ଛତ୍ରପୁର/ଖଲିକୋଟ, ୨୯/୧୧: ଜିଏସଟି ଫାଙ୍କି ବ୍ରହ୍ମପୁରରୁ କୋଲକାତାକୁ ରୁପା ଇଟା ଚାଲାଣ ବେଳେ ଧରିଲା ଖଲ୍ଲିକୋଟ ପୋଲିସ । ଚେକିଂ ବେଳେ ଗୋଟିଏ କାରରୁ ୭୩ ଟି ରୁପା ଇଟା ସହିତ ନଗଦ ୫ ଲକ୍ଷ ୪୨ ହଜାର ୬୦୦ଟଙ୍କା ଜବତ କଲା ପୋଲିସ । ରୁପା ଇଟାର ଓଜନ ୮୮ କିଲୋଗ୍ରାମ ଏବଂ ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ବୋଲି ଜଣା ପଡ଼ିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ଜଣ ଆସମୀଙ୍କୁ ଗିରଫ କରଯାଇଛି । ଦୁଇ ବ୍ୟବସାୟୀ ପଶ୍ଚିମବଙ୍ଗ ହୁବୁଳି ଅଞ୍ଚଳର ଅରୁପ ଭୂୟାଁ ଓ ଭୂଦେବ ଚୋକ ଅଞ୍ଚଳର ଉଦିପ ସାଙ୍କି ବୋଲି ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲା କେଶପୁର ଛକ ଠାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଗୁରୁବାର ବିଳମ୍ୱିତ ରାତିରେ ଖଲ୍ଲିକୋଟ ପୋଲିସ ୧୬ ନମ୍ବର ଜାତୀୟ ରାଜପଥର ଗାଡି ଯାଞ୍ଚ କରୁଥିବା ବେଳେ ସନ୍ଦେହରେ ଗୋଟିଏ କାରକୁ ଅଟକ ରଖି ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଉକ୍ତ ଗାଡ଼ିରୁ ୭୩ ଟି ରୁପା ଇଟା ସହିତ ନଗଦ ୫ ଲକ୍ଷ ୪୨ ହଜାର ୬୦୦ଟଙ୍କା ଜବତ କରାଯାଇଥିଲା । ଉକ୍ତ ରୁପାର ଓଜନ ୮୮ କିଲୋଗ୍ରାମ ଏବଂ ଏହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ । ଯୁବକ ଦ୍ୱୟ ଉକ୍ତ ରୁପାକୁ ନେଇ ବ୍ରହ୍ମପୁରରୁ କୋଲକାତାକୁ ଚାଲାଣ କରୁଥିଲେ । ସମସ୍ତ ରୁପା ଏବଂ ନଗଦ ଟଙ୍କାକୁ ଜବତ କରିଛି ପୋଲିସ । ତେବେ ଜିଏସଟି ଫାଙ୍କିବା ପାଇଁ ଏସବୁକୁ ଲୁଚାଇ ନେଉଥିଲେ । ପରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଗୁଇନ୍ଦା ଟିମ୍କୁ ହସ୍ତାନ୍ତର କରିଛି ଖଲ୍ଲିକୋଟ ପୋଲିସ ।