ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବେଙ୍ଗାଲୁରୁ ଟେଷ୍ଟ: ନିର୍ଣ୍ଣାୟକ ମୋଡରେ ଭାରତ-ନ୍ୟୁଜିଲାଣ୍ଡ ଲଢ଼େଇ, ଭ୍ରମଣକାରୀ ଟିମ୍ ସାମ୍ନାରେ ୧୦୭ ରନ୍‌ର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ, ୨୦/୧୦: ଭାରତ ଓ  ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ନିର୍ଣ୍ଣାୟକ ମୋଡ଼ ନେଇଛି । ଭାରତର ଜୋରଦାର  ଲଢ଼େଇ ସତ୍ତେ୍ୱ ନ୍ୟୁଜିଲାଣ୍ଡ ୩୬ବର୍ଷ ପରେ ଭାରତରେ ଟେଷ୍ଟ ବିଜୟ ପାଇଁ ପଥ ପରିଷ୍କାର  କରିଛି । ରବିବାର ମ୍ୟାଚ୍‌ର ଅନ୍ତିମ ଦିବସ  ରହିଥିବାବେଳେ ବର୍ଷା ଓ ବୋଲରଙ୍କ ପ୍ରଦର୍ଶନ  ଉପରେ ଘରୋଇ ଦଳର ଭାଗ୍ୟ ନିର୍ଭର କରୁଛି ।  

ଭାରତ ଦ୍ୱିତୀୟ ଇନିଂସରେ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ହେଁ ସଂଗୃହୀତ ରନ୍‌ ବିଜୟ ପାଇଁ ଯଥେଷ୍ଟ ନୁହେଁ । ନ୍ୟୁଜିଲାଣ୍ଡ ସମ୍ମୁଖରେ ମାତ୍ର  ୧୦୭ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ସମ୍ପୂର୍ଣ୍ଣ ଗୋଟିଏ ଦିନର ଖେଳ ବାକି ରହିଛି । ତେଣୁ  ବୋଲରମାନଙ୍କ ଠାରୁ କେବଳ ଅଲୌକିକ ପ୍ରଦର୍ଶନ ଆଶା କରାଯାଇପାରେ । ନଚେତ ନ୍ୟୁଜିଲାଣ୍ଡର ବିଜୟ ସ୍ୱପ୍ନ ସାକାର ହେବ ।  

ମ୍ୟାଚ୍‌ର ଚତୁର୍ଥ ଦିବସ ବେଶ୍‌ ରୋମାଞ୍ଚକର ରହିଥିଲା । ଭାରତକୁ ମିଳିଥିଲା ମିଶ୍ରିତ ଫଳାଫଳ । ଦ୍ୱିତୀୟ ଇନିଂସରେ ରୋହିତ ଶର୍ମା ଓ ବିରାଟ  କୋହଲିଙ୍କ ଅର୍ଦ୍ଧଶତକ ପରେ ସର୍ଫରାଜ ଖାନ୍‌  ଖେଳିଥିଲେ ଏକ ଦାୟିତ୍ୱପୂର୍ଣ୍ଣ ଶତକୀୟ ଇନିଂସ । ୨ଦିନ ତଳେ ଆହତ ହୋଇଥିବା ରିଷଭ ପନ୍ତ ଦମ୍‌ଦାର ବ୍ୟାଟିଂ କରିଥିଲେ ହେଁ ସପ୍ତମ ଥର ପାଇଁ  ‘ନର୍ଭସ ନାଇଣ୍ଟି’ ତାଲିକାରେ ନାମ ଲେଖାଇଥିଲେ ।  

ଉଭୟଙ୍କ ୧୭୭(୩୫.୧ଓଭରରେ)ରନ୍‌ର  ଭାଗିଦାରୀ ଭାରତକୁ ବିଜୟ ଆଶା ଜାଗ୍ରତ କରାଇଥିଲା । ମାତ୍ର ନ୍ୟୁଜିଲାଣ୍ଡ ଦ୍ୱିତୀୟ ନୂଆ  ବଲ୍‌ ନେବା ପରେ କ୍ଷଣକ ମଧ୍ୟରେ ସବୁ ଆଶା  ମଉଳି ଯାଇଥିଲା । ଏକଦା ୩ୱିକେଟରେ ୪୦୦  ରନ୍‌ ସଂଗ୍ରହ କରିସାରିଥିବା ଭାରତ ପରବର୍ତ୍ତୀ ୬୨  ରନ୍‌ ମଧ୍ୟରେ ଶେଷ ୭ଟି ୱିକେଟ୍‌ ହରାଇ ମୋଟ୍‌  ୪୬୨ ରନ୍‌ରେ ଅଲ ଆଉଟ୍‌ ହୋଇ ଯାଇଥିଲା । 

ଏକଦା ଆଜାଦ ମୈଦାନରୁ କ୍ୟାରିୟର ଯାତ୍ରା  ଆରମ୍ଭ କରିଥିବା ସର୍ଫରାଜଙ୍କ ଦୀର୍ଘ ଦିନର ସ୍ୱପ୍ନ  ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ସଫଳ ହୋଇଥିଲା ।  ଗତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପଦାର୍ପଣ  କରିଥିବା ସର୍ଫରାଜ ୨ଟି ଅର୍ଦ୍ଧଶତକ ଅର୍ଜନ  କରିଥିଲେ ହେଁ ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷରେ  ପ୍ରଥମ ଶତକ ଅର୍ଜନ କରିଥିଲେ । ପ୍ରଥମ ଶତକ  ଥିଲା ବିଶାଳ ଓ ସ୍ୱତନ୍ତ୍ର । ଦଳକୁ ସେ ବିପଦରୁ  ଉଦ୍ଧାର କରିଥିଲେ ଓ ଖେଳିଥିଲେ ୧୫୦ ରନ୍‌ର  ମାରାଥନ ଇନିଂସ ।  

ଶନିବାର ସକାଳୁ ଭାରତ ଅସମାପ୍ତ ଦ୍ୱିତୀୟ  ଇନିଂସ୍‌ ୩/୨୩୧ ରନ୍‌ରୁ ବ୍ୟାଟିଂ ଆରମ୍ଭ କରିଥିଲା ।  ଅପରାଜିତ ସର୍ଫରାଜଙ୍କ ସହ ପନ୍ତ କ୍ରିଜରେ ଯୋଗ  ଦେଇ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ।  କ୍ରିଜରେ ଜମିବା ପରେ ଉଭୟ ବିସ୍ଫୋରକ ସଟ୍‌ମାନ  ଖେଳିଥିଲେ । ନ୍ୟୁଜିଲାଣ୍ଡ ବୋଲର ଉପାୟଶୂନ୍ୟ  ମନେ ହୋଇଥିଲେ । ସର୍ଫରାଜ ଶତକ ଓ ପନ୍ତ  ଅର୍ଦ୍ଧଶତକ ଅର୍ଜନ କରିଥିଲେ । ତଥାପି ଭାଗିଦାରୀ  ଆଗେଇ ଚାଲିଥିଲା । ଦଳୀୟ ସ୍କୋର ୪୦୦ରେ  ପହଞ୍ଚିଥିଲା । ନ୍ୟୁଜିଲାଣ୍ଡ ନୂଆ ବଲ୍‌କୁ ଅପେକ୍ଷା  କରି ରହିଥିଲା । ୮୦ଓଭର ଶେଷ ହେବା ମାତ୍ରେ  ନୂଆ ବଲ୍‌ ନେଇଥିଲା ଓ ବାଜି ପଲଟିଥିଲା ।  ସର୍ଫରାଜଙ୍କୁ ଆଉଟ୍‌ କରିଥିଲେ ଟିମ ସାଉଦି ।  ସେ ୧୮ଚୌକା ଓ ୩ଛକା ବଳରେ ୧୫୦ ରନ୍‌  କରି ଆଉଟ୍‌ ହୋଇଥିଲେ ।  

ଏହାପରେ ଆରମ୍ଭ ହୋଇଯାଇଥିଲା ବିପର୍ଯ୍ୟୟ ।  ପନ୍ତ ୯୯ ରନ୍‌ ସଂଗ୍ରହ କରି ଓ’ରୁର୍କଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଏହି ଇନିଂସରେ ସେ ୯ଟି ଚୌକା  ଓ ୫ଟି ଛକା ମାରିଥିଲେ । ୬ଟି ଟେଷ୍ଟ ଶତକ ଅର୍ଜନ  କରିସାରିଥିବା ପନ୍ତ ସ୍ୱଳ୍ପ କ୍ୟାରିୟର ମଧ୍ୟରେ ୭ଥର ୯୦ରୁ  ୯୯ ମଧ୍ୟରେ ଆଉଟ୍‌ ହୋଇ ସାରିଲେଣି । ପନ୍ତଙ୍କ ସହ ତାଳ  ଦେଇ ନିମ୍ନ ଭାଗ ବ୍ୟାଟରମାନେ ପାଭିଲିୟନକୁ ଲାଇନ  ଲଗାଇଥିଲେ । କେଏଲ ରାହୁଲ ୧୨, ରବିନ୍ଦ୍ର ଜାଡେଜା  ୫, ରବି ଅଶ୍ୱିନ ୧୫ ରନ୍‌ କରିଥିବାବେଳେ ବୁମରା ଖାତା  ଖୋଲିପାରିନଥିଲେ । ଦଳୀୟ ସ୍କୋର ୪୬୨ରେ ଅଟକି  ଯାଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଓ’ରୁର୍କ ଓ ହେନରୀ ୩ଟି  ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । 

୧୦୭ ରନ୍‌ର ଲକ୍ଷ୍ୟ ନେଇ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ  ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ମାତ୍ର ୪ଟି ବଲ୍‌ ପରେ  ଆଲୋକର ଅଭାବ ଦର୍ଶାଇ ଅମ୍ପାୟାର ଷ୍ଟମ୍ପ ଘୋଷଣା କରିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.