ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକପାଖିଆ ଭାବରେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଏହାକୁ ନେଇ ଭାରତରେ ପ୍ରତିକ୍ରୟା ପ୍ରକାଶ ପାଇଛି । ଭାରତ ସରକାର କହିଛନ୍ତି ଯେ, ଏହି ଘୋଷଣାକୁ ଗଭୀର ଭାବରେ ଅଧ୍ୟୟନ କରୁଛନ୍ତି। ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଭାରତ ପୁଣି ଥରେ ସ୍ପଷ୍ଟ କରିଛି ଯେ, କୌଣସି ଚାପ ଆଗରେ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ । ଗତ କିଛି ମାସ ଧରି ଏକ ନିରପେକ୍ଷ, ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଆମେରିକା ସହିତ ଆଲୋଚନା ଚାଲିଛି ।
ଭାରତ ଏହି ଉଦ୍ଦେଶ୍ୟ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଗଠନମୂଳକ ଆଲୋଚନା ମାଧ୍ୟମରେ ଏକ ସମାଧାନ ଆଡକୁ ଅଗ୍ରସର ହେଉଛି । ସରକାର କହିଛନ୍ତି ଯେ, ଦେଶର ଚାଷୀ, ଉଦ୍ୟୋଗୀ ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ସ୍ୱାର୍ଥର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି । ଏହା ସହିତ ସରକାର ଆଶ୍ୱାସନା ଦେଇଛନ୍ତି ଯେ, ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।
ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର (୩୦ ଜୁଲାଇ, ୨୦୨୫) ଏକପାଖିଆ ଭାବରେ ଘୋଷଣା କରିଛନ୍ତି ଯେ, ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ । ଭାରତକୁ ଅଗଷ୍ଟ ୧ ରୁ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡିବ। ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଲେଖିଛନ୍ତି, ‘ଭାରତ ଆମର ବନ୍ଧୁ, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଆମେ ଭାରତ ସହିତ ତୁଳନାତ୍ମକ ଭାବରେ କମ୍ ବାଣିଜ୍ୟ କରିଛୁ । କାରଣ ସେମାନଙ୍କର ଶୁଳ୍କ ବହୁତ ଅଧିକ, ବିଶ୍ୱରେ ସର୍ବାଧିକ।’ ଟ୍ରମ୍ପ ଆହୁରି ଲେଖିଛନ୍ତି, ‘ସେଥିପାଇଁ ଭାରତକୁ ଅଗଷ୍ଟ ୧ ରୁ ୨୫ ପ୍ରତିଶତ ଶୁଳ୍କ ଏବଂ ଜରିମାନା ଦେବାକୁ ପଡିବ।’