ଭୁବନେଶ୍ୱର,୧୩/୦୮ : ବେକାବୁ ହେଉଛି ମ୍ୟାଲେରିଆ । ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଉଛି । ଗତ ମାସରେ ରାୟଗଡ଼ା ଆବସିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଜୀବନ ଯାଇଥିଲା ବେଳେ ପୁଣି ଗତ ସପ୍ତାହରେ ରାୟଗଡ଼ାେରେ ଆଉ ଜଣେ ଛାତ୍ରଙ୍କ ଜୀବନ ନେଇଛି ମ୍ୟାଲେରିଆ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆଦିବାସୀ ଆବାସିକ ବିଦ୍ୟାଳୟ ଓ ଅନ୍ୟ ଆବାସିକ ବିଦ୍ୟାଳୟରେ ଚଳିତ ମାସରେ ୩ ଲକ୍ଷ ଔଷଧୀୟ ମଶାରୀ ବାଣ୍ଟିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ଓଡ଼ିଶା ରାଜ୍ୟ ଔଷଧ ନିଗମ ମଶାରୀ ଯୋଗାଇବ । ଜିଲ୍ଲାପାଳମାନେ ଏନେଇ ପଦକ୍ଷେପ ନେବେ ।
ସୂଚନା ଅନୁଯାୟୀ, ବର୍ତ୍ତମାନ ୯ ଜିଲ୍ଲାର ଆସିବାସୀ ଆବସିକ ବିଦ୍ୟାଳୟକୁ ୧୪ ହଜାର ମାଶାରୀ ଦିଆଯାଇଛି । ଯେଉଁ ବିଦ୍ୟାଳୟ ବାକି ରହିଛି ସେଠାରେ ମଶାରୀ ଦିଆଯିବ । ସ୍ୱାସ୍ଥ୍ୟ ବିଭାଗ ଏନେଇ ମାଇକ୍ରୋ ପ୍ଲାନ୍ କରିଛି । ଗଣଶିକ୍ଷା ଓ ଏସ୍ସି ଏସ୍ଟି ବିଭାଗର ସହଯୋଗ ଲୋଡିଛି । ରାଜ୍ୟ ସରକାର ଓଏମ୍ସିଏସ୍ ଦ୍ୱାରା ନିଜସ୍ୱ ଉଦ୍ୟମରୁ ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ୫୮ ଲକ୍ଷ ମଶାରୀ ବାଣ୍ଟିଛନ୍ତି ।
ରାଜ୍ୟରେ ୨୦୨୪ ମସିହାରେ ୬୮ ହଜାର ୬୯୩ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ । ହେଲେ ୨୦୨୫ ଜୁନ୍ ସୁଦ୍ଧା ୩୬ ହଜାର ୩୮୮ ରୋଗୀ ଚିହ୍ନଟ ହେଲେଣି । ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆହୁରି ୮ ମାସ ରହିଛି । ଯେଉଁ ଭଳି ଭାବରେ ମ୍ୟାଲେରିଆ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି, ଚଳିତ ବର୍ଷ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଗତବର୍ଷ ଅପେକ୍ଷା ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି । କଳାହାଣ୍ଡିରେ ଲୋକେ ଭୟଭୀତ ଅଛନ୍ତି । ଜୁନ୍ ସୁଦ୍ଧା ଜିଲ୍ଲାରେ ସର୍ବାଧିକ ୮ହଜାର ୨୯ଜଣ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲା ପଛକୁ ରହିଛି ରାୟଗଡ଼ା । ସେଠାରେ ୭ହଜାର ୮୧ ଜଣ ଚିହ୍ନଟ ହୋଇଛନ୍ତି । କନ୍ଧମାଳରେ ୪ହଜାର ୫୮୧ ଜଣ ଚିହ୍ନଟ ହୋଇଛନ୍ତି । ମାଲକାନାଗିରିରେ ୪ହଜାର ୨୪୩ ଓ କୋରାପୁଟରେ ୩ହଜାର ୯୯୬ ଚିହ୍ନଟ ହୋଇଛନ୍ତି ।