ପର୍ଥ,୨୨/୧୧: ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭରୁ ଝୁଣ୍ଚିଛି ଟିମ୍ ଇଣ୍ଡିଆ । ପର୍ଥ ଫାଇଟରେ ଭାରତୀୟ କ୍ରିକେଟ ଦଳର ଫ୍ଲପ ଶୋ ଦେଖିବାକୁ ମିଳିଛି । ବ୍ୟାଟ୍ସମ୍ୟାନ ବିଫଳ ହେଲେ ପଦାର୍ପଣ ମ୍ୟାଚ ଖେଳୁଥିବା ଖେଳାଳି ସମ୍ମାନ ରଖିଲେ । କଙ୍ଗାରୁ ବୋଲରଙ୍କ ଆଗରେ ତିଷ୍ଠି ପାରିଲେନି ଭାରତୀୟ ବ୍ୟାଟର । ଅଷ୍ଟ୍ରେଲିଆ ଦ୍ରୁତ ବୋଲରଙ୍କୁ ସାମ୍ନା କରି ପାରିନଥିଲେ ଭାରତର ଟପ୍ ଅର୍ଡର ବ୍ୟାଟର । ସଅଳ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଲା ଭାରତ । ବିରାଟ, ରାହୁଲ କାହା ବ୍ୟାଟ ଚାଲିଲା ନାହିଁ। ପ୍ରଥମ ଇନିଂସରେ ଭାରତ ମାତ୍ର ୧୫୦ରନରେ ଆଲଆଉଟ ହୋଇଛି । ପଦାର୍ପଣ ମ୍ୟାଚ ଖେଳୁଥିବା ନୀତିଶ କୁମାର ରେଡ୍ଡୀ ସର୍ବାଧିକ ୪୧ ରନ କରିଛନ୍ତି । ଅଷ୍ଟ୍ରେଲିଆର ଜୋସ୍ ହାଜେଲଉଡ ୨୯ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଛନ୍ତି ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଯଶପ୍ରୀତ ବୁମରାଙ୍କ ନେତୃତ୍ବାଧୀନ ଭାରତ । ଯଶସ୍ବୀ ଜୈସ୍ବାଲ ଓ ଦେବଦତ୍ତ ପାଡିକର ଓପିନିଂ କରିଥିଲେ । ଦେବଦତ୍ତ ଓ ଜୈସ୍ବାଲ ଖାତା ଖୋଲି ପାରିନପାରି ପାଭିଲିୟନ ଫେରିଥିଲେ । ଏହାପରେ କେଏଲ ରାହୁଲ ଓ ବିରାଟ କୋହଲି ବ୍ୟାଟିଂ ପାଇଁ ଆସିଥିଲେ । ୧୬ ଓଭର ଖେଳ ମଧ୍ୟରେ ବିରାଟ କୋହଲି ୫ ରନ କରି ପାଭିଲିୟନ ଫେରିଥିଲେ । ଏହା ପରେ ୪୭ ଓଭର ଖେଳରେ ରାହୁଲ ୨୬ ରନ କରି ଆଉଟ ହୋଇଥିଲେ । ଏହାପରେ ଋଷବ ପନ୍ତ ଓ ଧ୍ରୁବ ଜୁରେଲ ବ୍ୟାଟିଂ ଜାରି ରଖିଥିଲେ । ମାତ୍ର ୧୧ ରନ କରି ଆଉଟ ହୋଇଥିଲେ ଜୁରେଲ ।
ଏହା ପରେ ଋଷବ ପନ୍ତଙ୍କ ସାଥ ଦେଇଥିଲେ ୱାଶିଂଟନ ସୁନ୍ଦର । ମାତ୍ର ବେଶୀ ସମୟ ସେ ତିଷ୍ଠି ପାରି ନଥିଲେ । ମାତ୍ର ୪ ରନ କରି ୱାଶିଂଟନ ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର ୧୨୧ରେ ଭାରତର ୭ଟି ୱିକେଟ ପତନ ହୋଇଥିଲା । ଋଷବ ପନ୍ତ ୩୭ ରନ କରି ଆଉଟ ହୋଇଥିଲେ । ଏହା ପରେ ହର୍ଷିତ ରଣା ୭, ଯଶପ୍ରୀତ ବୁମରା ୮ ଓ ନୀତିଶ କୁମାର ୪୧ ରନ କରି ଆଉଟ ହୋଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହାଜେଲଉଡ ୨୯ ରନ ଦେଇ ସର୍ବାଧିକ ୪ଟି ୱିକେଟ ହାସଲ କରିଛନ୍ତି । ମିଚେଲ ଷ୍ଟାର୍କ ୩ଟି ଓ ପ୍ୟାଟ କମିନ୍ସ ୨ଟି ୱିକେଟ ହାସଲ କରିଛନ୍ତି ।