କୁଚିଣ୍ଡା,୨୮/୧୧: ଆନ୍ତଃ ଜିଲ୍ଲା ବାଇକ୍ ଚୋରି ରାକେଟର ପର୍ଦ୍ଦାଫାଶ କଲା କୁଚିଣ୍ଡା ପୋଲିସ । ୩ ବାଇକ ଲୁଟେରା ସହିତ ଜଣେ ବାଇକ କ୍ରେତାଙ୍କୁ ଗିରଫ କରି ୯ଟି ବାଇକ ଏବଂ ୫ଟି ସ୍ମାର୍ଟ ଫୋନ୍ ଜବତ କରିଛି ପୋଲିସ । ଲୁଟେରା ମାନଙ୍କ ମଧ୍ୟରେ ଜଣେ ଝାରସୁଗୁଡା ବଡମାଲ ଥାନା ଓ ଦୁଇଜଣ କୁଚିଣ୍ଡା ଥାନା ଅଞ୍ଚଳର ହୋଇଥିବା ବେଳେ କ୍ରେତା ଜଣକ ମଧ୍ୟ କୁଚିଣ୍ଡା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି । ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଚଳିତ ବର୍ଷ ଜୁଲାଇ ମାସରୁ ଏହି ରାକେଟ କୁଚିଣ୍ଡା ଅଞ୍ଚଳରେ ସକ୍ରିୟ ଥିବା ବେଳେ ବିଭିନ୍ନ ସ୍ଥାନରୁ ନୂଆ ନୂଆ ଦାମି ବାଇକ ଦେଖି ଚୋରି କରି କମ ଦାମ୍ରେ ବିକ୍ରି କରୁଥିଲେ । ଆବଶ୍ୟକ ସ୍ଥଳେ ସେମାନେ ବାଇକ ଗୁଡିକୁ କମ ଦାମରେ ବନ୍ଧକ ଦେଇ ଟଙ୍କା ଉପାର୍ଜନ କରୁଥିଲେ । ଏନେଇ ଥାନାରେ ଏକାଧିକ ଅଭିଯୋଗ ହେବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରି ରାକେଟ୍ର ପର୍ଦ୍ଦାଫାଶ କରି ୩ ଜଣ ଲୁଟେରା ଏବଂ ଜଣେ କ୍ରେତାଙ୍କୁ ଗିରଫ କଲା ପୋଲିସ । ଲୁଟେରା ମାନଙ୍କ ମଧ୍ୟରେ ଜଣେ ଝାରସୁଗୁଡା ବଡମାଲ ଥାନା ଓ ଦୁଇଜଣ କୁଚିଣ୍ଡା ଥାନା ଅଞ୍ଚଳର ହୋଇଥିବା ବେଳେ କ୍ରେତା ଜଣକ ମଧ୍ୟ କୁଚିଣ୍ଡା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ସେମାନଙ୍କ ଠାରୁ ୯ ଗୋଟି ବାଇକ ସହିତ ୫ ଗୋଟି ସ୍ମାର୍ଟ ମୋବାଇଲ ଫୋନ ଜବତ କରାଯାଇଥିଲା । ଏନେଇ କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।