ନୂଆଦିଲ୍ଲୀ,୩୦।୭: ‘ଅପରେସନ୍ ସିନ୍ଦୂର’କୁ ଓ ପହଲଗାମ୍ ଆତଙ୍କୀ ହମଲାକୁ ନେଇ ସରକାର ଏବଂ ବିରୋଧିଙ୍କ ମଧ୍ୟରେ ଚାଲିଛି ଘମାସାନ। ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହ ଯେତେବେଳେ ନିଜର ସମ୍ବୋଧନ ଆରମ୍ଭ କରିଥିଲେ ବିରୋଧି ସାଂସଦ ନାରାବାଜି କରିଥିଲେ। ଏହି ହଙ୍ଗାମା ମଧ୍ୟରେ ଶାହ ଓ ମାଲ୍ଲିକାର୍ଜୁନ ଖଡଗେଙ୍କ ଭିତରେ ଜୋରଦାର ବିତର୍କ ଦେଖିବାକୁ ମିଳିଥିଲା। କିଛି ସମୟ ପରେ ବିରୋଧି ସାଂସଦ ଓ୍ବାକ୍ ଆଉଟ୍ କରିଥିଲେ। ବିରୋଧିଙ୍କ ଓ୍ବାକ୍ ଆଉଟ୍ ନେଇ ଶାହ କହିଛନ୍ତି, ମୋତେ ଜଣାଅଛି ବିରୋଧି କାହିଁକି ଏଭଳି କରୁଛି। କାରଣ କଂଗ୍ରେସ ବହୁ ବର୍ଷ ପର୍ଯ୍ୟନ୍ତ ଭୋଟବ୍ୟାଙ୍କ ପାଇଁ ଆତଙ୍କବାଦ ରୋକିବାକୁ କିଛି କରିନଥିଲେ। ତେଣୁ ଡିବେଟ ଶୁଣିବାକୁ ଚାହୁଁ ନାହାନ୍ତି। କଂଗ୍ରେସ ପାଇଁ ପିଓକେ ଚାଲିଯାଇଥିଲା। ହେଲେ ବିଜେପି ଏହାକୁ ଫେରାଇ ଆଣିବ।
ଶାହ କହିଛନ୍ତି, ପହଲଗାମରେ, ଆମ ଦେଶର ନାଗରିକଙ୍କୁ ସେମାନଙ୍କ ଧର୍ମ ପଚାରି ପରିବାର ଲୋକଙ୍କ ଆଖି ଆଗରେ ହତ୍ୟା କରାଯାଇଥିଲା। ମୁଁ ସେହି ସମସ୍ତ ମୃତ ନାଗରିକଙ୍କ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି। ‘ଅପରେସନ ସିନ୍ଦୂର’ ପରେ, ଯେତେବେଳେ ପାକିସ୍ତାନ ଗୁଳି ମାଡ଼ କରିଥିଲା, କିଛି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ମୁଁ ସେହି ନାଗରିକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ପ୍ରକାଶ କରୁଛି।
‘ଅପରେସନ୍ ସିନ୍ଦୂର’ ଏବଂ ’ଅପରେସନ୍ ମହାଦେବ’... ଏହି ଦୁଇଟି ପାଇଁ ମୁଁ ହୃଦୟର ଗଭୀରତାରୁ ସମସ୍ତ ସୁରକ୍ଷା ବାହିନୀକୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ଭାରତର ସମ୍ମାନ ବୃଦ୍ଧି କରିଛନ୍ତି। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବାକୁ ଚାହୁଁଛି, ଯିଏ ଦେଶର ୧୪୦ କୋଟି ଲୋକଙ୍କ ଇଚ୍ଛାର ଉପଯୁକ୍ତ ଉତ୍ତର ଦେବା ପାଇଁ ଦୃଢ଼ ଇଚ୍ଛାଶକ୍ତି ଦେଖାଇଥିଲେ... ଏଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ପି ଚିଦାମ୍ବରମ ପହଲଗାମ ଆକ୍ରମଣର ଦୋଷୀ ଆତଙ୍କବାଦୀଙ୍କ ହତ୍ୟାର ପ୍ରମାଣ ମାଗୁଛନ୍ତି। ସେ କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି, ପାକିସ୍ତାନକୁ ନା ଆତଙ୍କବାଦୀଙ୍କୁ? ଯେଉଁ ପର୍ଯ୍ୟନ୍ତ ଚିଦାମ୍ବରମ ଗୃହମନ୍ତ୍ରୀ ଥିଲେ ଅଫଜଲ ଗୁରୁକୁ ଫାଶୀ ହେଲାନି। କଂଗ୍ରେସର ମାନସିକତା ଦେଶର ଜନତା ଦେଖୁଛନ୍ତି। ସେମାନଙ୍କର ପ୍ରାଥମିକତା ଦେଶର ସୁରକ୍ଷା ନୁହେଁ, ବରଂ ରାଜନୀତି। ଆତଙ୍କବାଦକୁ ସମାପ୍ତ କରିବା ନୁହେଁ, ବରଂ ଭୋଟ ବ୍ୟାଙ୍କର ଚାହାନ୍ତି। ସେମାନେ ଆମ ଦେଶର ସୀମାକୁ ସୁରକ୍ଷା ଦେବା ନୁହେଁ, ବରଂ ତୁଷ୍ଟିକରଣର ରାଜନୀତି କରନ୍ତି।
ବିଜେପି ସରକାର ଜମ୍ମୁ-କଶ୍ମୀରର ସୁରକ୍ଷାକୁ ନେଇ ବହୁ କାମ କରିଛି। ସେଠାରେ ପ୍ରତ୍ୟେକ ଯୁବପୀଢି ଆଗେ ସେନା ଉପରକୁ ପଥରମାଡ଼ କରୁଥିଲେ। ୨୦୨୪ ପରଠାରୁ ଗୋଟିଏ ବି ପଥରମାଡ଼ ଘଟଣା ଦେଖିବାକୁ ମିଳିନି। ଟେରର ଫାଇନାନ୍ସିଂ ନେଟଓ୍ବର୍କକୁ ଆମେ ଶେଷ କରିଛୁ। ଏବେ କାଶ୍ମୀରରେ ଆତଙ୍କବାଦ ଲୋପ ହେବାକୁ ଯାଊଛି। ଘାଟୀରେ ଯେଉଁ ବି ଆତଙ୍କୀ ନିହତ ହେଉଛନ୍ତି ସେମାନେ ସବୁ ପାକିସ୍ତାନୀ। ବିଜେପି ସରକାର ଆସିବା ପରେ କାଶ୍ମୀରରେ ଲୋକତନ୍ତ୍ର ଫେରିଛି। ଭୋଟିଂ ବଢିଛି। ଏବେ ୯୩%ରୁ ବି ଅଧିକ ଭୋଟିଂ ହେଉଛି। ଆଜି ସେଠାରେ ଦେଶର ପତାକା ଉଡୁଛି। ପିଓକେ ଦେବାର କାମ କଂଗ୍ରେସ କରିଥିଲା। ହେଲେ ବିଜେପି ସରକାର ଏହାକୁ ଫେରାଇ ଆଣିବ।