ଗୋଆ: ଗୋଆ ଶିପୟାର୍ଡ ଲିମିଟେଡ (GSL) ମଙ୍ଗଳବାର ଦିନ ଭାରତୀୟ ତଟରକ୍ଷୀ ବାହିନୀ (ICG) ପାଇଁ ନିର୍ମାଣ କରୁଥିବା ଆଠଟି ଫାଷ୍ଟ ପେଟ୍ରୋଲ ଭେସେଲ (FPV) ମଧ୍ୟରୁ ପଞ୍ଚମ ଜାହାଜ 'ଅଟଳ'କୁ ସଫଳତାର ସହ ଉନ୍ମୋଚନ କରିଛି। ଏହି ଜାହାଜର ନାମକରଣ ଏବଂ ଉନ୍ମୋଚନ ଶିଲ୍ପା ଅଗ୍ରୱାଲଙ୍କ ଦ୍ୱାରା କରାଯାଇଥିଲା। ଯେଉଁଥିରେ ରୋଜୀ ଅଗ୍ରୱାଲ, IDAS, PIFA ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଭାରତୀୟ ତଟରକ୍ଷୀ ବାହିନୀର ବରିଷ୍ଠ ଅଧିକାରୀ ଆଇ.ଜି. ସୁଧୀର ସାହନୀ, ଟି.ଏମ., ଡି.ଡି.ଜି. (ଏମ.ଏଣ୍ଡ.ଏମ.) ମଧ୍ୟ ଯୋଗ ଦେଇଥିଲେ।
'ଅଟଳ' ନାମକ ଏହି ଜାହାଜ ସମ୍ପୂର୍ଣ୍ଣ ଭାବେ ଭାରତରେ ଡିଜାଇନ ଏବଂ ନିର୍ମିତ ହୋଇଛି। ଯାହା ଭାରତର 'ଆତ୍ମନିର୍ଭର ଭାରତ' ଉଦ୍ୟମର ଏକ ଉଜ୍ଜ୍ୱଳ ଉଦାହରଣ। ଏହି ଜାହାଜର ଲମ୍ବ ୫୨ ମିଟର, ଚଉଡା ୮ ମିଟର ଏବଂ ଓଜନ ୩୨୦ ଟନ୍। ଏହା ଅତ୍ୟାଧୁନିକ ଉପକରଣ ଏବଂ କଣ୍ଟ୍ରୋଲେବଲ ପିଚ୍ ପ୍ରୋପେଲର (CPP) ଆଧାରିତ ପ୍ରୋପଲସନ ସିଷ୍ଟମରେ ସଜ୍ଜିତ। ଯାହା ଏହାକୁ ୨୭ ନଟ୍ ସ୍ପିଡରେ ଚାଲିବାରେ ସକ୍ଷମ କରିଛି।
ଏହି ଜାହାଜର ମୁଖ୍ୟ କାର୍ଯ୍ୟ ମଧ୍ୟରେ ତଟବର୍ତ୍ତୀ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଉଚ୍ଚ-ଗତିର ଅପରେସନ, ମତ୍ସ୍ୟ ସୁରକ୍ଷା, ନିରୀକ୍ଷଣ, ତସ୍କରୀ ଏବଂ ସମୁଦ୍ର ଜନିତ ଡକାୟତି ରୋକିବା ଏବଂ ଉଦ୍ଧାର କାର୍ଯ୍ୟ ଆଦି ଅନ୍ତର୍ଭୁକ୍ତ ରହିଛି। ଏହା ଭାରତର ଏକଚ୍ଛତ୍ର ଆର୍ଥିକ ଅଞ୍ଚଳ (EEZ) ଏବଂ ଦ୍ୱୀପ ଅଞ୍ଚଳ ଗୁଡ଼ିକର ସୁରକ୍ଷା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ରୋଜୀ ଅଗ୍ରୱାଲ କହିଥିଲେ ଯେ, ଏହି ଜାହାଜ ଗୋଆ ଶିପୟାର୍ଡ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ସହଯୋଗରେ ଦେଶୀୟ ପ୍ରଯୁକ୍ତି ବିକାଶର ଏକ ମାଇଲଷ୍ଟୋନ। ଏହା ଭାରତର ସମୁଦ୍ରୀୟ ସୁରକ୍ଷା ଏବଂ ସ୍ୱାବଲମ୍ବୀ ପ୍ରତିରକ୍ଷା ଉତ୍ପାଦନରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି।
ଗୋଆ ଶିପୟାର୍ଡ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରଜେଶ କୁମାର ଉପାଧ୍ୟାୟ କହିଛନ୍ତି ଯେ, ଏହି ଉନ୍ମୋଚନ ଦେଶର ସମୁଦ୍ରୀୟ ସୁରକ୍ଷା ଏବଂ ସ୍ୱଦେଶୀ ଶିଳ୍ପର ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି। ଏହା ସହିତ, GSL ରାଜସ୍ୱରେ ୧୦୦% ବୃଦ୍ଧି ହାସଲ କରି ୨୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ଯାହା ଏହାର ଅଭିବୃଦ୍ଧି ଏବଂ ଉଦ୍ଭାବନକୁ ପ୍ରତିଫଳିତ କରୁଛି।
ଏହି ଜାହାଜ ଭାରତୀୟ ତଟରକ୍ଷୀ ବାହିନୀର ବହୁମୁଖୀ ସାମର୍ଥ୍ୟକୁ ବୃଦ୍ଧି କରିବ ଏବଂ ୨୦୩୦ ସୁଦ୍ଧା ତଟରକ୍ଷୀ ବାହିନୀରକୁ ୨୦୦ ଜାହାଜ ଏବଂ ୧୦୦ ବିମାନରେ ବିସ୍ତାର କରିବାର ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।