ପ୍ରମୂଖ ଖବର
  • ମୃତ୍ୟୁ ସହ ରାଇଘର ନର୍ସିଂ ଛାତ୍ରୀଙ୍କ ସଂଘର୍ଷ, ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର, ମୁଖ୍ୟ ଅଭିଯୁକ୍ତ ଦଶପଲ୍ଲାରୁ ଗିରଫ
  • ||
  • ପାକିସ୍ତାନରେ ଭୟଙ୍କର ବନ୍ୟା ସ୍ଥିତି, ମୌସୁମୀ ଜନିତ ବର୍ଷା ମୃତ୍ୟୁ ସଂଖ୍ୟା ୨୩୪କୁ ବୃଦ୍ଧି, ପଞ୍ଜାବ ପ୍ରଦେଶ ସର୍ବାଧିକ ପ୍ରଭାବିତ
  • ||
  • ବ୍ରିଟେନରେ ପିଏମ୍ ମୋଦି, ଭାରତ-UK ଏଫ୍‌ଟିଏରେ ବାଜିବ ମୋହର, ଦ୍ୱିପାକ୍ଷିକ କାରବାର ୨.୯୭ ଲକ୍ଷ କୋଟି ଛୁଇଁବା ଆଶା
  • ||
  • ଓଡ଼ିଶା ଇତିହାସରେ ପ୍ରଥମ: ଡାର୍କୱେବ୍‌ରେ ୟୁରୋପରୁ ମଗାଇଥିଲା ଡ୍ରଗ୍ସ, ମୈତ୍ରୀବିହାରରୁ ଇଂଜିନିୟରିଂ ଛାତ୍ର ଗିରଫ
  • ||
  • ଚିତାଲାଗି ଅମାବାସ୍ୟା: ଆଜି ଶ୍ରୀବିଗ୍ରହଙ୍କୁ ଲାଗି ହେବ ରତ୍ନଚିତା, ଅପରାହ୍ଣ ସାଢ଼େ ୨ଟାରୁ ଦର୍ଶନ କଟକଣା
  • ||
  • ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ, ୩ ଦିନ ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ୟୁରୋପୀୟ ସଂଘର କଟକଣାକୁ ନେଇ ଭାରତର ପ୍ରତିକ୍ରିୟା : 'ଶକ୍ତି ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା'

Published By : Rasmita Pradhan | July 23, 2025 12:49 PM

ନୂଆଦିଲ୍ଲୀ,୨୩/୦୭ : ୟୁକ୍ରେନ ଯୁଦ୍ଧକୁ ରୋକିବା ପାଇଁ ୟୁରୋପୀୟ ସଂଘ(ଇୟୁ) ରୁଷ ବିରୋଧରେ ନୂଆ କଟକଣା ଘୋଷଣା କରିଛି । ଭାରତ ସମେତ ରୁଷ ତେଲ କ୍ରୟ କରୁଥିବା ସମସ୍ତ ରାଷ୍ଟ୍ରଗୁଡ଼ିକୁ ଏହା କରିଛି ଟାର୍ଗେଟ୍‌ । ଉଦ୍ଦେଶ୍ୟ ହେଉଛି ରୁଷର ତୈଳ ଆୟ ଉପରେ ରୋକ୍‌ ଲଗାଇବା । ରୁଷର ରୋଜନେଫ୍ଟ କମ୍ପାନି ସହଯୋଗିତାରେ ଚାଳିତ ଭାରତର ଏକ ତୈଳ ବିଶୋଧନାଗାର ଉପରେ ଇୟୁ କଟକଣା ଲଗାଇଛି । ଉଦ୍ଦେଶ୍ୟ ହେଉଛି ରୁଷ ତେଲ ନେଇ ରାଷ୍ଟ୍ରଗୁଡ଼ିକ ଉପରେ ଚାପ ପକାଇବା । ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରିଟେନ ଗସ୍ତ ପୂର୍ବରୁ ଭାରତ ୟୁରୋପୀୟ ସଂଘ(ଇୟୁ)ର ଧମକ ଉପରେ ଶକ୍ତ ଆଭିମୁଖ୍ୟ ପ୍ରକାଶ କରିଛି । ବିଦେଶ ସଚିବ ବିକ୍ରମ ମିଶ୍ରି ଏହା ସ୍ପଷ୍ଟ କରିଛନ୍ତି ଯେ, ରୁଷଠାରୁ ତେଲ କ୍ରୟ ମାମଲାରେ ଭାରତ କୌଣସି ଚାପ ମଧ୍ୟକୁ ଆସିବ ନାହିଁ । ସେ କହିଛନ୍ତି, ଭାରତ ଏହାର ଶକ୍ତି ଆବଶ୍ୟକତାକୁ ପ୍ରଥମେ ଧ୍ୟାନରେ ରଖିବ । ସରକାରଙ୍କ ପାଇଁ ଉର୍ଜା ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା । ଭାରତୀୟଙ୍କ ପାଇଁ ଉର୍ଜା ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଯାହା ଦରକାର ହେବ ତାହା ହିଁ ହେବ । 

ବିଦେଶ ସଚିବ ବିକ୍ରମ ମିଶ୍ରି ଉର୍ଜା ପ୍ରସଙ୍ଗ ଉପରେ କହିଛନ୍ତି ଯେ, ଦୋମୁହାଁ ମାପଦଣ୍ଡ ଆପଣାଇବା ଉଚିତ ନୁହେଁ । ଉର୍ଜା ବଜାରର ସ୍ଥିତିକୁ ବିଶ୍ୱ ସ୍ପଷ୍ଟ ଭାବେ ଦେଖିବା ଉଚିତ । ୟୁରୋପରେ ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ରହିଛି କିନ୍ତୁ ବିଶ୍ୱର ଅନ୍ୟ ପ୍ରାନ୍ତ ବି ନିଜ ନିଜ ସମସ୍ୟାକୁ ସାମ୍ନା କରୁଛନ୍ତି । ଏଭଳି ସ୍ଥିତିରେ ଏ ମାମଲାଗୁଡ଼ିକ ଉପରେ ଆଲୋଚନା ସମୟରେ ସନ୍ତୁଳନ ଏବଂ ଦୃଷ୍ଟିକୋଣ ବଜାୟ ରଖିବା ଆବଶ୍ୟକ । କଥା ହେଉଛି ୟୁରୋପୀୟ ସଂଘ ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ ଉପରେ ନୂଆ କଟକଣା ଲଗାଇଛି । ଏହି ପ୍ରତିବନ୍ଧକ ମଧ୍ୟରେ ଅଶୋଧିତ ତୈଳରୁ ପ୍ରସ୍ତୁତ ଇନ୍ଧନ ଉପରେ କଟକଣା ବି ସାମିଲ ଅଛି । ଇୟୁ ତେଲର ଦାମ ଉପରେ ବି ସୀମା ନିର୍ଦ୍ଧାରିତ କରିଛି । ଏହାବ୍ୟତୀତ ରୁଷ କମ୍ପାନି ରୋଜ୍‌ନେଫ୍ଟର ଭାରତୀୟ ରିଫାଇନେରୀ ଏବଂ କିଛି ବ୍ୟାଙ୍କ ଉପରେ ବି ପ୍ରତିବନ୍ଧକ ଲଗାଇଛି । 

ପ୍ରକାଶଯୋଗ୍ୟ, ୟୁରୋପୀୟ ସଂଘ(ଇୟୁ) ରୁଷ ବିରୋଧରେ ଏହାର ୧୮ତମ ପ୍ରତିବନ୍ଧକ ଘୋଷଣା କରିଛି । ଏଥିରେ ଗୁଜରାଟର ଭଡିନାର ତୈଳ ବିଶୋଧନାଗାରକୁ ଟାର୍ଗେଟ୍‌ କରାଯାଇଛି । ଏହି ବିଶୋଧନାଗାର ନୟାରା ଏନର୍ଜି ଲିମିଟେଡ୍‌ ଦ୍ୱାରା ପରିଚାଳିତ ହେଉଛି, ଯେଉଁଥିରେ ରୁଷ ସରକାରଙ୍କ ନେତୃତ୍ୱାଧୀନ ତୈଳ କମ୍ପାନି ରୋଜ୍‌ନେଫ୍ଟର ୪୯.୧୩% ଅଂଶଧନ ଅଛି । ୟୁରୋପୀୟ ସଂଘର ନୂଆ କଟକଣା ଦ୍ୱାରା ଭାରତ ବ୍ୟତୀତ ତୁର୍କୀ ଏବଂ ୟୁଏଇ ଭଳି ଦେଶଗୁଡ଼ିକ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ଏହି ଦେଶ ରୁଷରୁ ଅଶୋଧିତ ତୈଳ କିଣି ତାହାକୁ ବିଶୋଧିତ କରି ଡିଜେଲ, ପେଟ୍ରୋଲ ଏବଂ ଜେଟ୍‌ ଇନ୍ଧନ ଭଳି ପ୍ରଡକ୍ଟ ୟୁରୋପକୁ ବିକ୍ରି କରିଥାନ୍ତି । ଜିଟିଆର୍‌ଆଇର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବଙ୍କ ଅନୁସାରେ, ଭାରତରୁ ୟୁରୋପୀୟ ସଂଘ ରାଷ୍ଟ୍ରଗୁଡ଼ିକୁ ହେବାକୁ ଥିବା ୫୦୦ କୋଟି ଡଲାର ମୂଲ୍ୟର ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ସଂକଟରେ ଅଛି । 

ଏକ ବିଶ୍ଳେଷଣ ଅନୁସାରେ, ୨୦୨୩- ୨୪ରେ ଇୟୁକୁ ୧୯୨୦ କୋଟି ଡଲାର ମୂଲ୍ୟର ପେଟ୍ରୋଲିୟମ ଉତ୍ପାଦ ଭାରତରୁ ଯାଇଥିଲା, ଯାହା ୨୦୨୪-୨୫ରେ ହ୍ରାସ ପାଇ ମାତ୍ର ୧୫୦୦ କୋଟି ଡଲାର ରହିଥିଲା । ଏଥିରେ ୨୭.୧% ହ୍ରାସ ଘଟିଥିଲା । ଆର୍ଥିକବର୍ଷ ୨୦୨୪-୨୫ରେ ଭାରତ ରୁଷରୁ ୫୦୩୦ କୋଟି ଡଲାର ମୂଲ୍ୟର ଅଶୋଧିତ ତୈଳ ବରାଦ କରିଥିଲା । ଏହା ଭାରତର ମୋଟ ଅଶୋଧିତ ତୈଳ ବିଲ୍‌ର ଏକ ତୃତୀୟାଂଶରୁ ଅଧିକ । ଆମେରିକା ବି ଭାରତକୁ ରୁଷ ତେଲ କ୍ରୟ ଉପରେ ଚେତାବନୀ ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ଆମେରିକୀୟ ଲିଡରମାନେ ଭାରତ, ଚୀନ୍‌ ଏବଂ ବ୍ରାଜିଲ ଭଳି ବ୍ରିକ୍‌ସ ଦେଶଗୁଡ଼ିକୁ ଚେତାବନୀ ଦେଇଛନ୍ତି ଯେ, ରୁଷରୁ ତେଲ କ୍ରୟ ଜାରି ରଖିଲେ ସେମାନଙ୍କୁ ଆର୍ଥିକ ଦଣ୍ଡ ଭୋଗିବାକୁ ପଡ଼ିପାରେ  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.