ଭୁବନେଶ୍ବର,୨୯/୧୨: ଦୀର୍ଘଦିନ ହେବ ରାଜ୍ୟରେ କିଛି ଅଦରକାରୀ ଆଇନ ରହିଛି । ଯାହା ରାଜ୍ୟବାସୀଙ୍କ କୌଣସି କାମରେ ଲାଗୁନାହିଁ । ଏବେ ନବଗଠିତ ଆଇନ ଆୟୋଗ (ଲ’ କମିସନ) ଏହି ଅଦରକାରୀ ଆଇନଗୁଡ଼ିକୁ ଖୋଜିବ । ସୁଶାସନ ପ୍ରତିଷ୍ଠା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଏହି ଆୟୋଗରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି, ରାଜ୍ୟକୁ ଆଇନ ଆୟୋଗ ଆବଶ୍ୟକ ଥିଲା ।
୨୦୧୮ ମସିହା ପରଠୁ ଏହା ଗଠନ କରିବାକୁ ରାଜ୍ୟ ସରକାର ଉଚିତ ମଣି ନ ଥିଲେ । ଏବେ ଏହି ଆୟୋଗ ରାଜ୍ୟର ବିଭିନ୍ନ ନୀତି ନିୟମର ତର୍ଜମା କରିବ । ଦରକାରୀ ନିୟମର ଆବଶ୍ୟକ ଥିବା ସଂଶୋଧନ କରାଯିବ । ଅନାବଶ୍ୟକ ଆଇନକୁ ଖୋଜି ବାହାର କରାଯିବ । ଏହାର ତର୍ଜମା କରି ରାଜ୍ୟ ସରାକରଙ୍କୁ ସୁପାରିସ କରିବେ ଆୟୋଗ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହା ଉପରେ ଉପଯୁକ୍ତ ନିଷ୍ପତ୍ତି ନେବେ । କେନ୍ଦ୍ର ଢାଞ୍ଚାରେ ରାଜ୍ୟରେ ଏହା ଆବଶ୍ୟକ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆୟୋଗ ଗଠିତ ହୋଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ନୂଆବର୍ଷଠାରୁ ତୋଷାଳି ପ୍ଲାଜାରେ ଏହି ଆୟୋଗ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି