ନୂଆଦିଲ୍ଲୀ,୦୬/୧୨: କଥାରେ ଅଛି 'ରାଗ ବ୍ରହ୍ମ ଚଣ୍ଡାଳ' । ରାଗିଥିବା ଲୋକ ଠିକ୍ ଭୁଲର ବିଚାର କରିପାରିନଥାନ୍ତି । ସେହି ସମୟରେ କାହାକୁ ବା କଣ କହି ଦିଅନ୍ତି ତାହା ଜାଣିପାରନ୍ତି ନାହିଁ। କଥା କଥାରେ ରାଗିଯିବା ଅନେକ ସମସ୍ୟାର କାରଣ ହୋଇଥାଏ । କ୍ରୋଧ ଯେ କେବଳ ମାନସିକ ଶାନ୍ତି ଖରାପ କରେ ତାହା ନୁହେଁ ସମ୍ପର୍କ ମଧ୍ୟ ବିଗାଡିଥାଏ । ରାଗିବା ଅନେକ ରୋଗର କାରଣ ମଧ୍ୟ ହୋଇଥାଏ । ତେବେ ଆପଣ ଟିକେ ଟିକେ କଥାରେ ଚିଡି ଯାଉଛନ୍ତି କି ? ଯଦି ଆପଣଙ୍କ ଉତ୍ତର ହଁ ତେବେ ସତର୍କ ରୁହନ୍ତୁ । ରାଗକୁ ନିୟନ୍ତ୍ରଣ କରନ୍ତୁ । ରାଗ ରୋକିବାକୁ କଣ ଉପାୟ ଆପଣେଇବେ ଜାଣନ୍ତୁ ଏହି ରିପୋର୍ଟରେ ।
ସାମାନ୍ୟ ରାଗ ସ୍ବାଭାବିକ ମାତ୍ର ପ୍ରତି କଥାରେ ରାଗିବା ଛୋଟ ଛୋଟ କଥାରେ କ୍ରୋଧିତ ହେବା ବିଭିନ୍ନ ସମସ୍ୟାରେ ପକାଇଥାଏ । ଅତ୍ୟଧିକ ରାଗିବା ମାନସିକ ଓ ଶାରୀରିକ ଭାବେ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଅତ୍ୟଧିକ କ୍ରୋଧ ହୃଦଘାତ, ବ୍ରେମ ହାମରେଜ ଭଳି ଗମ୍ଭୀର ସମସ୍ୟା ଆଣିଥାଏ । ତେଣୁ କ୍ରୋଧକୁ ନିୟନ୍ତ୍ରଣକୁ ଆଣିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।
କ୍ରୋଧକୁ ନିୟନ୍ତ୍ରଣକୁ ଆଣିବାର ଉପାୟ:
କହିବା ଆଗରୁ ଭାବନ୍ତୁ- କଥାରେ ଅଛି ପାଟିରୁ ଯାହା ଥରେ ବାହାରେ ତାହା ଆଉ ଫେରେ ନାହିଁ । ଅନେକ ସମୟରେ ରାଗରେ କାହାକୁ କଣ କେତେବେଳ କହିଦେଇଥାନ୍ତି ତାହା ଜଣାନଥାଏ । ଏହା ଦ୍ବାରା ସମ୍ପର୍କ ଖରାପ ହୁଏ । ତେଣୁ କହିବା ଆଗରୁ ଭାବିବାକୁ ହେବ ।
ମନ କଥା କୁହନ୍ତୁ- ଆପଣଙ୍କ ରାଗ ଯଦି ଶାନ୍ତ ହୋଇଯାଉଛି ତେବେ ମନ କଥା ଚିନ୍ତାଧାର ପ୍ରକାଶ କରନ୍ତୁ । ହାଲୁକା ଅନୁଭବ କରିବେ । ଚିନ୍ତାଧାର ସ୍ପଷ୍ଟ ଥିଲେ ତୁମ କଥା କାହାକୁ କଷ୍ଟ ଦେବ ନାହିଁ । ରାଗ ବି ନିୟନ୍ତ୍ରଣକୁ ଆସିବ ।
ବାୟ୍ୟାମ କରନ୍ତୁ- କ୍ରୋଧକୁ କମ କରିବା ଏବଂ ଚାପରୁ ଦୂରେଇ ରହିବା ପାଇଁ ଧ୍ୟାନ,ଯୋଗ ଓ ପ୍ରାଣାୟମ କରନ୍ତୁ । ସାଙ୍ଗ ଓ ପରିବାର ସହିତ ସମୟ ବିତାନ୍ତୁ ଏହା ମାନସିକ ଶାନ୍ତି ଦେବ । ଯଦି କ୍ରୋଧ ନିୟନ୍ତ୍ରଣକୁ ନ ଆସେ ତେବେ ଯୋଗ ଏକ ଉତ୍ତମ ଉପାୟ ଯାହା ଏହି ସମସ୍ୟାରୁ ମୁକୁଳିବାକୁ ବାଟ କଢାଇବ ।
ଭ୍ରମଣ କରନ୍ତୁ- କୌଣସି ସ୍ଥାନକୁ ବୁଲିଯିବା କେବଳ ପିଲାମାନଙ୍କ ପାଇଁ ନୁହେଁ । ନିଜକୁ ବ୍ରେକ ଦିଅନ୍ତୁ । କୌଣସି ସ୍ଥାନକୁ ବୁଲି ଯିବାକୁ ପ୍ଲାନ କରନ୍ତୁ ଯାହା ଆପଣଙ୍କୁ ମାନସିକ ଶାନ୍ତି ଦେବ ।
ସମ୍ଭାବ୍ୟ ସମାଧାନ ବାଛନ୍ତୁ- ଯଦି ଆପଣଙ୍କୁ କିଛି ଜିନିଷ ଚିନ୍ତିତ କରିଛି ତାହା ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ । ଏହା ପରିବର୍ତ୍ତେ ସମାଧାନ ପାଇଁ କାର୍ଯ୍ୟ କରନ୍ତୁ । ସର୍ବଦା ମନେ ରଖନ୍ତୁ କ୍ରୋଧ କେବେବି କୌଣସି ସମସ୍ୟାର ସମାଧାନ ନୁହେଁ ।
କ୍ରୋଧରେ ଏକ ହରମୋନର ଭୂମିକା ରହିଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ କ୍ରୋଧିତ ହେଲେ ଆଡ୍ରେନାଲାଇନ ପରି ଷ୍ଟ୍ରେସ ହରମୋନ ଶୀଘ୍ର ରିଲିଜ ହୁଏ । ଏହି ହରମୋନ ରକ୍ତ ବାହିକାକୁ ସଂକୁଚିତ କରେ । ଫଳରେ ଶ୍ବାସକ୍ରିୟା କ୍ଷୀପ୍ର ହୋଇଥାଏ ଏବଂ ରକ୍ତଚାପ ବଢିଥାଏ । ଯାହା ହାର୍ଟ ଉପରେ ପ୍ରଭାବ ପକାଏ । ଅତ୍ୟଧିକ ରାଗିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ତେଣୁ ରାଗ ନିୟନ୍ତ୍ରଣ କରି ଏକ ସୁସ୍ଥ ସୁନ୍ଦର ଜୀବନ ବଞ୍ଚନ୍ତୁ ।