ନୀଳଗିରି,୯/୧୧ : ଶୁଦ୍ଧି କ୍ରିୟାବେଳେ ଅଘଟଣ। କାନ୍ଥ ପଡ଼ି ୫ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାଠଗୋଛି ଅଞ୍ଚଳରେ ।
ସୂଚନାଯୋଗ୍ୟ ଯେ, ନୀଳଗିରି ବ୍ଲକ କେପିଲାଖରାଜ ପଞ୍ଚାୟତ କାଠଗୋଛି ନୂଆସାହି ଗ୍ରାମର ବୁଦ୍ଧିଆ ସିଂଙ୍କର ଶୁଦ୍ଧି କର୍ମ ପାଇଁ ବନ୍ଧୁବାନ୍ଧବ ଘରକୁ ଆସିଥିଲେ। ଆଜି ଦଶାହ କର୍ମ ପରେ ପରିବାରଙ୍କ ସମେତ ବନ୍ଧୁ ବାନ୍ଧବ ସମସ୍ତେ ଘରେ ବସି କଥା ହେଉଥିଲେ। ବାତ୍ୟା ପ୍ରଭାବରେ ବର୍ଷା କାରଣରୁ ଚାଳ ଛପର ଦେଇ କାନ୍ଥ ଓଦା ହୋଇଥିଲା। ଆଜି ଅପରାହ୍ନ ସମୟରେ ହଠାତ କାନ୍ଥଟି ଗଡି ପଡି ପିଣ୍ଡାରେ ବସିଥିବା ଲୋକଙ୍କ ଉପରେ ପଡି ଯାଇଥିଲା। କାନ୍ଥ ତଳେ ୧୦ ମାସର ଶିଶୁକନ୍ୟା ସମେତ ୫ ଜଣ ଚାପି ହୋଇଯାଇଥିଲେ। ପାଖରେ ଥିବା ସମ୍ପର୍କୀୟ କାନ୍ଥ ଉଠାଇ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଗୁରୁତରମାନେ ହେଲେ ରେମୁଣା ବ୍ଲକ କାଦଗୁରୁନିଆ ଗ୍ରାମର ଭଜଣା ବୋହୁ ସୁକାନ୍ତି ସିଂ,ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ଭାଣିଜୀ ସମ୍ବାରୀ ସିଂ ଓ ତାଙ୍କ ୮ ବର୍ଷୀୟ ଝିଅ ସନ୍ଧ୍ୟାରଣୀ,ଉଦଳା ଡମ୍ବରୁଡ଼ିହି ଅଞ୍ଚଳର ଭାଣିଜୀ ପ୍ରମିଳା ସିଂ ଓ ତାଙ୍କର ୧୦ ମାସର ଶିଶୁକନ୍ୟା ସନ୍ଧ୍ୟାରଣୀ।ସୁକାନ୍ତି ଓ ଗାୟତ୍ରୀ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।