ନୂଆଦିଲ୍ଲୀ: କୌଣସି ସତର୍କତା ବିନା ହାଇୱେରେ ହଠାତ୍ ଗାଡ଼ିର ବ୍ରେକ୍ ଲଗାଇବା ଗୁରୁତର ଅବହେଳା । ଏପରି ସ୍ଥିତିରେ ଯଦି ଦୁର୍ଘଟଣା ଘଟେ ତେବେ ଏଥିପାଇଁ ହଠାତ ବ୍ରେକ୍ ଲଗାଇଥିବା ଡ୍ରାଇଭରଙ୍କୁ ଦାୟୀ କରାଯାଇ ପାରିବ । ଏନେଇ ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି । ବିଚାରପତି ସୁଧାଂଶୁ ଧୂଲିଆ ଏବଂ ବିଚାରପତି ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି ଯେ, ବ୍ୟକ୍ତିଗତ ଜରୁରି ସ୍ଥିତି ଥିଲେ ସୁଦ୍ଧା ରାଜପଥ ଉପରେ ଗାଡ଼ି ଅଟକାଇବାକୁ ଯଥାର୍ଥ ବୋଲି କୁହାଯାଇ ପାରିବ ନାହିଁ । ଯଦି ଏହା ଦ୍ବାରା ଅନ୍ୟ କେହି ବିପଦରେ ପଡ଼ନ୍ତି, ତେବେ ଏଥିପାଇଁ ବ୍ରେକ୍ ଲଗାଇଥିବା ଡ୍ରାଇଭର ଦାୟୀ ହୋଇପାରନ୍ତି ।
୮ ବର୍ଷ ପୂର୍ବରୁ, ୭ ଜାନୁଆରୀ, ୨୦୧୭ରେ ତାମିଲନାଡୁର କୋଏମ୍ବାଟୁରରେ ହଠାତ୍ ବ୍ରେକ ଯୋଗୁଁ ହୋଇଥିବା ଏକ ଦୁର୍ଘଟଣା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଏହି ରାୟ ଦେଇଛନ୍ତି । ଏହି ଦୁର୍ଘଟଣାରେ ଶିକାର ହୋଇଥିବା ଇଞ୍ଜିନିୟରିଂ ଛାତ୍ର ଏସ୍ ମହମ୍ମଦ ହାକିମଙ୍କ ବାମ ଗୋଡ଼ କାଟିବାକୁ ପଡ଼ିଥିଲା। ମହମ୍ମଦ ହାକିମ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଆବେଦନରେ କହିଥିଲେ ଯେ, ସେ ତାଙ୍କ ମୋଟର ସାଇକେଲରେ ରାଜପଥରେ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ତାଙ୍କ ଆଗରେ ଯାଉଥିବା ଏକ କାର ହଠାତ୍ ବ୍ରେକ ଲଗାଇଥିଲା । ତାଙ୍କ ବାଇକ୍ କାରର ପଛ ପଟେ ଧକ୍କା ହୋଇଥିଲା । ସେ ରାସ୍ତାରେ ପଡ଼ିଯାଇଥିଲେ ଏବଂ ପଛରୁ ଆସୁଥିବା ଏକ ବସ୍ ତାଙ୍କୁ ଚାପି ଦେଇଥିଲା ।
କାର ଡ୍ରାଇଭର ଦାବି କରିଥିଲେ ଯେ, ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ବାନ୍ତି ଲାଗିବା ଭଳି ଅନୁଭବ ହେବାରୁ ସେ ହଠାତ୍ ବ୍ରେକ୍ ଲଗାଇଥିଲେ। କିନ୍ତୁ କୋର୍ଟ ତାଙ୍କର ଏହି ଯୁକ୍ତିକୁ ଖାରଜ କରିଦେଇଛନ୍ତି । ହାଇୱେ ମଝିରେ ହଠାତ୍ କାର ଅଟକାଇବା କୌଣସି ସ୍ଥିତିରେ ସଠିକ୍ ନୁହେଁ। କୋର୍ଟ ଡ୍ରାଇଭରଙ୍କ ଏହି ଯୁକ୍ତିକୁ ଖାରଜ କରିଦେଇଛନ୍ତି ଏବଂ ତାଙ୍କୁ ଏହି ସଡ଼କ ଦୁର୍ଘଟଣା ପାଇଁ ୫୦ ପ୍ରତିଶତ ଦାୟୀ କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, କାର ଡ୍ରାଇଭରଙ୍କ ହଠାତ୍ ବ୍ରେକ୍ ଦେବା ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି ଅଣଦେଖା କରାଯାଇପାରିବ ନାହିଁ। ସେହି ସମୟରେ, କୋର୍ଟ ଆବେଦନକାରୀ ହାକିମଙ୍କୁ ୨୦% ଅବହେଳା ପାଇଁ ଦାୟୀ କରିଥିବା ବେଳେ ବସ୍ ଡ୍ରାଇଭରଙ୍କ ଭୁଲ ୩୦ ପ୍ରତିଶତ ଥିବା କହିଛନ୍ତି ।
ବର୍ଦ୍ଧିତ କ୍ଷତିପୂରଣ ପାଇଁ ପୀଡିତଙ୍କ ଆବେଦନକୁ ଗ୍ରହଣ କରି ଖଣ୍ଡପୀଠ କହିଛନ୍ତି, ଆବେଦନକାରୀ ଗାଡ଼ିଠାରୁ ପର୍ଯ୍ୟାପ୍ତ ଦୂରତା ବଜାୟ ରଖିନଥିଲେ । ବୈଧ ଲାଇସେନ୍ସ ବିନା ମୋଟର ସାଇକେଲ ଚଲାଉଥିଲେ । ସୁପ୍ରିମକୋର୍ଟ ମୋଟ କ୍ଷତିପୂରଣ ପରିମାଣ ୧.୧୪ କୋଟି ଟଙ୍କା ସ୍ଥିର କରିଥିଲେ । କିନ୍ତୁ ଆବେଦନକାରୀଙ୍କ ଅବହେଳା ଯୋଗୁଁ ଏହାକୁ ୨୦% ହ୍ରାସ କରିଛନ୍ତି । କ୍ଷତିପୂରଣ ରାଶି ବସ୍ ଏବଂ କାରର ବୀମା କମ୍ପାନୀଗୁଡ଼ିକ ଦ୍ୱାରା ଚାରି ସପ୍ତାହ ମଧ୍ୟରେ ପୀଡିତଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।