କଟକ,୨୮/୧୧: ରାଜ୍ୟରେ ପ୍ରାଣୀଧନ ଗଣନା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ କଟକ, ଖୋର୍ଦ୍ଧା, ସୋନପୁର ଆଦି କେତେକ ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଗଣନା ଆରମ୍ଭ ହୋଇଛି । ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି ପ୍ରାଣୀଧନ ଗଣନା କାର୍ଯ୍ୟ ପାଇଁ ପ୍ରାଣୀ ସମ୍ପଦ ବିଭାଗକୁ ଏବେ ଚିନ୍ତା ଘାରିଛି । କାରଣ ଗାଁଠୁ ସହର ଯାଏ ଘରକୁ ଘର ବୁଲି ଏହି ସର୍ଭେ କାର୍ଯ୍ୟ ପାଇଁ ପ୍ରାଣୀ ସମ୍ପଦ ବିଭାଗରେ ବ୍ଲକ୍ସ୍ତରରେ କର୍ମଚାରୀଙ୍କ ଘୋର ଅଭାବ ପଡ଼ିଛି । ବ୍ଲକ୍ ସ୍ତରରେ ଥିବା ପ୍ରାଣୀ ଚିକିତ୍ସାଳୟ (ଭେଟେରିନାରୀ ହସ୍ପିଟାଲ୍)ରେ ଡାକ୍ତର ଅଭାବ ସାଙ୍ଗକୁ ପଞ୍ଚାୟତ ସ୍ତରରେ ଥିବା ଏଲ୍ଆଇ ସେଣ୍ଟର୍ରେ ଲାଇଭ୍ଷ୍ଟକ୍ ଇନ୍ସପେକ୍ଟର (ଏଲ୍ଆଇ) ମରୁଡ଼ି ପଡ଼ିଛି ।
ପ୍ରାଣୀଧନ ଗଣନା (ସର୍ଭେ) କାର୍ଯ୍ୟ ଏଲ୍ଆଇଙ୍କ ଉପରେ ଗୁରୁ ଦାୟିତ୍ୱ ରହିଥିଲେ ରାଜ୍ୟରେ ସମ୍ପୃକ୍ତ କର୍ମଚାରୀଙ୍କର ଘୋର ସଂକଟ ଥିବାରୁ ଅଧିକାରୀଙ୍କ ଚିନ୍ତା ବଢ଼ିଛି । ଏପରିସ୍ଥଳେ ସର୍ଭେ କାର୍ଯ୍ୟ ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ବ୍ଲକ୍ ଓ ପୌରାଞ୍ଚଳରେ ଠିକାରେ ନିୟୋଜିତ ଥିବା ପ୍ରାଣୀ ମିତ୍ର ଓ ଗୋମିତ୍ରଙ୍କ ଦ୍ୱାରା ପ୍ରାଣୀଧନ ଗଣନା ଆରମ୍ଭ କରାଯାଇଛି । ପ୍ରାଣୀଧନ ଗଣନା ଜାତୀୟ କାର୍ଯ୍ୟକ୍ରମ । ଗାଈ, ବଳଦ, ମଇଁଷି, ଷଣ୍ଢ, ଛେଳି, ମେଣ୍ଢା, ଘୁଷୁରି, କୁକୁର, ବିଲେଇ, କୁକୁଡ଼ା, ବତକ ଆଦି ବିଭିନ୍ନ ଗୃହପାଳିତ ତଥା ପ୍ରାଣୀଧନ ସର୍ଭେ ପ୍ରତି ୫ ବର୍ଷରେ ଥରେ ହୋଇଥାଏ ।
ରାଜ୍ୟସ୍ତରରେ ହେଉଥିବା ପ୍ରାଣୀ ସମ୍ପଦର ଗଣନା ଅନୁସାରେ ସରକାର ତଥା ପାଣୀ ସମ୍ପଦର ସୁରକ୍ଷା, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ପାଇଁ ବିଭିନ୍ନ ଯୋଜନାଠାରୁ ଆରମ୍ଭ କରି ନୀତିନିୟମ ପ୍ରଣୟନ କରିଥାନ୍ତି । ସେ ଦୃଷ୍ଟିରୁ ବିଭାଗ ପାଇଁ ପ୍ରାଣୀଧନ ସର୍ଭେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଏହି କାର୍ଯ୍ୟ ପାଇଁ ପ୍ରାଣୀ ସମ୍ପଦ ବିଭାଗରେ ମାନବ ସମ୍ବଳର ଅଭାବ ପଡ଼ିଛି । ରାଜ୍ୟରେ ୫୧୬ଟି ପ୍ରାଣୀ ଚିକିତ୍ସାଳୟରେ ମଞ୍ଜୁରୀପ୍ରାପ୍ତ ୧୯୧୦ ପ୍ରାଣୀ ଚିକିତ୍ସକ ପଦବି ଥିବାବେଳେ ୬୦୦ରୁ ଅଧିକ ପଦବି ଖାଲି ପଡ଼ିଛି । ସେହିପରି ରାଜ୍ୟରେ ୩ ହଜାର ୨୩୯ଟି ଏଲ୍ଆଇ ସେଣ୍ଟରରୁ ଅଧା ପଦବି ଖାଲି ପଡ଼ିଛି । ଆବଶ୍ୟକ ସଂଖ୍ୟକ ଏଲ୍ଆଇ ନଥିବାରୁ ସର୍ଭେ କାର୍ଯ୍ୟ ବାଟବଣା ହେବ ବୋଲି ବିଭାଗୀୟ କର୍ମଚାରୀମାନେ ଆକଳନ କରିଛନ୍ତି । ଏପରିସ୍ଥଳେ ଘରକୁ ଘର ବୁଲି ଅନ୍ଲାଇନ୍ ପ୍ରକ୍ରିୟାରେ ହେଉଥିବା ସର୍ଭେ କାର୍ଯ୍ୟ ପାଇଁ ବିଭାଗୀୟ ସ୍ତରରେ ଗୋ ମିତ୍ର ଓ ପ୍ରାଣୀ ମିତ୍ରମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଉକ୍ତ କାର୍ଯ୍ୟକୁ ସରକାରୀ ଚାକିରିରେ ଥିବା ଏଲ୍ଆଇମାନେ ସର୍ଭେ କରିବାର ନିୟମ ରହିଛି । ଏହି କାର୍ଯ୍ୟ ଠିକ୍ ଭାବେ ହେଉଛି କି ନାହିଁ ତାହାକୁ ବ୍ଲକ୍ ସ୍ତରରେ ତଦାରଖ କରିବା ଦାୟିତ୍ୱ ପ୍ରାଣୀ ଚିକିତ୍ସା ଅଧିକାରୀମାନଙ୍କ ଉପରେ ନ୍ୟସ୍ତ ରହିଛି । ମାତ୍ର ପ୍ରାଣୀ ଚିକିତ୍ସକଙ୍କଠାରୁ ଆରମ୍ଭ କରି ଏଲ୍ଆଇଙ୍କ ଅଭାବ ଥିବାରୁ ସଠିକ୍ ପ୍ରାଣୀଧନ ଗଣନା ହେବା ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି ।
୨୦୧୯ରେ ହୋଇଥିବା ଏହି ଗଣନା କାର୍ଯ୍ୟ ତୁଳନାରେ ୨୦୨୪ରେ ହେଉଥିବା ସର୍ଭେରେ ଅଧିକ ସୂଚନା ଓ ତଥ୍ୟ ସଂଗ୍ରହ ପାଇଁ ବ୍ୟବସ୍ଥା ରହିଛି । ଏଥିରେ ପାଖାପାଖି ୪୦ରୁ ୫୦ଟି ସ୍ତମ୍ଭ ବା କଲମ୍ ପୂରଣ ପାଇଁ ବ୍ୟବସ୍ଥା ରହିଛି । ସର୍ଭେରେ ନିୟୋଜିତ କର୍ମଚାରୀମାନଙ୍କ ମୋବାଇଲ୍ରେ ସ୍ୱତନ୍ତ୍ର ଭାବେ ଆପ୍ ଡାଉନ୍ଲୋଡ୍ କରାଯାଇଛି । କଟକ ଜିଲ୍ଲାରେ ଏବେ ସର୍ଭେ କାର୍ଯ୍ୟ ମହାନଗର ନିଗମର ୫୦ ଓ ୫୨ ନଂ ୱାର୍ଡରୁ ଆରମ୍ଭ ହୋଇଥିବା ସୂଚନା ମିଳିଛି । ମାତ୍ର ଘରକୁ ଘର ବୁଲି ପ୍ରାଣୀଧନ ଗଣନା କରିବାରେ ବହୁ ବିଭ୍ରାଟ ହେଉଥିବା କିଛି ଗୋପାଳକ ଅଭିଯୋଗ କରିଛନ୍ତି । କଟକ ଜିଲ୍ଲାରେ ୨୦୧୯ରେ ହୋଇଥିବା ଗଣନାରେ ୮ ଲକ୍ଷ ୩୯ ହଜାର ୬୬୦ ପ୍ରାଣୀଧନ ରହିଥିଲେ । ଏଥିରେ ସର୍ବାଧିକ ପ୍ରାୟ ୫ ଲକ୍ଷ ୫୦ ହଜାର ଗାଈ ରହିଥିବା ବେଳେ ଛେଳି ମେଣ୍ଢା ମିଶି ୨ ଲକ୍ଷ ୯୦ ହଜାର ଥିଲେ । ସେହିପରି ଘୁଷୁରି ୯୧୮ ଓ କୁକୁଡ଼ା ୨୭ ଲକ୍ଷ ଥିବା ଗଣତି ହୋଇଥିଲା । ଚଳିତ ସର୍ଭେ ଗୃହପାଳିତ ପଶୁଙ୍କଠାରୁ ଆରମ୍ଭ କରି କୁକୁଡ଼ା, ବତକ ଆଦି ସଂଖ୍ୟା ବଢ଼ିଛି ବୋଲି ପ୍ରାଣୀ ସମ୍ପଦ ବିଭାଗ ଆକଳନ କରିଛି ।