ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ଲାଗି ଜେଦାରେ ଅନୁଷ୍ଠିତ ହୋଇଥିବା ମେଗା ଅକ୍ସନକୁ ନେଇ ଚର୍ଚ୍ଚା ଲାଗି ରହିଛି । ଦୁଇ ଦିନିଆ ଅକ୍ସନରେ ସବୁଠୁ ଅଧିକ ୨୭ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି ଋଷଭ ପନ୍ତ । ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ଅଧିନାୟକ ଋଷଭ ପନ୍ତଙ୍କୁ କ୍ରୟ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲଏସ୍ଜି) । କିନ୍ତୁ ସବୁଠୁ ବଡ଼ କଥା ହେଉଛି, ଆଗାମୀ ଆଇପିଏଲରେ ଋଷଭ ପନ୍ତଙ୍କୁ ସବୁତକ ଟଙ୍କା ମିଳିବ ନାହିଁ । ତାଙ୍କୁ ମିଳିବାକୁ ଥିବା ୨୭ କୋଟି ଟଙ୍କାରୁ କେତେ ଭାଗ ଟ୍ୟାକ୍ସ ଆକାରରେ କଟିଯିବ । ମିଳିଥିବା ସୂଚନା ଅନୁସାରେ, ଟ୍ୟାକ୍ସ ବାବଦରେ ୮.୧ କୋଟି ସରକାରଙ୍କୁ ଦେବେ ଋଷଭ ପନ୍ତ । ଫଳରେ ତାଙ୍କୁ ଆଇପିଏଲ ୨୦୨୫ରୁ ୧୮.୯ କୋଟି ଟଙ୍କା ହିଁ ମିଳିବ ।
ଇଏ ତ ଥିଲା ଟ୍ୟାକ୍ସ କଟିଲା ପରେ ପନ୍ତଙ୍କୁ କେତେ ଟଙ୍କା ମିଳିବ । କିନ୍ତୁ ସେ ଯଦି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆହତ ହୋଇଯାଆନ୍ତି ତେବେ ତାଙ୍କୁ କଣ ସବୁ ଟଙ୍କା ମିଳିବ ? ଭାରତୀୟ ଟିମ୍ରେ ଯଦି କେଉଁ ଖେଳାଳି ଆହତ ହୁଅନ୍ତି ତେବେ ତାଙ୍କୁ ପୁରା ଟଙ୍କା ମିଳେ । ବିସିସିଆଇ ଖେଳାଳିଙ୍କ ଲାଗି ବୀମା କରିଥାଏ । ଆଇପିଏଲରେ ଖେଳାଳି ଆହତ ହେଲେ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ଟିମ୍ରେ ସାମିଲ କରାଯାଏ ।
ଋଷଭ ପନ୍ତ ଏବେ ବର୍ଡର ଗାଭାସ୍କର ଟ୍ରଫି ଲାଗି ଅଷ୍ଟ୍ରେଲିଆରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଐତିହାସିକ ବିଜୟ ହାସଲ କରିଛି ଭାରତୀୟ ଦଳ । ସିରିଜ୍ର ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୬ରେ ଏଡିଲେଡ୍ର ଓଭାଲରେ ଖେଳାଯିବ । ସେପଟେ ପନ୍ତଙ୍କ ଆଇପିଏଲ କ୍ୟାରିୟରକୁ ଦେଖିଲେ, ସେ ଜଣେ ଲୋକପ୍ରିୟ ପ୍ଲେୟାର । ସେ ୧୧୧ଟି ମୁକାବିଲା ଖେଳିଛନ୍ତି । ୧୧୦ଟି ପାଳିରେ ବ୍ୟାଟିଂ କରି ଋଷଭ ପନ୍ତ ୩୫.୩୧ ଆଭରେଜ୍ ସହ ୩୨୮୪ ରନ୍ କରିଛନ୍ତି । ଏହି ସମୟରେ ସେ ଗୋଟିଏ ଶତକ(୧୨୮*) ଏବଂ ୧୮ଟି ଅର୍ଦ୍ଧଶତକ କରିଛନ୍ତି । ୨୦୧୬ରେ ଋଷଭ ପନ୍ତ ଆଇପିଏଲ୍ରେ ଡେବ୍ୟୁ କରିଥିଲେ । ସେ ୨୦୧୬ରୁ ୨୦୨୪ ଯାଏଁ ଦିଲ୍ଲୀ କ୍ୟାପିଟାଲ୍ସ ଲାଗି ଖେଳିଥିଲେ । କିନ୍ତୁ ଏଥର ଠିକଣା ବଦଳିଛି ଏବଂ ପନ୍ତ ଲକ୍ଷ୍ନୌ ପାଇଁ ଖେଳିବେ ।