ନୂଆଦିଲ୍ଲୀ, ୨୬/୧୧ : ଟି-୨୦କ୍ରିକେଟ କହିଲେ ଫଟାଫଟ ଫର୍ମାଟକୁ ବୁଝାଏ । ରନର ପାହାଡ଼ ଛିଡ଼ା ହୁଏ ଷ୍ଟାଡିୟମରେ । ଦର୍ଶକମାନେ ବି ଏହାର ଭରପୁର ମଜା ଉଠାଇଥାନ୍ତି । ଏହାରି ଭିତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିବା ମାତ୍ରକେ ଆପଣ କହିବେ ଏହା କ’ଣ ସତ । ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ କେବଳ ୭ରନରେ ଅଲଆଉଟ ହୋଇଗଲେ ଟିମ୍ । ଆଜ୍ଞା ଏହା ହେଉଛି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚର ସବୁଠାରୁ କମ୍ ସ୍କୋର୍ ବୋଲି କୁହାଯାଉଛି ।
ଏହି ମ୍ୟାଚ୍ ଟି-୨୦ ବିଶ୍ବକପ୍ ଆଫ୍ରିକା ଉପ ଆଞ୍ଚଳିକ କ୍ବାଲିଫାୟର ୨୦୨୪ରେ ହୋଇଛି । କ୍ବାଲିଫାୟର ଲାଗି ପଞ୍ଚମ ମ୍ୟାଚ୍ ନାଇଜେରିଆ ଏବଂ ଆଇବରୀ କୋଷ୍ଟ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଲକ୍ଷର ପିଛା କରି ଓହ୍ଲାଇଥିବା ଆଇବରୀ କୋଷ୍ଟର ଟିମ୍ ୭.୩ଓଭରରେ କେବଳ ୭ରନରେ ଅଲଆଉଟ ହୋଇଯାଇଥିଲା । ଏହା ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ସବୁଠାରୁ କମ୍ ସ୍କୋର ।
ଏହା ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟରେ ସବୁଠାରୁ କମ୍ ସ୍କୋର କରିଥିବା ରେକର୍ଡ଼ ମଙ୍ଗୋଲିଆ ଏବଂ ଆଇଲ ଅଫ ମ୍ୟାନଙ୍କ ନାରେ ରହିଛି । ଉଭୟ ଟିମ୍ ଟି-୨୦ ଅନ୍ତର୍ଜାତୀୟରେ ୧୦-୧୦ରନର ସ୍କୋରରେ ଅଲଆଉଟ ହୋଇସାରିଛନ୍ତି । କିନ୍ତୁ ଏହା ଟି-୨୦ଅନ୍ତର୍ଜାତୀୟ କ୍ରିକେଟର ଇତିହାସରେ ପ୍ରଥମ ଏଭଳି ଘଟଣା ଯାହାକି କୌଣସି ଟିମ୍ ସିଙ୍ଗଲ୍ ଡିଜିଟ ସ୍କୋରରେ ଅଲଆଉଟ ହୋଇଯାଇଛି ।