ପର୍ଥ,୨୨/୧୧: ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି। ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ। ଫିଲ୍ଡିଂ କରିବ ଘରୋଇ ଦଳ। ପର୍ଥ ଟେଷ୍ଟରେ ପଦାର୍ପଣ କରିବେ ନୀତିଶ ରେଡ୍ଡୀ, ହର୍ଷିତ ରାଣା।
‘ଭାରତ-ଅଷ୍ଟ୍ରେଲିଆ ସିରିଜ ଆସେସଠୁ ବି ବଡ଼ ।’‘ଐତିହାସିକ ଆସେସ ସହ ସମକକ୍ଷ ବର୍ଡର-ଗାଭାସ୍କର ଟ୍ରଫି ।’ ଏକଦା ଭାରତୀୟ ଦଳକୁ ତୁଚ୍ଛ ମନେ କରୁଥିବା ଅଷ୍ଟ୍ରେଲିଆର କିଛି ପୂର୍ବତନ ଖେଳାଳି କିଛି ଦିନ ତଳେ ଏଭଳି ମନ୍ତବ୍ୟ ଦେଇଥିଲେ । ସେମାନଙ୍କ ମନ୍ତବ୍ୟ ଭୁଲ ନୁହେଁ । କାରଣ ଅଷ୍ଟ୍ରେଲିଆର ପୂର୍ବ ଗର୍ବ ଭାଙ୍ଗି ସାରିଛି । ଅଷ୍ଟ୍ରେଲିଆରେ ଭାରତୀୟ ଦଳ କ୍ରମାନ୍ୱୟରେ ୨ଥର ସିରିଜ ଜିତିଛି। ଲୋକପ୍ରିୟତା, କଡ଼ା ପ୍ରତିଦ୍ୱନ୍ଦ୍ୱିତା ଓ ଆୟ, ସବୁ ଦୃଷ୍ଟିରୁ ବର୍ଡର-ଗାଭାସ୍କର ଟ୍ରଫି ଆଗରେ ରହିଛି ।
ଆସେସ ପଛରେ ଇତିହାସ ଥାଇପାରେ, ହେଲେ ବର୍ଡର-ଗାଭାସ୍କର ଟ୍ରଫିର ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଅନ୍ୟ ସବୁ ଟେଷ୍ଟ ସିରିଜକୁ ପଛରେ ପକାଇ ଦେଇଛି । ୩ବର୍ଷର ବ୍ୟବଧାନ ପରେ ଭାରତୀୟ ଦଳ ପୁଣି ଥରେ କଡ଼ା ଟକ୍କର ଦେବା ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚିଛି । ୨୦୨୦/୨୧ ସିରିଜରେ ଭାରତୀୟ ଦଳର ପ୍ରଦର୍ଶନ ଓ ସିରିଜ ଫଳାଫଳକୁ କ୍ରିକେଟ୍ ପ୍ରେମୀ ଭୁଲିବା କଷ୍ଟକର । ଠିକ୍ ସେହିଭଳି ଆଉ ଏକ ସିରିଜ ଶୁକ୍ରବାର ଆରମ୍ଭ ହେବ । ଏଥର ପର୍ଥର ଘାତକ ପିଚ୍ ଉଭୟ ଦଳକୁ ସ୍ୱାଗତ କରିବ । ଅପ୍ଟସ ଷ୍ଟାଡ଼ିୟମ୍ରେ ଟସ୍ ସହ ଆଗାମୀ ୪୭ ଦିନର ଲଢେଇ ପାଇଁ ଉଭୟ ଦଳ ପ୍ରସ୍ତୁତ ରହିଛନ୍ତି।
ଅସନ୍ତୁଳିତ ଏକାଦଶ
ଭାରତ ଏକାଧିକ ଅନଭିଜ୍ଞ ଖେଳାଳିଙ୍କୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ରୋହିତ ଶର୍ମା ଓ ଶୁଭମନ ଗିଲ୍ ଅନୁପସ୍ଥିତ ଥିବାରୁ ଭାରତର ବ୍ୟାଟିଂ ବିଭାଗ ଅସନ୍ତୁଳିତ ଜଣା ପଡ଼ୁଛି । ବ୍ୟାଟିଂ କ୍ରମରେ ଅନେକ ଖେଳାଳିଙ୍କ ସ୍ଥାନ ଅସ୍ଥାୟୀ । କେ ଏଲ ରାହୁଲ ଦୀର୍ଘ ବର୍ଷ ପରେ ଓପନ୍ କରିବେ। ଦ୍ୱିତୀୟ ଟେଷ୍ଟ ବେଳକୁ ରୋହିତ ଫେରିବା ପରେ ତାଙ୍କ ସ୍ଥାନ ବଦଳି ଯିବ । ୩ନଂ ସ୍ଥାନରେ ଖେଳିବାକୁ ଯାଉଥିବା ଦେବଦତ୍ତ ପାଡ଼ିକଲ ମଧ୍ୟ ପରବର୍ତ୍ତୀ ଟେଷ୍ଟ ଖେଳିବେ କି ନାହିଁ ଜାଣନ୍ତି ନାହିଁ । ଗିଲ ଫେରିଲେ ସେ ଏକାଦଶରୁ ବାଦ ପଡ଼ିପାରନ୍ତି । ବ୍ୟାଟିଂ କ୍ରମର ୬ନଂ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ସୁଯୋଗ ମିଳିଛି । ସେହିପରି ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କ ପଦାର୍ପଣକୁ କରିଛନ୍ତି ।
ପଦାର୍ପଣ ଦୌଡ଼
ଶୁକ୍ରବାର ଉଭୟ ଦଳରେ କିଛି ଖେଳାଳି ପଦାର୍ପଣ କରିବେ । ଅଷ୍ଟ୍ରେଲିଆ ଯୁବ ଓପନର ନାଥାନ ମ୍ୟାକ୍ସ୍ୱିନିଙ୍କୁ ଖେଳାଇବାକୁ ନିଷ୍ପତ୍ତି ନେଇଛି। ଫଳରେ ଷ୍ଟିଭେନ ସ୍ମିଥ୍ ପୂର୍ବ ଭଳି ୪ନଂ ସ୍ଥାନରେ ବ୍ୟାଟିଂ କରିବେ । ବାକି ୧୦ଟି ସ୍ଥାନ ଅପରିବର୍ତ୍ତିତ ରହିବ । ଭାରତର ନୀତିଶ ଓ ହର୍ଷିତ ରାଣାଙ୍କୁ ପଦାର୍ପଣ କରାଇବାକୁ ଯୋଜନା କରିଛି । ନୀତିଶ ବ୍ୟାଟିଂ ଅଲ୍ରାଉଣ୍ଡର ଓ ହର୍ଷିତ ପେସ୍ ବୋଲିଂ ଅଲରାଉଣ୍ଡର ।
ନଜରରେ କୋହଲି, ଲାବୁସାନ
ଶ୍ରେଷ୍ଠ ବ୍ୟାଟର ବିରାଟ କୋହଲିଙ୍କ ଉପରେ ଭାରତ ସର୍ବଦା ନିର୍ଭରଶୀଳ । ଫର୍ମରେ ନଥିଲେ ମଧ୍ୟ ତାଙ୍କୁ ହାଲକା ମନେ କରିବା ମହଙ୍ଗା ପଡ଼ିବ। ଶୋଇଥିବା ସିଂହକୁ ନିଦରୁ ଉଠାଇବାକୁ ଅଷ୍ଟ୍ରେଲିଆ ଚାହିଁବ ନାହିଁ । କିନ୍ତୁ ମାର୍ନସ ଲାବୁସାନଙ୍କ ପାଇଁ ଭାରତ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଜରୁରି । ଅପ୍ଟସରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏଠାରେ ୩ଟି ଟେଷ୍ଟ ଖେଳି ସେ ୧୦୩.୮୦ ହାରରେ ମୋଟ୍ ୫୧୯ ରନ୍ ସଂଗ୍ରହ କରିସାରିଛନ୍ତି । ଏଥିରେ ଗୋଟିଏ ଦ୍ୱିଶତକ ଓ ୨ଟି ଶତକ ରହିଛି ।
ବୁମରାଙ୍କ ଉପରେ ଗୁରୁଦାୟିତ୍ୱ
ଉଭୟ ନେତୃତ୍ୱ ଓ ପ୍ରଦର୍ଶନକୁ ନେଇ ଯଶପ୍ରୀତ ବୁମରାଙ୍କ ଉପରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ । ସବୁ ସିରିଜ ଭଳି ତାଙ୍କ ପ୍ରଦର୍ଶନ ଉପରେ ମୁଖ୍ୟତଃ ଦଳର ଭାଗ୍ୟ ନିର୍ଭର କରିବ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ସେ ଦଳର ମଙ୍ଗ ଧରିଛନ୍ତି । ତାଙ୍କ ରଣନୀତି, ଫିଲ୍ଡ ସଜ୍ଜା ଓ ପରିସ୍ଥିତି ଅନୁଯାୟୀ ବୋଲିଂ ପରିବର୍ତ୍ତନ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଅଷ୍ଟ୍ରେଲିଆରେ ବୁମରାଙ୍କ ପ୍ରଦର୍ଶନ ବେଶ୍ ଚମତ୍କାର ରହିଛି । ଅଷ୍ଟ୍ରେଲିଆରେ ତାଙ୍କ ବୋଲିଂ ଆଭରେଜ ୨୧.୨୫ ରହିଛି ।
ଅପ୍ଟସ ଷ୍ଟାଡ଼ିୟମ୍ ପେସ୍ ବୋଲରଙ୍କୁ ସହାୟତା କରିବା ନିଶ୍ଚିତ ରହିଥିଲେ ହେଁ ନାଥାନ ଲାୟନ ତାଙ୍କ ଦକ୍ଷତା ପ୍ରମାଣ କରିବାକୁ ପଛାଇବେ ନାହିଁ । ସେ ଏଠାରେ ସର୍ବାଧିକ ୨୭ଟି ୱିକେଟ୍ ଅକ୍ତିଆର କରିଛନ୍ତି ଓ ଏଥିରେ ୨ଟି ୫ୱିକେଟ୍ ସଫଳତା ରହିଛି ।
ଫାଷ୍ଟ ବୋଲିଂର ସ୍ୱର୍ଗ: ପ୍ରଥମ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ ପେସ୍ ବୋଲରଙ୍କୁ ସହାୟତା କରିବା ନିଶ୍ଚିତ । ମାତ୍ର ଏହି ପିଚ୍ରେ ରନ୍ ସଂଗ୍ରହ କଷ୍ଟକର ହେବ ନାହିଁ । ଥରେ କ୍ରିଜରେ ଜମିଲେ ରନ୍ ସଂଗ୍ରହ ସହଜ ହେବ ବୋଲି କ୍ୟୁରେଟର ପ୍ରକାଶ କରିଛନ୍ତି । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ଭାରତ: ଯଶପ୍ରୀତ ବୁମରା (ଅଧିନାୟକ) ଯଶସ୍ୱୀ ଜୈସ୍ୱାଲ୍, କେଏଲ ରାହୁଲ, ଦେବଦତ୍ତ ପାଡ଼ିକଲ, ବିରାଟ କୋହଲି, ରିଷଭ ପନ୍ତ, ଧ୍ରୁବ ଜୁରେଲ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଓ୍ବାଶିଂଟମ୍ ସୁନ୍ଦର, ମହମ୍ମଦ ସିରାଜ, ।
ଅଷ୍ଟ୍ରେଲିଆ: ପ୍ୟାଟ୍ କମିନ୍ସ (ଅଧିନାୟକ) ଉସମାନ ଖୱାଜା, ନାଥାନ ମ୍ୟାକ୍ସ୍ୱିନି, ମାର୍ନସ ଲାବୁସାନ, ଷ୍ଟିଭେନ ସ୍ମିଥ୍, ଟ୍ରେଭିସ୍ ହେଡ୍, ମିଚେଲ ମାର୍ଶ, ଆଲେକ୍ସ କ୍ୟାରୀ, ମିଚେଲ ଷ୍ଟାର୍କ,ନାଥାନ ଲାୟନ, ଜୋସ ହାଜେଲଉଡ ।