ଝାରସୁଗୁଡ଼ା,୨୨/୦୮: ଓଡ଼ିଶାରେ ଉତ୍ପାଦିତ ହସ୍ତତନ୍ତ ବସ୍ତ୍ରର ସ୍ୱତନ୍ତ୍ର ଚାହିଦା ରହିଛି । ପ୍ରତିବର୍ଷ ରାଜ୍ୟର ହସ୍ତତନ୍ତ ବସ୍ତ୍ର ବାହାର ରାଜ୍ୟ ଏବଂ ବିଦେଶକୁ ରପ୍ତାନୀ ହେଉଛି । ସେଥିରୁ ରାଜ୍ୟର ବୁଣାକାର ଆର୍ଥିକ ଲାଭ ପାଇ ପାରୁଛନ୍ତି । ଖାସ୍କରି ସମ୍ବଲପୁରୀ ବସ୍ତ୍ରର ଚାହିଦା ଅନ୍ତର୍ଜାତୀୟ ବଜାରରେ ରହିଥିବାରୁ ଏହା ରାଜ୍ୟକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ରାଜ୍ୟରେ ହସ୍ତତନ୍ତ ବସ୍ତ୍ରର ଉତ୍ପାଦନ ବୃଦ୍ଧି ପାଉଛି । ରପ୍ତାନୀ ମଧ୍ୟ ବଢୁଛି । ମାତ୍ର ଝାରସୁଗୁଡ଼ା ଜିଲ୍ଲାରେ ଏହାର ଚିତ୍ର କିଛିଟା ଅଲଗା । ଜିଲ୍ଲାରେ ଗତ ୫ ବର୍ଷର ହସ୍ତତନ୍ତ ବସ୍ତ୍ର ଉତ୍ପାଦନ ହ୍ରାସ ପାଇଛି । ଏହା ଜିଲ୍ଲାରେ ହସ୍ତତନ୍ତ ବସ୍ତ୍ର ଉତ୍ପାଦନକାରୀ ତଥା ବୁଣାକାରଙ୍କୁ ନିରୁତ୍ସାହିତ କରୁଛି ।
ବିଧାନସଭାରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏ ସମ୍ପର୍କିତ ତଥ୍ୟ ରଖିଛନ୍ତି । ୨୦୧୯-୨୦ ମସିହାରେ ରାଜ୍ୟ ବାହାରେ ୧୧ କୋଟି ୩ ଲକ୍ଷ ୪୫ ହଜାର ଟଙ୍କାର ହସ୍ତତନ୍ତ ବସ୍ତ୍ର ବିକ୍ରି ହୋଇଥିଲା । ୨୦୨୩-୨୪ ବେଳକୁ ଏହା ବୃଦ୍ଧି ପାଇ ୧୨ କୋଟି ୩ ଲକ୍ଷ ୭୬ ହଜାର ଟଙ୍କାରେ ପହଞ୍ଚିଛି । ସେହିପରି ଗତ ୫ ବର୍ଷରେ ରାଜ୍ୟରୁ ବିଦେଶକୁ ରପ୍ତାନୀ ପରିମାଣ ମଧ୍ୟ ବଢ଼ିଛି । ୨୦୧୯-୨୦ରେ ୧ କୋଟି ୧୫ ଲକ୍ଷ ୪୨ ହଜାର ଟଙ୍କାର ରପ୍ତାନୀ ହୋଇଥିବାବେଳେ ୨୦୨୩-୨୪ରେ ଏହା ୨ କୋଟି ୫୦ ଲକ୍ଷକୁ ବୃଦ୍ଧି ପାଇଛି । ମାତ୍ର ଝାରସୁଗୁଡ଼ା ଜିଲ୍ଲାରେ ଗତ ୫ ବର୍ଷରେ ହସ୍ତତନ୍ତ ବସ୍ତ୍ର ଉତ୍ପାଦନ ନିରୁତ୍ସାହଜନକ । ୨୦୧୯- ୨୦ ମସିହାରେ ୦.୨୭୮ ଲକ୍ଷ ବର୍ଗ ମିଟର ହସ୍ତତନ୍ତ ବସ୍ତ୍ର ଉତ୍ପାଦିତ ହୋଇଥିଲା । ଯାହାର ମୂଲ୍ୟ ୩୩ ଲକ୍ଷ ୫୩ ହଜାର ୫ ଶହ ଟଙ୍କା । ଏହିକ୍ରମରେ ୨୦୨୦- ୨୧ରେ ୦.୨୨୭ ଲକ୍ଷ ବର୍ଗ ମିଟର (୨୭.୦୭୮ ଲକ୍ଷ ଟଙ୍କା), ୨୦୨୧-୨୨ରେ ୦.୨୦୫ ଲକ୍ଷ ବର୍ଗ ମିଟର (୩୩.୧୮୦ ଲକ୍ଷ ଟଙ୍କା), ୨୦୨୨-୨୩ରେ ୦.୧୦୪ ଲକ୍ଷ ବର୍ଗ ମିଟର (୩୪.୮୬୦ ଲକ୍ଷ ଟଙ୍କା) ଉତ୍ପାଦିତ ହୋଇଛି । ତେବେ ୨୦୨୩- ୨୪ ବର୍ଷରେ ଏହା ୦.୦୯୪ ଲକ୍ଷ ବର୍ଗ ମିଟରକୁ ହ୍ରାସ ପାଇଛି । ଅର୍ଥାତ୍ ଉତ୍ପାଦିତ ମୂଲ୍ୟ ୨୭ ଲକ୍ଷ ୩ ହଜାର ୫ ଶହକୁ କମିଆସିଛି । ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତ୍ତରରେ ରାଜ୍ୟରେ ସମୁଦାୟ ୧ ଲକ୍ଷ ୨୬ ହଜାର ୮୭୩ ଜଣ ବୁଣାକାର ରହିଛନ୍ତି ।
ସେମାନେ ବାର୍ଷିକ ପ୍ରାୟ ୧୯୮.୪୬ ଲକ୍ଷ ବର୍ଗ ମିଟର ହସ୍ତତନ୍ତ ବସ୍ତ୍ର ଉତ୍ପାଦନ କରୁଛନ୍ତି । ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ୬୫୯ ଜଣ ହସ୍ତତନ୍ତ ବୁଣାକାର ରହିଛନ୍ତି । ସମ୍ବଲପୁରୀ ବସ୍ତ୍ରର ବୁଣାକାର ଜିଲ୍ଲାରେ ରହିଥିବା ବେଳେ ଆବଶ୍ୟକ ପ୍ରୋତ୍ସାହନର ଅଭାବ ଏମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରି ଚାଲିଛି । ଆବଶ୍ୟକ କଞ୍ଚାମାଲ ଯୋଗାଇବା, ତାଲିମ ଓ ଉତ୍ପାଦିତ ସାମଗ୍ରୀର ଉତ୍ତମ ବଜାର ବ୍ୟବସ୍ଥାର ଅଭାବ ଝାରସୁଗୁଡ଼ା ଭଳି ଜିଲ୍ଲାରେ ହସ୍ତତନ୍ତ ବସ୍ତ୍ର ଉତ୍ପାଦନ ହ୍ରାସର ପ୍ରମୁଖ କାରଣ ବୋଲି ବିବେଚନା କରାଯାଉଛି । ବସ୍ତ୍ର ବୁଣିବା ଭଳି କୌଳିକ ବୃତ୍ତିରୁ ଯୁବ ପିଢ଼ି ଦୂରେଇବାରେ ଲାଗିଛନ୍ତି । ଏଥିପ୍ରତି ବିଶେଷ ଦୃଷ୍ଟି ନ ପଡ଼ିଲେ ଝାରସୁଗୁଡ଼ା ଜିଲ୍ଲାରେ ଲୁଗା ବୁଣା ଆହୁରି ହ୍ରାସ ପାଇବ ବୋଲି ବୁଦ୍ଧିଜୀବୀ ଆଶଙ୍କା ବ୍ୟକ୍ତ କରିଛନ୍ତି