ନୂଆଦିଲ୍ଲୀ,୧୩/୦୮: 'ଅପରେସନ୍ ସିନ୍ଦୂର'ରେ ଭାରତ ହାତରେ ପରାଜୟର ସାମ୍ନା କରିବା ପରେ ମଧ୍ୟ ପାକିସ୍ତାନ ତା'ର କାର୍ଯ୍ୟକଳାପ ବନ୍ଦ କରୁନାହିଁ । ଏତେ ସରି ହେବା ପରେ ବି ସୁଧୁରୁନି ଆତଙ୍କୀସ୍ତାନ । ପାକିସ୍ତାନ ସେନାମୁଖ୍ୟ ମୁନିର ଏବଂ ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ସିନ୍ଧୁ ଚୁକ୍ତିନାମା ଉପରେ ଭାରତକୁ ଧମକ ଦେଇଛନ୍ତି । ପାକିସ୍ତାନର ବୁନ୍ଦାଏ ପାଣି ଆମେ ଛାଡିବୁ ନାହିଁ । ଯଦି ଶତ୍ରୁ ଦେଶ ପାଣି ବନ୍ଦ କଲେ ତେବେ ଏମିତି ଶିକ୍ଷା ଦେବୁ ଯେ ସେମାନେ ଅନୁତାପ କରିବେ ।
ଶହବାଜ ସରିଫ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ,''ଭାରତକୁ ପାକିସ୍ତାନ ପାଣିର ଗୋଟିଏ ବୁନ୍ଦା ମଧ୍ୟ ଛଡ଼ାଇ ନେବାକୁ ଦିଆଯିବ ନାହିଁ । ଆଜି ମୁଁ ଶତ୍ରୁକୁ କହିବାକୁ ଚାହୁଁଛି ଯେ ଯଦି ତୁମେ ଆମର ପାଣି ବନ୍ଦ କରିବାକୁ ଧମକ ଦିଅ, ତେବେ ମନେରଖ ତୁମେ ପାକିସ୍ତାନର ପାଣିର ଗୋଟିଏ ବୁନ୍ଦା ମଧ୍ୟ ଛଡ଼ାଇ ନେଇପାରିବ ନାହିଁ । ଯଦି ଏପରି କୌଣସି କାର୍ଯ୍ୟ କରେ ତୁମକୁ ଏପରି ଶିକ୍ଷା ଦିଆଯିବ ଯେ ତୁମେ ଅନୁତାପ କରିବ ।''
ଖାଲି ଶହବାଜ ସରିଫ ନୁହନ୍ତି କିଛି ମାସ ଧରି ପାକିସ୍ତାନ ଭାରତ ବିରୋଧରେ ଲଗାତାର ଆକ୍ରମଣାତ୍ମକ ବୟାନ ଏବଂ ଧମକ ଦେଇ ଚାଲିଛନ୍ତି । ନିକଟରେ ଆମେରିକାରୁ ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନୀର ପରମାଣୁ ଧମକ ଦେଇଥିଲେ । ଯାହାର କଡ଼ା ଜବାବ ଦେଇଥିଲା ଭାରତ । ସେ କହିଥିଲେ ଯେ, ଆମେ ବୁଡ଼ିଲେ ଅଧା ବିଶ୍ୱକୁ ନେଇ ବୁଡ଼ିବୁ । ଭାରତ ପାଣି ବନ୍ଦ କଲେ ପାକିସ୍ତାନ କ୍ଷେପଣାସ୍ତ୍ର ମାଡ଼ କରି ଭାରତକୁ ଧ୍ୱଂସ କରିଦେବ ।
ବିଲାୱଲ ଭୁଟ୍ଟୋ ଦେଇଥିଲେ ଧମକ- ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ମଧ୍ୟ ଭାରତକୁ ଯୁଦ୍ଧର ଚେତାବନୀ ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ବିଲାୱଲ କହିଛନ୍ତି, "ଯଦି ଭାରତ ସିନ୍ଧୁ ଚୁକ୍ତିକୁ ପୁନରୁଦ୍ଧାର ନ କରେ, ତେବେ ଏହା ସେମାନଙ୍କର ଇତିହାସ, ସଂସ୍କୃତି ଏବଂ ସଭ୍ୟତା ଉପରେ ଆକ୍ରମଣ । ଭାରତର ଜଳ ନୀତି ଆକ୍ରମଣାତ୍ମକ ଏବଂ ଏହା ପାକିସ୍ତାନକୁ ପାଣିରୁ ବଞ୍ଚିତ କରିବାର ଏକ ଷଡ଼ଯନ୍ତ୍ର । ଯୁଦ୍ଧ ହେଲେ, ପାକିସ୍ତାନର ଲୋକମାନେ ଭାରତକୁ ସାମ୍ନା କରିବାକୁ ପ୍ରସ୍ତୁତ ଏବଂ "ଛଅଟି ନଦୀକୁ ଫେରାଇ ଆଣିପାରିବେ । ଆମେ ମୋଦି ସରକାରଙ୍କୁ ଏକ ବାର୍ତ୍ତା ପଠାଇଛୁ ଯେ ଆମେ କୌଣସି ପରିସ୍ଥିତିରେ ପଛକୁ ହଟିବୁ ନାହିଁ, ନଇଁବୁ ନାହିଁ। "
ପାକିସ୍ତାନ ଧମକରେ ଭାରତର ଜବାବ- ପାକିସ୍ତାନର ଏହି ଧମକର କଡ଼ା ଜବାବ ଦେଇଛି ଭାରତ। ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜସୱାଲ କହିଛନ୍ତି, "ପରମାଣୁ ଅସ୍ତ୍ର ଧମକ ଦେବା ପାକିସ୍ତାନର ଅଭ୍ୟାସ । ଭାରତ କୌଣସି ପରମାଣୁ ବ୍ଲାକମେଲ୍ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଏବଂ ଏହାର ଜାତୀୟ ସୁରକ୍ଷାକୁ ରକ୍ଷା କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବ । ଏପରି ଦାୟିତ୍ୱହୀନ ମନ୍ତବ୍ୟ ପାକିସ୍ତାନର ପରମାଣୁ କମାଣ୍ଡ ଏବଂ ନିୟନ୍ତ୍ରଣର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଉଛି ।