ନୂଆଦିଲ୍ଲୀ, ୩୧/୦୭: ସୁରକ୍ଷିତ ନିଯୁକ୍ତି ପାଇଁ ଜଣାଶୁଣା ଟେକ୍ କମ୍ପାନି TCS ଏବେ ନିଜ ନିଷ୍ପତ୍ତିରେ ନିଜେ ଫସିଛି । ଛଟେଇ ଘୋଷଣା କରି ଅଡ଼ୁଆରେ ପଡ଼ିଛି ଟାଟା କନସଲଟାନ୍ସି ସର୍ଭିସ୍ । ୧୨ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିବା ପରେ କମ୍ପାନି ନାଁରେ ମାମଲା ରୁଜୁ ହୋଇଛି । ଏମ୍ପୋଇଜ୍ ୟୁନିୟନ ପକ୍ଷରୁ ଏହି କେସ୍ ଦିଆଯାଇଛି । କମ୍ପାନି କହିଛି ଯେ ଭବିଷ୍ୟତକୁ ସୁଦୃଢ଼ କରିବା, ନୂତନ ପ୍ରକାର ଡମାଣ୍ଡ ଆଧାରରେ ନିଜକୁ ପ୍ରସ୍ତୁତ କରିବା ଏବଂ ପ୍ରଯୁକ୍ତିବିଦ୍ୟା ସହ ସାମଞ୍ଜସ୍ୟ କରିବା ଭଳି ନିଷ୍ପତ୍ତି ନିଆଯାଇଛି । ଯାହାକୁ ନେଇ IT କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।
ଆଇଟି ୟୁନିୟନ୍ ଲେବର୍ କମିଶନରଙ୍କ ନିକଟରେ ଏହି ମାମଲା ରୁଜୁ ହୋଇଛି । ୟୁନିୟନ୍ କହିଛି ଯେ,TCS ନିୟମର ଉଲ୍ଲଙ୍ଘନ କରି ଛଟେଇ କରିବାର ନିଷ୍ପତ୍ତି ନେଇଛି । ୧୯୪୭ର ଇଣ୍ଡଷ୍ଟ୍ରିଆଲ ଡିସ୍ପୁଟ୍ସ ଆକ୍ଟ ଅନୁସାରେ, କମ୍ପାନୀ ଉପରେ ଏହି ଦୋଷାରୋପ କରାଯାଇଛି । TCS କହିଛି ଯେ, ୨୦୨୬ ଆର୍ଥିକ ବର୍ଷରେ କମ୍ପାନୀ ତାର କର୍ମଚାରୀଙ୍କ ମଧ୍ୟରୁ ୨ ପ୍ରତିଶତ କମ୍ କରିବ । ଅର୍ଥାତ ୧୨ ହଜାର ଲୋକଙ୍କ ଚାକିରି ଚାଲିଯିବ । ଏହି ନିଷ୍ପତ୍ତି ବିରୁଦ୍ଧରେ କର୍ଣ୍ଣାଟକ ଆଇଟି ୟୁନିୟନ୍ର ପ୍ରତିନିଧିମାନେ ଆଡିସନାଲ ଲେବର କମିଶନର ମଞ୍ଜୁନାଥଙ୍କୁ ଭେଟି କର୍ମଚାରୀମାନଙ୍କ ସମସ୍ୟା ବିଷୟରେ ଜଣାଇଛନ୍ତି । ଯାହା ପରେ ମାମଲା ରୁଜୁ ହୋଇଛି ।
ଇଣ୍ଡଷ୍ଟ୍ରିଆଲ ଡିସ୍ପୁଟ୍ସ ଆକ୍ଟର ଉଦାହରଣ ଦେଇ ଏହି କର୍ମଚାରୀମାନେ କହିଛନ୍ତି ଯେ, ଯଦି କୌଣସି କମ୍ପାନୀରେ ୧୦୦ ରୁ ଅଧିକ କର୍ମଚାରୀ ଥାଆନ୍ତି ତେବେ, ଛଟେଇ କରିବା ପୂର୍ବରୁ ସରକାରଙ୍କ ଅନୁମତି ନେବା ଆବଶ୍ୟକ । ଏଥିପାଇଁ କିଛି ନିୟମ ରହିଛି । ୟୁନିୟନ୍ କହିଛି ଯେ,TCS ମ୍ୟାନେଜମେଣ୍ଟ ସେହି ନିୟମଗୁଡ଼ିକୁ ଉଲ୍ଲଙ୍ଘନ କରିଛି । ତେଣୁ ଯେଉଁ ଅଧିକାରୀମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୟୁନିୟନ୍ ଦାବି କରିଛି । ୟୁନିୟନ୍ ଏହା ମଧ୍ୟ କହିଛି ଯେ, ଲେବର୍ ଡିପାର୍ଟମେଣ୍ଟକୁ ଏହି ମାମଲାରେ ତୁରନ୍ତ ନ୍ୟାୟ ଦେବା ଉଚିତ୍ । ଯାହା ଫଳରେ ଛଟେଇ ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କୁ ଉଚିତ ନ୍ୟାୟ ମିଳିପାରିବ ।
ଏହାରି ମଧ୍ୟରେ ଶ୍ରମ ବିଭାଗ କହିବା ଅନୁଯାୟୀ, ଖୁବ୍ ଶୀଘ୍ର TCSର ମ୍ୟାନେଜମେଣ୍ଟ ବିଭାଗ ସହ ବୈଠକ ହେବ । ଏଭଳି ନିଷ୍ପତ୍ତି କାହିଁକି ନିଯାଆଇଛି, ସେ ବିଷୟରେ ଆଲୋଚନା କରାଯିବ । ବର୍ତ୍ତମାନ ଏହି ବୈଠକର ତାରିଖ ଧାର୍ଯ୍ୟ ହୋଇନାହିଁ ହେଲେ ଯଥାଶୀଘ୍ର ଏହି ବୈଠକ ଅନୁଷ୍ଠିତ ହେବ ବୋଲି କର୍ଣ୍ଣାଟକର ଶ୍ରମମନ୍ତ୍ରୀ କହିଛନ୍ତି । ସେପଟେ ୟୁନିୟନ୍ କହିଛି ଯେ, ଯଦି ଏଭଳି ଭାବରେ ନିୟମର ଉଲ୍ଲଙ୍ଘନ କରି ଛଟେଇ କରାଯାଏ, ତେବେ ଭବିଷ୍ୟତରେ ଏହା ଏକ ବିପଦଜନକ ଟ୍ରେଣ୍ଡ ସେଟ୍ କରିବ ।