ଭୁବନେଶ୍ୱର,୧୩/୦୮ : ରାଜଧାନୀରେ ହୁହୁ ହୋଇ ବଢ଼ିଚାଲିଛି ଡେଙ୍ଗୁ। ମଙ୍ଗଳବାର ସୁଦ୍ଧା ଭୁବନେଶ୍ୱରରେ ୨୨୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଏବେ ୩୯୦ ରୋଗୀ ବାହାରିଲେଣି । ଦିନେ ଦୁଇଦିନ ମଧ୍ୟରେ ରୋଗୀ ସଂଖ୍ୟା ୪୦୦ ପାର କରିବ । ଏସବୁ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସଂଖ୍ୟା ବଢିବାରେ ଲାଗିଛି । ଗତ ଜାନୁଆରୀରୁ ନେଇ ଆଜି ପର୍ଯ୍ୟନ୍ତ ହସ୍ପିଟାଲରେ ୭୭ଜଣ ରୋଗୀଙ୍କ ଚିକିତ୍ସା ହୋଇସାରିଲାଣି । ଦୈନିକ ୨ରୁ ଅଧିକ ରୋଗୀ ଏଠାକୁ ଆସୁଥିବା ବେଳେ ଶଯ୍ୟା ମଧ୍ୟ ଅଣ୍ଟୁନି । ମଙ୍ଗଳବାର ହସ୍ପିଟାଲରେ ୧୧ ରୋଗୀ ଅଛନ୍ତି । ୬୬ ରୋଗୀ ଡିସଚାର୍ଜ ହୋଇଥିବା ହସ୍ପିଟାଲ ସୂତ୍ରରୁ ପ୍ରକାଶ । ଡେଙ୍ଗୁ ରୋଗୀ ବଢୁଥିବା ବେଳେ ହସ୍ପିଟାଲରେ ଅଧିକ ଶଯ୍ୟା ବ୍ୟବସ୍ଥା ପାଇଁ ରୋଗୀ ମହଲରେ ଦାବି ହୋଇଆସୁଛି ।
କ୍ୟାପିଟାଲ ହସ୍ପିଟାଲ ଉପରୁ ଚାପ କମାଇବା ପାଇଁ ଭୁବନେଶ୍ୱରରେ ଥିବା ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ ଶଯ୍ୟା ବିଶିଷ୍ଟ ଡେଙ୍ଗୁ ୱାର୍ଡ ରହିଛି । ହେଲେ ଲୋକେ ସେ ବିଷୟରେ କିଛି ଜାଣିପାରୁନାହାନ୍ତି । ଏବେ ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ, ପଟିଆ ୟୁପିଏଚସି ଓ ଆଇଆରସି ଭିଲେଜଲ ୟୁପିଏଚସିରେ ଡେଙ୍ଗୁ ପରୀକ୍ଷା କରାଯାଉଛି । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୭, କ୍ୟାପିଟାଲ ହସ୍ପିଟାଲରେ ସର୍ବାଧିକ ୧୯୦, ପଟିଆ ୟୁପିଏଚସିରେ ୧୦୬ ଓ ଆଇଆରସି ଭିଲେଜ ୟୁପିଏଚସିରେ ୪୫ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରେ ବାଳକାଟିରେ ୧୪, ବାଲିପାଟଣାରେ ୧୯, ବାଲୁଗାଁରେ ୪, ବାଣପୁରରେ ୪, ବାଙ୍କୋଇରେ ୩, ବୋତଲମାରେ ୫, ହଳଦିଆରେ ୧୦, ଜଟଣୀଗାଁରେ ୨, ଖୋର୍ଦ୍ଧାରେ ୧, ମେଣ୍ଢାଶାଳରେ ୧୮, ଟାଙ୍ଗିରେ ୪ ରୋଗୀ ରହିଛନ୍ତି । ଭୁବନେଶ୍ୱର ସହରର ପଟିଆରେ ୧୪, ପ୍ରଶାନ୍ତିବିହାରରେ ୧୪, ସାଲିଆସାହିରେ ୧୩ ଓ ଶିଖରଚଣ୍ଡି ନଗରରେ ସର୍ବାଧିକ ୧୬ ରୋଗୀ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।