରେ ଏଯାବତ୍ ରାଜ୍ୟରେ ପ୍ରାୟ ୨ ହଜାର ପ୍ରତିରୋପଣ କରାଯାଇଛି । ପରିବାରର ସମ୍ମତିକ୍ରମେ ଓଡ଼ିଶାରୁ ୬ଟି ଯକୃତ ବାହାର ରାଜ୍ୟକୁ ପଠାଯାଇଛି । ଯେଉଁଥିରେ ୫ ଜଣ ଶିଶୁ ଅଙ୍ଗଦାତା ରହିଛନ୍ତି । ଏଥିସହ ୨ଟି ଫୁସଫୁସ୍ (ଲଙ୍ଗ୍ସ) ଏବଂ ଗୋଟିଏ ହୃତ୍ପିଣ୍ଡ(ହାର୍ଟ) ବାହାର ରାଜ୍ୟକୁ ପ୍ରତିରୋପଣ ଲାଗି ପଠାଯାଇଛି ।
ଜୀବନ୍ତ ମଣିଷର ଅଙ୍ଗଦାନ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୫ଟି ଲିଭର୍ ପ୍ରତିରୋପଣ ହୋଇଛି । ଅଙ୍ଗଦାନ କ୍ଷେତ୍ରରେ ଏଭଳି ଅଗ୍ରଗତି ପଛରେ ରାଜ୍ୟ ଅଙ୍ଗ ଓ ଟିସୁ ଟ୍ରାନ୍ସପ୍ଲାଣ୍ଟ ସଂଗଠନ (ସୋଟୋ ବା ଏସଏସଟିଟିଓ)ର ମୁଖ୍ୟ ଭୂମିକା ରହିଛି । ବହୁମୂଲ୍ୟ ଜୀବନ ବଞ୍ଚାଇବା ଲାଗି ରାଜ୍ୟରେ ଅଙ୍ଗ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଙ୍ଗଦାନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିରନ୍ତର ପ୍ରୟାସ କରାଯାଉଛି।ଅଙ୍ଗଦାନକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଙ୍ଗଦାନକାରୀଙ୍କୁ ‘ସୂରଜ ପୁରସ୍କାର’ରେ ସମ୍ମାନିତ କରାଯିବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି । ଆଜି ‘ବିଶ୍ୱ ଅଙ୍ଗଦାନ ଦିବସ-୨୦୨୫’ ଉପଲକ୍ଷେ ୨୪ ଜଣ କାଡାଭର୍ ଅଙ୍ଗଦାତାଙ୍କ ପରିବାରକୁ ସୂରଜ ସମ୍ମାନ ପ୍ରଦାନ କରାଯିବ । ଏହା ପୂର୍ବରୁ ୨୦ ଜଣ ଏଭଳି ଅଙ୍ଗଦାତା ପରିବାରକୁ ଏହି ପୁରସ୍କାର ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ସୂରଜ ବେହେରାଙ୍କ ସ୍ମୃତିରେ ରାଜ୍ୟ ସରକାର ଏହି ପୁରସ୍କାର ପ୍ରତିଷ୍ଠା କରିଥିଲେ । ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ସୂରଜଙ୍କ ବ୍ରେନ୍ ଡେଡ୍ ହୋଇଯାଇଥିଲା । ତାଙ୍କ ପରିବାରର ନିଷ୍ପତ୍ତିକ୍ରମେ ସୂରଜଙ୍କ ହୃତ୍ପିଣ୍ଡ, ଲିଭର୍, କିଡ୍ନୀ, ଚକ୍ଷୁ ୬ ଜଣଙ୍କୁ ନୂଆ ଜୀବନ ଦେଇଥିଲା । ଅଙ୍ଗଦାନ ଓ ପ୍ରତିରୋପଣକୁ ସଫଳ କରିବା ଦିଗରେ ପୋଲିସ ବିଭାଗର ମଧ୍ୟ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅଙ୍ଗଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରୋଗୀଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ । ଓଡ଼ିଶା ପୋଲିସ ଏହି କ୍ଷେତ୍ରରେ "ଗ୍ରୀନ କରିଡର୍' ସୃଷ୍ଟି କରି ଅଙ୍ଗଗୁଡ଼ିକୁ ଦ୍ରୁତ ଗତିରେ ହସ୍ପିଟାଲ ପର୍ଯ୍ୟନ୍ତ ପରିବହନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଏଥି ସହିତ ପୋଲିସ ଅଧିକାରୀମାନେ ଅଙ୍ଗଦାନ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ତଥାପି ଅଙ୍ଗଦାନ ସମ୍ପର୍କରେ ଆହୁରି ସଚେତନତା ଆବଶ୍ୟକ । କାରଣ ଆବଶ୍ୟକତା ଅନୁଯାୟୀ ଦାତା ମିଳୁନାହାନ୍ତି । ପଞ୍ଜୀକରଣ ହେଉଛି ସତ, କିନ୍ତୁ ଅଙ୍ଗଦାନ ସମ୍ପର୍କିତ ମିଥ୍ୟା ଧାରଣା ଓ ଭୟ ଯୋଗୁ ଏହାକୁ ଗ୍ରହଣ କରିବାକୁ ଲୋକଙ୍କ ମଧ୍ୟରେ ଦ୍ୱିଧାବୋଧ ରହୁଛି । ଏଣୁ ଅଙ୍ଗଦାନକୁ ଆହୁରି ପ୍ରୋତ୍ସାହନ ଦେବା ଲାଗି ସମାଜ ଓ ସରକାରଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ।