ନୂଆଦିଲ୍ଲୀ, ୨୭/୧୧ : ଆଇପିଏଲ୍ ୨୦୨୫ର ମେଗା ଅକ୍ସନରେ ପ୍ରାୟ ୧୮୨ଖେଳାଳୀ ବିକ୍ରି ହୋଇଛନ୍ତି । ଯାହାଙ୍କ ଊପରେ ପ୍ରାୟ ୬୩୯.୧୫କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଋଷଭ ପନ୍ତ, ଶ୍ରେୟସ ଅୟର ଏବଂ ଭେଙ୍କଟେଶ ଅୟରଙ୍କ ଭଳି ଖେଳାଳୀ କୋଟିରେ ବିକ୍ରି ହୋଇଛନ୍ତି । ଯାହାକି ପୃଥ୍ବୀ ଶ ଏବଂ ଶାର୍ଦୁଳ ଠାକୁରଙ୍କ ଭଳି ବଡ଼ ନାଁ ଅନସୋଲ୍ଡ ରହିଛନ୍ତି । ପୃଥ୍ବୀ ଶଙ୍କ ଅନସୋଲ୍ଡ ହେବା ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଉପରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଏବଂ ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍ ରିକି ପଣ୍ଟିଂ ନିଜ ପ୍ରତିକ୍ରିୟା ଦେଇଛନ୍ତି ।
ରିକି ପଣ୍ଟିଂ ପୃଥ୍ବୀ ଶଙ୍କ ବିଷୟରେ କହିଛନ୍ତି, ମୁଁ ଯେଉଁ ଖେଳାଳୀଙ୍କ ସହ କାମ କରିଛି ସେମାନଙ୍କ ମଧ୍ୟରୁ ପୃଥ୍ବୀ ସବୁଠାରୁ ଟ୍ୟାଲେଣ୍ଟେଡ ଖେଳାଳୀ ଥିଲେ । କିନ୍ତୁ ଏହା ଦୁଃଖଦ ଅଟେ କି ସେ ଅନସୋଲ୍ଡ ରହିଛନ୍ତି ଏବଂ ପରେ ତାଙ୍କ ନାଁ ଏକ୍ସିଲେଟର ରାଉଣ୍ଡରେ ବି ଆସିନାହିଁ । କେତେକ ଟିମ୍ ତାଙ୍କ ଉପରେ ନଜର ରଖିଥିଲେ । କିନ୍ତୁ ନିକଟରେ ସେ ଖେଳକୁ ସମ୍ମାନ ଦେଇନଥିଲେ ଯାହାର ଆବଶ୍ୟକତା ଥିଲା । ଖେଳ ସବୁବେଳେ ଆପଣଙ୍କୁ ଶିକ୍ଷା ଦେଇଥାଏ । ରିକି ପଣ୍ଟିଂ ଏକ ସାକ୍ଷାତକାରରେ ଏହା କହିଛନ୍ତି ।
ପୃଥ୍ବୀ ଶ ଟେଷ୍ଟ ଡେବ୍ୟୁରେ ଶତକ ଲଗାଇ ଭାରତୀୟ୍ର କ୍ରିକେଟରେ ନିଜର ଛାପ ଛାଡ଼ିଛନ୍ତି । କିନ୍ତୁ ବାରମ୍ବାର ଖରାପ ଫର୍ମ ଏବଂ ଫିଟନେଶ ସମସ୍ୟା କାରଣରୁ ତାଙ୍କୁ ଭାରତୀୟ ଟିମରୁ ବାହାରିବାକୁ ପଡ଼ିଛି । ଆଇପିଏଲ୍ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଇଂ ଇଲେଭେନରୁ ଶଙ୍କୁ ବାହାର କରାଯିବା ଏବଂ ନିକଟରେ ମୁମ୍ବାଇ ରଣଜୀ ଟିମରୁ ବାହାରିବା ତାଙ୍କ କ୍ୟାରିୟର ଲାଗି ବଡ଼ ଝଟକା ଥିଲା । ଏହା ବ୍ୟତୀତ ରିକି ପଣ୍ଟିଂ ଶାର୍ଦ୍ଦୁଳ ଠାକୁରଙ୍କୁ ନେଇ ବି ବୟାନ ଦେଇଛନ୍ତି । ସେ କହିଛନ୍ତି, କେବଳ ଦୁଇ ବର୍ଷ ପୂର୍ବରୁ ଆମେ ଶାର୍ଦୁଳଙ୍କ ଉପରେ ୧୦କୋଟି ଟଙ୍କା ଖର୍ଚ୍ଚ କରିଥିଲୁ । କିନ୍ତୁ ଏବେ ସେ ଅନସୋଲ୍ଡ ଅଛନ୍ତି । ଏଥିରୁ ସାବ୍ୟସ୍ତ ହେଉଛି କି କ୍ରିକେଟରେ ସଫଳତା କେବଳ ଟ୍ୟାଲେଣ୍ଟରେ ନୁହେଁ ବରଂ ନିରନ୍ତରତା ଏବଂ ଅନୁଶାସନ ଉପରେ ବି ନିର୍ଭର କରିଥାଏ ।