୧୪।୭: ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତ । ଚୀନ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଅଛି, କିନ୍ତୁ ଆଗାମୀ ଦଶନ୍ଧିରେ ଏହି ଚିତ୍ର ପରିବର୍ତ୍ତନ ହେବାକୁ ଯାଉଛି । ପ୍ୟୁ ରିସର୍ଚ୍ଚ ଅନୁଯାୟୀ, ଆଗାମୀ ଦଶନ୍ଧିରେ ଭାରତ ଆଉ ଯୁବା ସଂଖ୍ୟା ବିଶିଷ୍ଟ ଦେଶ ରହିବ ନାହିଁ ଏବଂ ଏହାର ଜନସଂଖ୍ୟା ବୃଦ୍ଧି ଉପରେ ରୋକ୍ ଲାଗିବ । ୨୦୬୧ ସୁଦ୍ଧା ଭାରତର ଜନସଂଖ୍ୟା ୧.୭ ବିଲିୟନକୁ ବୃଦ୍ଧି ପାଇବ, କିନ୍ତୁ, ଏହା ପରେ ଧିରେ ଧିରେ ହ୍ରାସ ପାଇବା ଆରମ୍ଭ କରିବ ଏବଂ ୨୧୦୦ ମସିହାରେ ୧.୫ ବିଲିୟନ ହୋଇଯିବ । ଆକଳନ ଅନୁଯାୟୀ, ୨୧୦୦ ମସିହାରେ ଚୀନର ଜନସଂଖ୍ୟା କେବଳ ୬୩ କୋଟି ହେବ । ଏହା ବ୍ୟତୀତ ଆମେରିକାର ଜନସଂଖ୍ୟା ୪୨ କୋଟି ହେବ । ଆଗାମୀ କିଛି ବର୍ଷ ପରେ ଚୀନ୍ ତୁଳନାରେ ଦ୍ୱିଗୁଣିତ ହେବ ଭାରତର ଜନସଂଖ୍ୟା ।
ଆମେରିକାର ଜନସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବ, କିନ୍ତୁ, ଭାରତର ଜନସଂଖ୍ୟା ହ୍ରାସ ପାଇବ । ଜନସଂଖ୍ୟା ହ୍ରାସ ପରେ ମଧ୍ୟ ୨୧୦୦ ସୁଦ୍ଧା ଅର୍ଥାତ୍ ୭୫ ବର୍ଷ ପରେ ଭାରତର ଜନସଂଖ୍ୟା ଚୀନ୍ ତୁଳନାରେ ଦୁଇଗୁଣରୁ ଅଧିକ ହେବ । ଗୋଟିଏ ପଟେ, ୨୧୦୦ମସିହାରେ ଭାରତର ଜନସଂଖ୍ୟା ୧.୫ ବିଲିୟନ ହେବ, ଯେତେବେଳେ ଚୀନର ଜନସଂଖ୍ୟା କେବଳ ୬୩ କୋଟି ରହିବ । ଏହାର କାରଣ ହେଉଛି ଲୋକମାନେ ଚୀନରେ ଦୀର୍ଘ ସମୟ ଧରି ପ୍ରଚଳିତ ଏକ ସନ୍ତାନ ନୀତିକୁ ଆପଣେଇସାରିଛନ୍ତି । ଯଦିଓ ଚୀନ ସରକାର ବର୍ତ୍ତମାନ ଏହି ନୀତିକୁ ବାତିଲ କରିଦେଇଛନ୍ତି ଏବଂ ଜନସଂଖ୍ୟା ବୃଦ୍ଧିକୁ ଉତ୍ସାହିତ କରୁଛନ୍ତି, ତଥାପି ଚୀନବାସୀ ଅଧିକ ସନ୍ତାନ ଜନ୍ମ କରିବାକୁ ଆଗ୍ରହୀ ନୁହଁନ୍ତି ।
ପ୍ୟୁ ରିସର୍ଚ୍ଚ ଅନୁଯାୟୀ, ୨୧୦୦ ମସିହାରେ ବିଶ୍ୱର ଜନସଂଖ୍ୟାର ୬୦% ବୃଦ୍ଧି ୫ଟି ଦେଶରୁ ହେବ । ସେହି ଦେଶଗୁଡ଼ିକ ହେଉଛି, କଙ୍ଗୋ, ଇଥିଓପିଆ, ନାଇଜେରିଆ, ପାକିସ୍ତାନ ଏବଂ ତାଞ୍ଜାନିଆ । ଏହି ଆକଳନରୁ ସ୍ପଷ୍ଟ ଯେ, ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ଜନସଂଖ୍ୟା ବୃଦ୍ଧି ଜାରି ରହିବ । ପାକିସ୍ତାନରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କିଛି ପଦକ୍ଷେପର ଅଭାବ ରହିଛି । ଏହାର କାରଣ ହେଉଛି ନିରକ୍ଷରତା, ଦାରିଦ୍ର୍ୟ ଏବଂ ଅନ୍ୟାନ୍ୟ ଜିନିଷ । ଆପଣଙ୍କୁ କହିରଖୁଛୁ ଯେ, ନାଇଜେରିଆ ଏବଂ ଇଥିଓପିଆ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟରେ ଅନ୍ତର୍ଭୁକ୍ତ । ଉଭୟ ଆଫ୍ରିକୀୟ ଦେଶ । ଆଗାମୀ ଦଶନ୍ଧିଗୁଡ଼ିକରେ ଆଫ୍ରିକୀୟ ଦେଶଗୁଡ଼ିକରେ ବିଶ୍ୱର ସବୁଠାରୁ ଅଧିକ ଯୁବପିଢ଼ି ରହିବେ । ବିଶ୍ୱରେ ହାରାହାରି ବୟସ ୪୨ ବର୍ଷକୁ ବୃଦ୍ଧି ପାଇବ । ଏଥିସହ ୨.୫ ବିଲିୟନ ଲୋକେ ବୃଦ୍ଧ ହେବେ । ଏହା ବ୍ୟତୀତ ଆମେରିକା ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ କିନ୍ତୁ, ୨୧୦୦ ସୁଦ୍ଧା ଏହା ଷଷ୍ଠ ସ୍ଥାନରେ ରହିବ । ୨୧୦୦ ସୁଦ୍ଧା ବିଶ୍ୱର ହାରାହାରି ବୟସ ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କ ସହିତ ସମାନ ହେବ ।