କଳାହାଣ୍ଡି,୩୧।୫ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳାମପଦର ପଞ୍ଚାୟତ ଅଧୀନ ଉପର ଆମପଦର ଗ୍ରାମର ଏକ ବିରାଟ ତେନ୍ତୁଳି ଗଛ ଉପୁଡି ପଡିବାରୁ ୪ ଟି ଘର ଭାଙ୍ଗିଯାଇଛି। ତେବେ ଏହି ସମୟରେ ଘରେ କେହି ନ ଥିବାରୁ ପରିବାର ଲୋକ ବର୍ତ୍ତି ଯାଇଥିଲେ।
ବର୍ଷା ପ୍ରଭାବରୁ ଗଛଟି ମୂଳରୁ ଉପୁଡି ନିକଟରେ ଥିବା ୪ଟି ଘର ଉପରେ ପଡିଥିଲା।।ଗ୍ରାମର ନବାସିଂ ମାଝୀ ଏବଂ ପାର୍ଜା ମାଝୀଙ୍କ ଘରର ବ୍ୟାପକ କ୍ଷତି ହୋଇଥିବା ବେଳେ କଡୁ ମାଝୀ ଏବଂ ଲାଣ୍ଡା ମାଝୀଙ୍କ ଘରର ଆଂଶିକ କ୍ଷତି ହୋଇଥିବା ସୂଚନା ଦେଇଛନ୍ତି ନାଏବ ସରପଞ୍ଚ ତିଲକ ଦେଇ ମାଝୀ। ସୌଭାଗ୍ୟ ବଶତଃ ଏହି ସମୟରେ କେହି ଘର ଭିତରେ ନଥିଲେ।ସୂଚନା ପାଇ ସରପଞ୍ଚ ପ୍ରକାଶ ମାଝୀ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସାକ୍ଷାତ କରିଥିଲେ। ଏଥିସହ ଥୁଆମୂଳ ରାମପୁର ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଏବଂ ରାଜସ୍ବ ନିରୀକ୍ଷକଙ୍କୁ ଜଣାଇବା ସହିତ କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ ସହାୟତା ଯୋଗାଇବା ପାଇଁ ଦାବି କରିଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ ହଟାଇଥିଲେ।