ଭବାନୀପାଟଣା,୫।୬: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅର୍ନ୍ତଗତ ଲାଖବହଳି ପଥର ଖଣିରୁ ଅବୈଧ ବିସ୍ଫୋଟକ ଜବତ। ସମ୍ପୃକ୍ତ ୪ ଅବିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେପଟେ ଏହି ଘଟଣାକୁ ନେଇ ଜୟପଟଣା ଥାନାରେ ମାଇନିଙ୍ଗ ବିଭାଗ ପକ୍ଷରୁ ରୁଜୁ ହୋଇଛି ମାମଲା ।
ସୂଚନା ଅନୁସାରେ, ଆଜି ସକାଳୁ କନିଷ୍ଠ ଖଣି ଅଧିକାରୀ ପ୍ରଶାନ୍ତ କାର୍ଜି ଜୟପଟଣା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ସେ ଦେଇଥିବା ରିପୋର୍ଟ ଅନୁସାରେ, ଗତ ୪ ତାରିଖରେ କଳାହାଣ୍ଡି ପୁଲିସର ଏକ ଯୁଗ୍ମ ଚଢ଼ାଉ ବେଳେ ଲଖବହଳି ଖଣିରେ ଦୁଇ କଣ୍ଟେନର ଗାଡ଼ିରୁ ୬,୫୦୦ କି.ଗ୍ରା. ବିସ୍ଫୋଟକ ଜବତ କରାଯାଇଛି।ଜବତ ବିସ୍ଫୋଟକରେ ୧୦୦ ଆଇଡିଏଲ ବୁଷ୍ଟ ସିଡିଏ କାର୍ଟୁସ୍ , ଆପେକ୍ସ କର୍ଡ ଓ ୧୧୫ଟି ଡିଟୋନେଟର୍ ଜବତ୍ ହୋଇଛି। ଅଭିଯୋଗ ଅନୁସାରେ ଖଣି ମାଲିକ ଜନାର୍ଦନ ପଣ୍ଡା ବିନା ମାନ୍ୟତାପ୍ରାପ୍ତ ଖଣି ଯୋଜନା ଓ ଭଣ୍ଡାରଣ ଲାଇସେନ୍ସର ବ୍ୟବସ୍ଥା ବିନା ବିସ୍ଫୋଟକ ମାଗାଇଥିବା ନେଇ କଳାହାଣ୍ଡି ପୁଲିସ ପକ୍ଷରୁ ଜଣଯାଇଛି। ଏହି ମାମଲାରେ ଏକ ଘରୋଇ କମ୍ପାନୀ ଓ ତାଙ୍କ ପ୍ରତିନିଧିଙ୍କ ଉପରେ ବି ଅଭିଯୋଗ ହୋଇଛି। ତଦନ୍ତରେ ଖଣିର ସୁପରଭାଇଜର ଜଗନ୍ନାଥ ତିୱାରୀ ଓ ଗାଡ଼ି ଚାଳକ ଧର୍ମ ପୋଢ଼ ସମ୍ପୃକ୍ତ ଥିବା ପ୍ରମାଣ ମିଳିଛି। ଏହି ଘଟଣାରେ ଜୟପଟଣା ଥାନାରେ ଧାରା ୫୧(୧) ଓଏମ୍ଏମସି ନିୟମାବଳୀ ଓ ଏକ୍ସପ୍ଲୋସିଭ୍ ସଵସ୍ଟାନ୍ସ ଧାରା ୪ ଓ ୫ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ନେଇ କଳାହାଣ୍ଡି ଏସପି ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି।