ସୋର,୧୩/୦୯: ବାଇକରୁ ଓହ୍ଲାଇଲା ବେଳେ ଛାତିରେ ଯନ୍ତ୍ରଣା ହେବାରୁ ଚାଳିଗଲା ଯୁବକଙ୍କ ଜୀବନ । ମୃତକ ଶଙ୍ଖୁଆ ସାହିର ତ୍ରିଲୋଚନ ଓଝା ଏବଂ ସେ ଜଣେ ଅଟୋ ଚାଳକ ବୋଲି ଜଣାପଡ଼ିଛି । ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଶରସଙ୍ଖ ପଞ୍ଚାୟତ ଶଙ୍ଖୁଆ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ମୁତାବକ, ତ୍ରିଲୋଚନ ଓଝା ଘରୁ ଅଡ଼ଙ୍ଗ ବଜାର ଆସିଥିଲେ । ବଜାରରେ ବାଇକରୁ ଓହ୍ଲାଇବା ବେଳେ ଛାତିରେ ଯନ୍ତ୍ରଣା ହେବାରୁ ସେଠାରେ ହିଁ ଟଳି ପଡ଼ିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତାଙ୍କୁ ତୁରନ୍ତ ସୋର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏହି ଦୁଃଖଦ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ ତ୍ରିଲୋଚନଙ୍କ ସ୍ତ୍ରୀ । ଖବର ପାଇ ତାଙ୍କ ସ୍ତ୍ରୀ ଡାକ୍ତରଖାନାରେ ପହଞ୍ଚି କାନ୍ଦି କାନ୍ଦି ତଳେ ଲୋଟି ପଡ଼ି କହୁଥିଲେ ଯେ, ସଞ୍ଜ ଦେଲା ବେଳେ ମୋ ହାତରୁ ଦ୍ବୀପ ଲିଭିଗଲା । ମୃତ ତ୍ରିଲୋଚନ ଗାଁ ଯାତ୍ରାରେ ଭଲ ଅଭିନୟ କରିବା ସହ ଗୀତ ମଧ୍ୟ ଗାଆନ୍ତି । ପରେ ଏହି ଘଟଣା ସମ୍ବନ୍ଧରେ ଖବର ପାଇ ସୋର ସିଡ଼ିପିଓ ଓ ସୁପରଭାଇଯର ଶେଷ ଦର୍ଶନ କରିଥିଲେ ।