କୋଲକାତା: ପଶ୍ଚିମବଙ୍ଗରେ ଜଣେ ବାଂଲାଦେଶୀ ମଡେଲଙ୍କୁ ଗିରଫ କରିଛି ପୁଲିସ । ୨୮ ବର୍ଷୀୟା ମଡେଲଙ୍କ ପାଖରୁ ନକଲି ଭାରତୀୟ ଆଧାର ଏବଂ ଭୋଟର କାର୍ଡ ଜବତ ହୋଇଛି । ସେ ଜଣେ ଏୟାରହୋଷ୍ଟେସରୁ ମଡେଲ ହୋଇଥିଲେ ଏବଂ ଗତ ୬ ବର୍ଷ ଧରି କୋଲକାତାରେ ରହୁଥିଲେ । ପାର୍କ ଷ୍ଟ୍ରିଟ୍ ପୁଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ମଡେଲଙ୍କ ବିରୋଧରେ ବିଏନସି ଧାରା ୩୩୬(୩), ୩୩୮, ୩୪୧, ୬୧(୨) ଅନୁଯାୟୀ ମାମଲା ହୋଇଛି । ଅଭିଯୁକ୍ତ ମଡେଲଙ୍କ ନାଁ ଶାନ୍ତା ପାଉଲ୍ ଏବଂ ତାଙ୍କ ବୟସ ୨୮ ବର୍ଷ ।
ସେ ବିକ୍ରମଗଡ଼ର ୬/ଏରେ ଦ୍ୱିତୀୟ ମହଲାରେ ଭଡା ନେଇ ରହୁଥିଲେ । ପୁଲିସ ତାଙ୍କୁ ଗୁରୁବାର ଭୋର ପ୍ରାୟ ୪:୦୭ ସମୟରେ ଗିରଫ କରିଛି । ପୁଲିସର ତଲାସି ସମୟରେ ତାଙ୍କ ନାମରେ ଜାରି ହୋଇଥିବା ଅନେକ ବାଂଲାଦେଶୀ ପାସପୋର୍ଟ, ରିଜେଣ୍ଟ ଏୟାରୱେଜ୍ (ବାଂଲାଦେଶ) କର୍ମଚାରୀ କାର୍ଡ, ଢାକା ମାଧ୍ୟମିକ ଶିକ୍ଷା ପ୍ରବେଶ ପତ୍ର, ଭାରତୀୟ ଆଧାର କାର୍ଡ, ଭାରତୀୟ ଭୋଟର କାର୍ଡ, ବିଭିନ୍ନ ଠିକଣାର ରାସନ କାର୍ଡ ମିଳିଛି । ଏହି ସବୁ ନକଲି କାଗଜପତ୍ର ଜବତ କରିଛି ପୁଲିସ । ସେ କିପରି ନକଲି ଆଧାର-ଭୋଟର କାର୍ଡ ପାଇଲେ ? ତାଙ୍କୁ ଏହି ସବୁ ନକଲି ପ୍ରମାଣପତ୍ର ଦେଇଥିଲା କିଏ ? ଏନେଇ ପୁଲିସ ଛାନଭିନ କରୁଛି ।
ଅଭିଯୁକ୍ତ ବାଂଲାଦେଶୀ ମଡେଲ ଆପ୍ ଆଧାରିତ କ୍ୟାବ୍ ବ୍ୟବସାୟ ଆରମ୍ଭ କରିବାକୁ ଚେଷ୍ଟା କରୁଥିଲେ । ଏହା ପରେ ସେ ପୁଲିସ ହାତରେ ଧରା ପଡ଼ିଛନ୍ତି । ପୁଲିସ ସୂତ୍ର ଅନୁଯାୟୀ, ସେ ୨୦୨୩ ମସିହାରୁ ଯାଦବପୁରର ବିଜୟଗଡ଼ରେ ଏକ ଫ୍ଲାଟରେ ଭଡ଼ାରେ ରହୁଥିଲେ । ଏହା ବ୍ୟତୀତ ସେ ନିଜ ଭିନ୍ନ ଭିନ୍ନ ଠିକଣାରେ ଘର ଭଡ଼ାରେ ନେଇଥିଲେ । ପୂର୍ବରୁ ଶାନ୍ତାଙ୍କ ବିରୋଧରେ ଅନ୍ୟ ଏକ ଥାନାରେ ଠକେଇ ଅଭିଯୋଗ ହୋଇଥିଲା। ସୂଚନା ଅନୁଯାୟୀ, ସେ ବାଂଲାଦେଶର ଦୁଇଟି ପ୍ରସିଦ୍ଧ କମ୍ପାନୀର ମଡେଲ ମଧ୍ୟ ଥିଲେ। ସେ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ଗିରଫ ମହିଳାଙ୍କ ପାଖରୁ ଅନେକ ବାଂଲାଦେଶୀ ପାସପୋର୍ଟ ଉଦ୍ଧାର କରାଯାଇଛି । ତାଙ୍କ ପାଖରୁ ଏକ ବାଂଲାଦେଶ ମାଧ୍ୟମିକ ସ୍କୁଲର ପ୍ରମାଣପତ୍ର ମଧ୍ୟ ରହିଛି। ଏକ ଏୟାରଲାଇନ୍ସ ପରିଚୟପତ୍ର ମଧ୍ୟ ଅଛି। ପୁଲିସ ଲାଲବଜାରରେ ଥିବା UIDAI ଅଫିସ ଯାଇ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଛି । ଶାନ୍ତାଙ୍କ ଫ୍ଲାଟରୁ ମିଳିଥିବା ଭୋଟର କାର୍ଡ ବୈଧ କି ନାହିଁ ଏବଂ କେଉଁ ଡକ୍ୟୁମେଣ୍ଟ ଆଧାରରେ ସେ ଭୋଟର କାର୍ଡ ପାଇଛନ୍ତି ତାହା ଜାଣିବା ପାଇଁ ଲାଲବଜାର ନିର୍ବାଚନ କମିଶନଙ୍କ ସହିତ ମଧ୍ୟ ଯୋଗାଯୋଗ କରିଛି ପୁଲିସ ।