ନବରଙ୍ଗପୁର,୧୧/୧୨ : ତିଆରି କରାଯାଇଛି ସ୍ୱତନ୍ତ୍ର ଫାଟକ । ଲଗାଯାଇଛି ସିସି କ୍ୟାମେରା । ଏମିତିକି କ୍ୟାମେରା ଖଞ୍ଜା ଯାଇଥିବା ଗାଡ଼ି ବି ଚଳପ୍ରଚଳ କରୁଛି । ଜିଲ୍ଲାର ଓଡ଼ିଶା ଛତିଶଗଡ଼ ସୀମାରେ ଉଭୟ ରାଜ୍ୟ ପକ୍ଷରୁ ହୋଇଛି ଏଭଳି କଡ଼ା ବ୍ୟବସ୍ଥା। ଉଦ୍ଦେଶ୍ୟ ଗୋଟିଏ। ଓଡ଼ିଶାର ଧାନ ଛତିଶଗଡ଼ ଯିବନି କି ଛତିଶଗଡ଼ ଧାନ ଓଡ଼ିଶା ଆସିବନି । ମୁଖ୍ୟ ରାସ୍ତାରେ ଉଭୟ ରାଜ୍ୟର ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା କରି କଡ଼ା ନଜର ରଖାଯାଇଛି । ଅଥଚ ପ୍ରଶାସନ ଡାଳେଡାଳେ ଗଲେ, ବେପାରୀ ଓ ଦଲାଲମାନେ ଯାଉଛନ୍ତି ପତ୍ରେପତ୍ରେ । ମାନେ ମୁଖ୍ୟ ରାସ୍ତା ଛାଡ଼ି ଗଳାବାଟ ଆପଣାଇଛନ୍ତି । ଏଥିଯୋଗୁ ଓଡ଼ିଶାର ଧାନ ଛତିଶଗଡ଼ରେ ପହଞ୍ଚିବାରେ କୌଣସି ସମସ୍ୟା ହେଉନି । ପ୍ରତିଦିନ ଜିଲ୍ଲାରୁ ୩୨ ଗଳା ବାଟ ଦେଇ ଶହଶହ କ୍ୱିଣ୍ଟାଲ ଧାନ ଛତିଶଗଡ଼ ଚାଲିଯାଉଛି । ଗତଥର ଭଳି ଏଥର ବି ଟାର୍ଗେଟ୍ ପୂରଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ପ୍ରଶାସନ କହୁଛି, ଗଳାବାଟ ଉପରେ ନଜର ରଖାଯିବ । ଅଥଚ ଯୋଗାଣ ବିଭାଗର ଯୁକ୍ତି ହେଲା, ଛତିଶଗଡ଼କୁ ଧାନ ଯିବା ଉପରେ କୌଣସି କଟକଣା ନାହିଁ । ସେଠାକାର ଧାନ ଓଡ଼ିଶା ନ ଆସୁ । ଛତିଶଗଡ଼କୁ ସଂଯୋଗ କରୁଛି ଜିଲ୍ଲାର ୪ଟି ମୁଖ୍ୟ ରାସ୍ତା । ରାଇଘର ବ୍ଲକର ଖିଲଲି, ଚନ୍ଦାହାଣ୍ଡି ବ୍ଲକର ଦଣ୍ଡାମୁଣ୍ଡା, କୋଷାଗୁମୁଡ଼ା ବ୍ଲକର ସନ୍ତୋଷପୁର ଏବଂ ପାପଡ଼ାହାଣ୍ଡି ବ୍ଲକର ମୈଦଲପୁର । ଏସବୁ ରାସ୍ତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି ଫାଟକ କରି ଉପରୋକ୍ତ ବ୍ୟବସ୍ଥା କରାଯାଇଛି । ସୀମା ଆରପାଶ୍ୱର୍ରେ ଛତିଶଗଡ଼ ପକ୍ଷରୁ ବି ଅନୁରୂପ ବ୍ୟବସ୍ଥା କରାଯାଇଛି । ୪ଟି ଫାଟକ ଉପରେ ନଜର ରଖିଛି ଆମ ପ୍ରଶାସନ । ଅଥଚ ଜିଲ୍ଲାର ୫ଟି ବ୍ଲକରୁ ମୁଖ୍ୟରାସ୍ତା ଛାଡ଼ି ଛତିଶଗଡ଼ ଯିବାକୁ ୩୨ଟି ଗଳାବାଟ ରହିଛି । ରାଇଘର ଦେଇ ୧୧ ଗଳାବାଟ ରହିଥିବା ବେଳେ କୋଷାଗୁମୁଡ଼ା ବ୍ଲକ ଦେଇ ୧୦ଟି, ଚନ୍ଦାହାଣ୍ଡି ବ୍ଲକ ଦେଇ ୫ଟି ଏବଂ ଉମରକୋଟ ବ୍ଲକ ଦେଇ ରହିଛି ୬ଟି । ଏସବୁ ରାସ୍ତା ଦେଇ ବେଧଡ଼କ୍ ଧାନ ଚାଲାଣ ହେଉଛି ।
ଗତବର୍ଷ ପଡ଼ୋଶୀ ଛତିଗଡ଼ରେ ଧାନ କୁଇଣ୍ଟାଲ ପିଛା ରହିଥିଲା ୩୧୦୦ ଟଙ୍କା । ଅଥଚ ଓଡ଼ିଶାରେ ଥିଲା ୨୧୮୩ ଟଙ୍କା । ଏଥିଯୋଗୁ ଗତବର୍ଷ ଜିଲ୍ଲାରେ ଧାନସଂଗ୍ରହ ଧାର୍ଯ୍ୟଲକ୍ଷ ପୂରଣ ହୋଇପାରି ନ ଥିଲା । ସେଠାରେ କ୍ୱିଣ୍ଟାଲ ପିଛା ଅଧିକ ୯୧୭ ଟଙ୍କା ମିଳୁଥିବାରୁ ମଧ୍ୟସ୍ଥି, ଦଲାଲ୍ ଓ ବେପାରୀଙ୍କ କମିସନ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଗଲା ପରେ ବି ଜିଲ୍ଲାର ଚାଷୀମାନେ ଧାନ ବିକି କିଛିଟା ମୁନାଫା ପାଇଥିଲେ । ଧାନ ସଂଗ୍ରହ ଟାର୍ଗେଟ୍ ୨୦ ହଜାର କୁଇଣ୍ଟାଲ ଥିବା ବେଳେ ମାତ୍ର ୧୨ ହଜାର କ୍ୱିଣ୍ଟାଲ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା ପ୍ରଶାସନ । ଅଥଚ ଏଥର ଓଡ଼ିଶା ସରକାର କୁଇଣ୍ଟାଲ ପିଛା ୩୧ ଶହ କରିଛନ୍ତି । ଉଭୟ ରାଜ୍ୟରେ ଦର ସମାନ ରହିଛି । ତଥାପି ଛତିଶଗଡ଼କୁ ଧାନ ଚାଲାଣ ହେବାରେ ଲାଗିଛି । ଏହାର କାରଣ ସମ୍ପର୍କରେ ଆମେ ଚାଷୀନେତା ବୃନ୍ଦା ତ୍ରିପାଠୀଙ୍କୁ ପଚାରିଥିଲୁ । ସେ କହିଛନ୍ତି, ଛତିଶଗଡ଼କୁ ଧାନ ଚାଲାଣ ପଛରେ ପ୍ରମୁଖ କାରଣ ହେଲା ଜିଲ୍ଲାରେ ଧାନମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ । ଦ୍ୱିତୀୟ କାରଣ ହେଲା ଏଠାରେ ଅଣଜଳସେଚିତ ଜମିରୁ ଏକର ପିଛା ୧୩ କୁଇଣ୍ଟାଲ ଏବଂ ଜଳସେଚିତ ଜମିରୁ ୧୯ କୁଇଣ୍ଟାଲ କିଣାଯାଉଛି । ଅଥଚ ଛତିଶଗଡ଼ରେ ଉଭୟ ଜମିରୁ ଏକର ପିଛା ୨୧ କୁଇଣ୍ଟାଲ କିଣାଯାଉଛି । ଛତିଶଗଡ଼ରେ ନଭେମ୍ବର ୧୪ରୁ ମଣ୍ଡି ଆରମ୍ଭ ହୋଇଗଲାଣି ।
ସୀମାନ୍ତବର୍ତ୍ତୀ ଅଞ୍ଚଳର ଛୋଟ ଚାଷୀମାନେ ଚାଷ ସମୟରେ ବେପାରୀଙ୍କଠାରୁ କରଜ କରିଥାନ୍ତି । ବର୍ଷା ଋତୁରେ ହିଁ ଧାନ ଦର ନିର୍ଦ୍ଧାରଣ କରିଥାନ୍ତି କରଜ ଦେଇଥିବା ବେପାରୀ । ଏହାକୁ ଆଖିରେ ରଖି ମଣ୍ଡିକୁ ଅପେକ୍ଷା ନ କରି ସହଳ ୨୫୦୦ରୁ ୨୮୦୦ ଟଙ୍କାରେ ବିକ୍ରି କରି କରଜ ସୁଝୁଛନ୍ତି । ବଡ଼ ଚାଷୀଙ୍କ ପାଖରେ ଅଧିକ ଜମି ଥିବାରୁ ଏକର ପିଛା ୧୩ କୁଇଣ୍ଟାଲ ମଣ୍ଡିରେ ବିକିବା ପରେ କିଛିଟା ନିଜ ପାଇଁ ରଖୁଛନ୍ତି । ବଳକା ଧାନକୁ ଯେଉଁଠି ଅଧିକ ଦର ମିଳିଲା ସେଠାରେ ବିକୁଛନ୍ତି ।
ବିଭାଗୀୟ ସୂଚନା ଅନୁଯାୟୀ, ଜିଲ୍ଲାରେ ଏଥର ୯୫ ହଜାର ୨୦୦ ହେକ୍ଟର ଜମିରେ ଧାନଚାଷ ହୋଇଛି । ୩୭ ଲକ୍ଷ ୩୧ ହଜାର ୮୪୦ କୁଇଣ୍ଟାଲ ଉତ୍ପାଦନ ହୋଇଛି । ହେକ୍ଟର ପିଛା ଅମଳ ହୋଇଛି ହାରାହାରି ୩୯.୨ କୁଇଣ୍ଟାଲ୍ । ଅଥଚ ଚାଷୀ ନେତା ବୃନ୍ଦା କହିଛନ୍ତି, ବିଭାଗୀୟ ଆକଳନଠାରୁ ଏଥର ଢେର୍ଗୁଣ ଅଧିକ ଅମଳ ହୋଇଛି । ଏସବୁ କାରଣରୁ ଛତିଶଗଡ଼କୁ ଗଳାବାଟ ଦେଇ ଧାନ ଚାଲାଣ ହେଉଛି । ଏ ସମ୍ପର୍କରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି, ସୀମାରେ କରାଯାଇଥିବା ଫାଟକରେ ଯାଞ୍ଚ୍ କଡାକଡ଼ି କରାଯାଉଛି । ଗଳାବାଟ ଦେଇ ଧାନ ଚାଲାଣ ହେଉଥିଲେ ତାହା ଉପରେ ନଜର ରଖାଯିବ । ଅନ୍ୟପକ୍ଷରେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ ମଲ୍ଲିକ କହିଛନ୍ତି, ଛତିଶଗଡ଼କୁ ଧାନ ଯିବାରେ ସମସ୍ୟା ନାହିଁ । ବେପାରୀ ଓ ଦଲାଲଙ୍କ ଉପରେ କିନ୍ତୁ ନଜର ରଖାଯିବ ।