ଭୁବନେଶ୍ୱର ୯/୧୧: ଜନ୍ମଦିନରେ ଘରେ କ୍ଷୀରି-ପିଠା ବଦଳରେ, ଗାଁଠୁ ସହର ସବୁଠି ଏବେ କେକ୍କଟା । ଚକୁଳି, ଚିତଉ, ଗଇଁଠା ଓ ମଣ୍ଡାପିଠା ବଦଳରେ ନୂଆ ପିଢିର ପିଲାଏ ଖୋଜୁଛନ୍ତି ମୋମୋ, ପିଜା, ପେଟିସ୍ ଓ ବର୍ଗର୍ । ଛୁଞ୍ଚିପତ୍ର, ଏଣ୍ଡୁରୀର ନାଁ ଓ ମହକ ହଜିଗଲାଣି । ପୂରା ହଜି କି ଲିଭି ଯାଇନଥିଲେ ବି ଆମ ଓଡ଼ିଆ ଘରର କାନ୍ଥମାନଙ୍କରୁ ଚିତା, ଦୁଆରମୁହଁରୁ ଝୋଟି, ଚଉରା ମୂଳରୁ ମୁରୁଜ, ବୃନ୍ଦାବତୀଙ୍କ ଉପରୁ ବସନ୍ତରା ଘଡ଼ିର ପରମ୍ପରା କ୍ରମେ ଅଦୃଶ୍ୟ ହେବାକୁ ବସିଲାଣି । ଡଙ୍ଗାଭସା, ଖଣ୍ଡାପୂଜା, ଭାଗବତ ଟୁଙ୍ଗି, ଆକାଶଦୀପ, ବାଡ଼ିଖେଳ, ରଜଦୋଳି ଗୀତ, ବଡ଼ବଡ଼ୁଆ ଡାକଠୁ ଆରମ୍ଭ କରି ଛାନ୍ଦ, ଚଉପଦୀ, ପାଲା, ଦାଶକାଠିଆ, ଘୋଡ଼ାନାଚ, ଖଞ୍ଜଣି ଭଜନ, ସଂକୀର୍ତ୍ତନ, ଗାଁ ଯନ୍ତାଳ.. ଭଳି ଆମ ନିଜସ୍ୱ ‘ଓଡ଼ିଆପଣ’ର ପରିଚିତି ଓ ସଂସ୍କୃତି ଧିରେ ଧିରେ ଭୂଇଁରେ ଲୋଟିବାକୁ ବସିଲାଣି । ବିଦେଶୀ ସଂସ୍କୃତି ଓ ପରମ୍ପରାର ଛାପ କ୍ରମେ କବଳିତ କରୁଛି ଆମ ଜୀବନଚର୍ଯ୍ୟାକୁ, ଜୀବନଯାତ୍ରାକୁ । ଏବେ ନିଷ୍ପତ୍ତି ନେବାର ସମୟ: ଆମ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ଆମେ ବଜାୟ ରଖିବା ନା ‘କଲମି-କଲ୍ଚର୍’ର ଛାଇ ତଳେ ହଜେଇଦେବା, ଉଜେଇଁଦେବା..? ‘ପ୍ରମେୟ’ର ଏକ ଅନାସକ୍ତ ଆଲୋଚନା ।
ଏଥର ଧନ୍ତେରାସ୍ରେ ପାଖାପାଖି ଦୁଇ ଶହ କୋଟିର ସୁନା, ରୁପା ଓ ପ୍ଲାଟିନମ୍ କିଣିଛନ୍ତି ଓଡ଼ିଶାର ଲୋକେ । ବଜାର-ବିଶେଷଜ୍ଞମାନଙ୍କ ହିସାବ କହୁଛି, ଆମ ରାଜ୍ୟର ଧନୀକ ବର୍ଗ ଏବର୍ଷ ଧନ୍ତେରାସ୍ରେ ମୂଲ୍ୟବାନ ଧାତୁର ଅଳଙ୍କାର ଓ ମୁଦ୍ରା ସହ ବିଳାସପୂର୍ଣ୍ଣ ଗାଡ଼ି, ଦେବାଦେବୀଙ୍କ ଧାତବ ମୂର୍ତ୍ତି, ଧାତୁନିର୍ମିତ ସୌକିନ୍ ସାମଗ୍ରୀ, ଘରକରଣା ଓ ନୂଆ ବସ୍ତ୍ର କିଣିବାରେ ହାତଖୋଲା ଖର୍ଚ୍ଚ କରିଛନ୍ତି। ପରିମାଣ ପ୍ରାୟ ଦୁଇ ଶହ କୋଟି ଟପିଯିବ । ମଧ୍ୟବିତ୍ତ ବର୍ଗର ଲୋକେ ଚାନ୍ଦି, ପିତଳ, କଂସା, ତମ୍ବା, କ୍ରିଷ୍ଟାଲ୍ ଭଳି ଧାତୁ ସହ କିଣିଛନ୍ତି ମନିପ୍ଲାଣ୍ଟ୍ ଓ ଘରସଜ୍ଜା ଉପକରଣାଦି । ଆର୍ଥିକ ଅସ୍ୱଚ୍ଛଳ ବର୍ଗ ଓ ନିମ୍ନ-ମଧ୍ୟବିତ୍ତ ଶ୍ରେଣୀର ଲୋକେ ବେଶି କିଣିଛନ୍ତି ଝାଡୁ, ଲୁଣ, ଧନିଆ, ଦେବାଦେବୀଙ୍କ ସାନ ସାନ ପିତଳ ମୂର୍ତ୍ତି, ପିତଳର ପୂଜାସାମଗ୍ରୀ ଓ କଂସା, ତମ୍ବାର ବାସନକୁସନ । ସବୁଠୁ ବେଶି ବିକ୍ରି ହୋଇଛି ଝାଡୁ ବା ଛାଞ୍ଚୁଣି । ୟୁ-ଟ୍ୟୁବ୍ ଭିଡିଓ ଓ ହ୍ୱାଟ୍ସ୍ଆପ୍ ମେସେଜ୍କୁ ମାନି ଲୋକେ ଝାଡୁମୁଠାରେ ନାଲି ସୁତା ବାନ୍ଧି ଘରକୁ ଆଣିଛନ୍ତି ।
ପିତଳ-କଂସାଠୁ ଝାଡୁ-ଲୁଣଯାଏ ସାମଗ୍ରୀ ଅଧିକ ମୂଲ୍ୟବାନ ହୋଇନଥିଲେ ବି ଏସବୁର ପରିମାଣ ଢେର୍ ବେଶି ହୋଇଥିବାରୁ ଏବର୍ଷର ମୋଟ ଧନ୍ତେରାସ୍ ଖରିଦ୍ଦାରି ବ୍ୟୟ ଅଢ଼େଇ ଶହ କୋଟି ପାର୍ ହୋଇଯିବ ବୋଲି ଆକଳନ କରାଯାଉଛି । ତେବେ ବିଡ଼ମ୍ବନାଟି ହେଲା, ତିନି-ଚାରି ଦଶନ୍ଧି ଆଗରୁ ଗ୍ରାମୀଣ ଓଡ଼ିଶାରେ ଧନ୍ତେରାସ୍ ଶବ୍ଦଟି ପ୍ରାୟତଃ ଅପରିଚିତ ଓ ଅବ୍ୟବହୃତ ଥିଲା । ସିଧାସଳଖ କହିଲେ, ଧନ୍ତେରାସ୍ରେ ମୂଲ୍ୟବାନ ଧାତୁଠୁ ଆରମ୍ଭ କରି ଝାଡୁ ଓ ଲୁଣ କିଣିବାର ପରମ୍ପରା ଓଡ଼ିଶାରେ ଆଦୌ ନଥିଲା । ବରଂ ଅକ୍ଷୟ ତୃତୀୟାକୁ ଶୁଭ ମାନୁଥିଲେ ଲୋକେ, ଧାତୁ ଦ୍ରବ୍ୟ କିଣାକିଣି ପାଇଁ । ବିଗତ ତିରିଶ-ଚାଳିଶ ବର୍ଷ ଭିତରେ କିନ୍ତୁ ଚିତ୍ର ହୁବହୁ ବଦଳି ଯାଇଛି । ଏବେ ସହରଠୁ ଗାଁ .. ସବୁଠି ଧନ୍ତେରାସ୍ରେ ଧୁମ୍ ଧାତୁ କିଣା ଚାଲିଛି ।
ଦୀପାବଳି (ତଥାକଥିତ ଭାଷାରେ ଛୋଟି ଦିୱାଲି ଓ ବଡ଼ି ଦିୱାଲି) ରେ ବି ନୂଆ କିଛି କିଣାକିଣିର ପରମ୍ପରା ଆମ ଚଳଣିରେ କ୍ରମେ ଯୋଡ଼ି ହୋଇଗଲାଣି । ଏ ଦୁଇ ପାର୍ବଣରେ ଧାତୁ, ଝାଡୁ ବା ଲୁଣ କିଣିଲେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ବୋଲି ‘ବିଶ୍ୱାସ (?)’ କ୍ରମେ ଆମ ମାନସିକତାରେ ନୂଆ ଏକ ‘କ୍ରୟ ସଂସ୍କୃତି’କୁ ଯୋଡ଼ି ସାରିଲାଣି । ଆଗରୁ ଆମ ଓଡ଼ିଆ ଘରର ପରମ୍ପରାରେ ନିଜ ଜନ୍ମଦିନରେ ନୂଆ ବସ୍ତ୍ର ପିନ୍ଧୁଥିଲେ ସମସ୍ତେ । ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠପୂର୍ଣ୍ଣମୀରେ ଜ୍ୟେଷ୍ଠ ବା ବଡ଼ ପୁଅ-ଝିଅମାନେ, ଗଣେଶ ପୂଜା ଓ ସରସ୍ୱତୀ ପୂଜାରେ ବିଦ୍ୟାର୍ଥୀମାନେ, ରଜ ଓ କୁମାରପୂର୍ଣ୍ଣମୀରେ କୁମାରୀମାନେ ନୂଆ ପିନ୍ଧିବାର ପରମ୍ପରା ଥିଲା । ପର୍ବପର୍ବାଣି, ଉତ୍ସବ, ଅନୁଷ୍ଠାନ ଓ ଶୁଦ୍ଧିକର୍ମ କଥା ଅଲଗା । ଏବେ ବିଶ୍ୱାୟନ (ଗ୍ଲୋବାଲାଇଜେସନ୍)ର ଯୁଗରେ, ଟିପ ଅଗରେ ଅନ୍ଲାଇନ୍ ବଜାର । ବର୍ଷଯାକ ରିବେଟ୍, ଡିସ୍କାଉଣ୍ଟ୍, କ୍ଲିୟରାନ୍ସ୍ ସେଲ୍, ଏତେ ଧ ଅଫ୍ର ଅଫର୍ ଓ ଆକର୍ଷଣ.. ଜନ୍ମ ଦେଇ ସାରିଛି ଉପଭୋଗବାଦ ଓ କ୍ରୟ ସଂସ୍କୃତିକୁ । ଫଳସ୍ୱରୂପ, ଦରକାର ଥାଉନଥାଉ ବର୍ଷସାରା ଚାଲିଛି ନୂଆ କିଛି କିଣାକିଣି । ନୂଆ ରକମର ଖାଦ୍ୟ, ନୂଆ ପୋଷାକ, ନୂଆ ଅନୁଭବକୁ ଆପଣାଉଛନ୍ତି ଥିଲାବାଲାଏ ।
ଏ ‘ନୂଆ’ ଚକ୍କର୍ରେ କିନ୍ତୁ ପେଷି ହୋଇଗଲାଣି ଆମ ଓଡ଼ିଆ ଘରର ସଂସ୍କୃତି, ପରମ୍ପରା, ଚଳଣି ଓ ପର୍ବପର୍ବାଣି । ଜନ୍ମଦିନରେ କ୍ଷୀରି- ପିଠା ବଦଳରେ, ଗାଁଠୁ ସହର ଏବେ ସବୁଠି କେକ୍କଟା । ଚକୁଳି, ଚିତଉ, ଗଇଁଠା ଓ ମଣ୍ଡାପିଠା ବଦଳରେ ନୂଆ ପିଢିର ପିଲାଏ ଖୋଜୁଛନ୍ତି ମୋମୋ, ପିଜା, ପେଟିସ୍ ଓ ବର୍ଗର୍ । ଡଙ୍ଗାଭସା, ଖଣ୍ଡାପୂଜା, ପାଇକଆଖଡ଼ା, ବାଡ଼ିଖେଳ, ବାଗୁଡ଼ି, ଲୁଣେଇ, ଲୁଚକାଳି, ବୋହୂଚୋରି, ଛାନ୍ଦ, ଚଉପଦୀ, ଚମ୍ପୁ, ଖଞ୍ଜଣି ଭଜନ, ଆକାଶଦୀପ, ସଂକୀର୍ତ୍ତନ, ଗାଁ ଯନ୍ତାଳ.. ଭଳି ଆମ ନିଜସ୍ୱ ‘ଓଡ଼ିଆପଣ’ ର ପରିଚିତି ଓ ସଂସ୍କୃତି ଧିରେ ଧିରେ ଭୂଇଁରେ ଲୋଟିବାକୁ ବସିଲାଣି ।
ବଦଳରେ, ଆମ ଦୈନନ୍ଦିନ ଜୀବନଧାରାକୁ ଧସେଇ ପଶିଲାଣି ଅନ୍ୟ ରାଜ୍ୟରୁ ଆମଦାନୀ ବା ଉଧାର୍କରା ସଂସ୍କୃତି³ ନାଚଗୀତ, ଖାଦ୍ୟାଭ୍ୟାସର ପରମ୍ପରା । ସବୁରି ଅଲକ୍ଷ୍ୟରେ ବିଗତ ତିନି ଦଶନ୍ଧି ଭିତରେ ଆସ୍ତେ ଆସ୍ତେ କରି ବୋଲ୍ବମ୍ କାଉଡ଼ି ଯାତ୍ରା ଆସି ସାମିଲ୍ ହୋଇଗଲାଣି ଆମ ସଂସ୍କୃତିରେ, ଶ୍ରାବଣ ମାସର ପର୍ବ ତାଲିକାରେ ।
ଦେଶର ବିଭିନ୍ନ ପ୍ରାନ୍ତରେ ନବରାତ୍ରି ବେଳେ ଅନୁଷ୍ଠିତ କନ୍ଜକ୍ ବା କନ୍ୟାପୂଜା ପରମ୍ପରା, ଏପରିକି ଭିନ୍ନ ଭିନ୍ନ ପ୍ରାନ୍ତରେ ପାଳିତ କର୍ୱାଚୌଥ୍ ଭଳି ବ୍ରତ ବି ଭିନ୍ନ ରୂପରେ ଯୋଡ଼ି ହେଲାଣି ଆସି ଆମ ଓଷା ତାଲିକାରେ । ଦୋଳ ପର୍ବର ଲଉଡ଼ି ଖେଳକୁ ଆମେ ଏକପ୍ରକାର ଉଜେଇଁ ଦେଇ ସାରିଥିବା ବେଳେ, ଏବେ ଦଶରା ବେଳେ ଦାଣ୍ଡିଆ ମାୟାରେ ଆମ ଯୁବ ପିଢ଼ି ଏକରକମ୍ ବାୟା ।
ଦେଶ-ବିଦେଶର ବା ବାହାର ରାଜ୍ୟର ସଂସ୍କୃତି, ଚଳଣି, ପରମ୍ପରା, ଓଷା, ବ୍ରତ, ପୂଜାବିଧି, ନୀତିକାନ୍ତିରୁ କିଛି ଭଲ ଭଲ ଉପାଦାନ ବା ବୈଶିଷ୍ଟ୍ୟକୁ ଗ୍ରହଣ କରିବାରେ, ଆଦରିନେବାରେ ବା ଅନୁସରଣ କରିବାରେ, କାହାରି କିଛି ଆପତ୍ତି ରହିବା ଉଚିତ ନୁହେଁ । ସଂସ୍କୃତି ଯେହେତୁ ଏକ ପରିବର୍ତ୍ତନଶୀଳ ପ୍ରବହମାନ ଧାରା, ଏହା କିଛି ଦୋଷାବହ ବ୍ୟାପାର ବି ନୁହେଁ । କିନ୍ତୁ ଆମ ନିଜସ୍ୱ ଓଡ଼ିଆ ସଂସ୍କୃତି, ଚଳଣି, ପ୍ରଥା ଓ ପରମ୍ପରାକୁ ହଜେଇ-ଉଜେଇଁ ଦେଇ, ଆମଦାନୀକରା ସଂସ୍କୃତି ଓ ଉଧାର୍ ପରମ୍ପରାକୁ ଆଦରି ନେବାଟା ପରୋକ୍ଷରେ ଏକ ‘ହାଇବ୍ରିଡ୍ ସଂସ୍କୃତି’କୁ ଆମ ଆଗରେ ଆଣି ଛିଡ଼ା କରିଦେଲାଣି ।
ଏବେ ରାଜ୍ୟବାସୀଙ୍କ ପାଇଁ ଚିନ୍ତା କରିବାର ସମୟ³ ଆଗାମୀ ଦିନରେ, ଆମ ଓଡ଼ିଆମାନଙ୍କର ସତରେ କେଉଁଥିରେ ରହିବ ଦାୟ୍? ସୁଅ ମୁହଁର ପତ୍ର ସାଜି, କଲମୀସଂସ୍କୃତିକୁ ଆଦରି ଆପଣାଇ ନେବାରେ? ନା, ଆମ ନିଜସ୍ୱ ସଂସ୍କୃତି, ପରିଚିତି, ପରମ୍ପରାକୁ ଅକ୍ଷୂର୍ଣ ଓ ବଜାୟ ରଖିବାରେ..³ ଓଡ଼ିଆ ଅସ୍ମିତାକୁ ବିଶ୍ୱ-ଦରବାରରେ ପ୍ରତିଷ୍ଠିତ କରିବାରେ?