ନୂଆଦିଲ୍ଲୀ,୧୩/୦୮ : ଭାରତରେ ପ୍ରାୟ ୭୫ ପ୍ରତିଶତ ବର୍ଷା କରାଉଥିବା ଦକ୍ଷିଣ ପଶ୍ଚିମ ମୌସୁମୀ (ବର୍ଷାଋତୁ)ର ଅବଧି ଗତ ୫୦ ବର୍ଷ ହେଲା ବଢ଼ିଚାଲିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ବୈଜ୍ଞାନିକଙ୍କ ପକ୍ଷରୁ ପ୍ରକାଶିତ ଏକ ଗବେଷଣା ରିପୋର୍ଟରୁ ଏକଥା ସାମ୍ନାକୁ ଆସିଛି । ମୌସମ ଜର୍ଣ୍ଣାଲରେ ଏହି ରିପୋର୍ଟ ପ୍ରକାଶ ପାଇଛି ।
ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ସାଧାରଣତଃ ବର୍ଷାଋତୁ ଜୁନ ୧ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିଥାଏ । କିନ୍ତୁ ୧୯୭୦ରୁ ୨୦୨୦ ଅର୍ଥାତ ୫୦ ବର୍ଷ ଭିତରେ ପ୍ରତି ଦଶନ୍ଧିରେ ଏହା ୧.୬ ଦିନ ହାରରେ ବଢ଼ିବାରେ ଲାଗିଛି । ବର୍ଷାଋତୁର ଅବଧି ବଢ଼ିବା ଓ ଭାରତରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅପସାରଣ ହେବା ଭିତରେ ସମ୍ପର୍କ ରହିଥିବା ଉକ୍ତ ଅଧ୍ୟୟନରେ କୁହାଯାଇଛି । କେରଳରେ ପ୍ରତିବର୍ଷ ମୌସୁମୀ ପ୍ରବେଶ କରେ । ଅବଶ୍ୟ ଅଳ୍ପ କିଛି ଦିନର ଆଗପଛରେ ଏହା ଆସେ । ଯାହାକି ଗତ ୫୦ ବର୍ଷ ହେଲା ଦେଖିବାକୁ ମିଳୁଛି । ସେହିଭଳି ଦେଶରେ ଯେତିକି ବର୍ଷା ହୁଏ ତାର ୭୫ ପ୍ରତିଶତ ମୌସୁମୀ ବର୍ଷାରେ ହୋଇଥାଏ । ଅର୍ଥାତ ବର୍ଷାଋତୁରେ ହିଁ ୭୫ ପ୍ରତିଶତ ବର୍ଷା ହୁଏ । କିନ୍ତୁ ଏହି ପରିମାଣ ବିଗତ ବର୍ଷମାନଙ୍କରେ ବଢ଼ିଛି । ବର୍ତ୍ତମାନ ଦେଶର ୭୯ ପ୍ରତିଶତ ବର୍ଷା ମୌସୁମୀ ଋତୁରେ ହିଁ ହେଉଛି ।
ସେହିଭଳି ପଶ୍ଚିମ ରାଜସ୍ଥାନରୁ ସେପ୍ଟେମ୍ବର ୧୭ ତାରିଖ ବେଳକୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଥାଏ । ତେବେ ଗତ ୧୪ ବର୍ଷ ହେଲା ଏଥିରେ ଗୋଟିଏ ଦିନ ବଢ଼ିଛି । ଅର୍ଥାତ ସେପ୍ଟେମ୍ବର ୧୮ରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରୁଛି । ହେଲେ ସମୟ ସମୟରେ ଏଥିରେ କେତେକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ୨୦୧୯ରେ ଦେଶରୁ ମୌସୁମୀ ବାୟୁ ଅକ୍ଟୋବର ୯ରେ ପ୍ରତ୍ୟାବର୍ତ୍ତନ କରିଥିଲା, ଯାହାକି ଧାର୍ଯ୍ୟ ସମୟର ୨୨ ଦିନ ବିଳମ୍ବରେ । ଠିକ୍ ସେହିଭଳି ୨୦୨୧ରେ ଅକ୍ଟୋବର ୬ ଅର୍ଥାତ ୧୯ ଦିନ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିଥିଲା । ୨୦୨୦ରେ ଆଇଏମ୍ଡି ଦେଶର ବିଭିନ୍ନ ଭାଗରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମୟ ସୀମାରେ ପରିବର୍ତ୍ତନ କରିଥିଲା । କିନ୍ତୁ ସମଗ୍ର ଦେଶରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ସମୟ ଅକ୍ଟୋବର ୧୫କୁ ସ୍ଥିର ରଖିଥିଲା । ତେବେ ଆଇଏମ୍ଡି ୨୦୨୦ରେ ମୌସୁମୀର ପ୍ରତ୍ୟାବର୍ତ୍ତନ ତାରିଖ ବଦଳାଇବାର କାରଣ ଜଳବାୟୁ ପରିବର୍ତ୍ତନ ବୋଲି ଦର୍ଶାଇଥିଲା । ଗତ ୧୦ ବର୍ଷ ହେଲା ମୌସୁମୀର ପ୍ରତ୍ୟାବର୍ତ୍ତନ ସମୟ ଆଇଏମ୍ଡି ଧାର୍ଯ୍ୟ କରିଥିବା ଅକ୍ଟୋବର ୧୫ ପରେ ମଧ୍ୟ ହେଉଥିବା ଦେଖାଯାଇଛି । ବର୍ତ୍ତମାନର ଏହି ଅଧ୍ୟୟନରେ ମୌସୁମୀ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିବା ଓ ବର୍ଷାର ପରିମାଣ ମଧ୍ୟରେ ସମ୍ପର୍କ ଉପରେ ଧ୍ୟାନ ଦିଆଯାଇଥିଲା । ସେଥିରେ କୁହାଯାଇଛି ବିଳମ୍ବ ମୌସୁମୀ ରବି ଫସଲ ପାଇଁ ଉପଯୋଗୀ ସାବ୍ୟସ୍ତ ହେବା ସହ ସୋରିଷ ଫସଲର ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାଏ ।