ମଧ୍ୟ-ଜୁରାସିକ୍ କାଳର ଉଡ଼ନ୍ତା ସରୀସୃପ
ନାଚୁରାଲ ହିଷ୍ଟ୍ରୀ ମ୍ୟୁଜିୟମ୍, ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲ, ୟୁନିଭର୍ସିଟି ଅଫ୍ ଲିସେଷ୍ଟର ଓ ୟୁନିଭର୍ସିଟି ଅଫ୍ ଲିଭର୍ପୁଲ୍ର ବୈଜ୍ଞାନିକମାନେ ସ୍କଟ୍ଲାଣ୍ଡର ଏକ ଦ୍ୱୀପରେ ଉଡ଼ନ୍ତା ସରୀସୃପର ଏକ ଅନନ୍ୟ ପ୍ରଜାତିର ଜୀବାଶ୍ମ ଠାବ କଲେ, ଯାହାର ନାଁ ଟେରୋସର୍ । ସିଓପ୍ଟେରା ନାମକ ଏହି ଟେରୋସର୍ ପ୍ରଜାତି ମଧ୍ୟ- ଜୁରାସିକ୍ କାଳରେ ହାରାହାରି ୧୬୮-୧୬୬ ନିୟୁତ ବର୍ଷ ପୂର୍ବେ ବିଚରଣ କରୁଥିଲା । ଇସ୍ଲେ ଅଫ୍ ସ୍କାଇ ନାମକ ଦ୍ୱୀପରେ ଏହାର ଡେଣା, କାନ୍ଧ, ଗୋଡ଼ ଓ ପଛହାଡ଼ ଠାବ କରାଯାଇଥିଲା
ନିଅଣ୍ଡରଥାଲ ମାନବ ହାଡ଼ରୁ ୫୦ ହଜାର ପୁରୁଣା ଭୂତାଣୁ
୫୦ ହଜାର ବର୍ଷ ତଳେ ପ୍ରାଚୀନ ମଣିଷ ଯେଉଁ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଥିଲା, ତାହା ଆଜି ବି ଆଧୁନିକ ମଣିଷକୁ ସଂକ୍ରମିତ କରୁଛି । ବ୍ରାଜିଲର ସାଓ ପାଉଲୋ ସ୍ଥିତ ଫେଡେରାଲ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ଅଧ୍ୟୟନ କରିଥିଲେ । ନିଅଣ୍ଡରଥାଲ ମାନବର ଜୀବାଶ୍ମ ଅଧ୍ୟୟନରୁ ସେମାନେ ଏହି ଭୂତାଣୁ ଆବିଷ୍କାର କରିଥିଲେ । ଅଧ୍ୟୟନ ଦର୍ଶାଇଲା, ନିଅଣ୍ଡରଥାଲ ମାନବ ବୋଧହୁଏ ଆଧୁନିକ ମାନବଠାରେ ଥିବା ୩ ସାଧାରଣ ଭୂତାଣୁ ଆଡିନୋଭାଇରସ୍, ହରପିସ୍ଭାଇରସ୍ ଓ ପାପିଲୋମାଭାଇରସ୍ ଦ୍ୱାରା ସଂକ୍ରମିତ ହେଉଥିଲା ।
ଗୁଜରାଟରେ ବାସୁକୀ ନାଗର ଅବଶେଷ
ମଧ୍ୟ-ଜୁରାସିକ୍ କାଳର ଉଡ଼ନ୍ତା ସରୀସୃପ ଆଇଆଇଟି ରୂର୍କିର ବୈଜ୍ଞାନିକମାନେ ଗୁଜରାଟରେ ବିଶ୍ୱର ସର୍ବବୃହତ ସାପର ଅବଶେଷ ଚିହ୍ନଟ କଲେ । ଏହାକୁ ବାସୁକୀ ନାଗ ବୋଲି କହିଲେ । ବୈଜ୍ଞାନିକ ନାମ ‘ବାସୁକୀ ଇଣ୍ଡିକସ୍’ । ଗୁଜରାଟର ପନନ୍ଧ୍ରୋ ଲିଗ୍ନାଇଟ୍ ଖଣିରେ ସାପ ମେରୁଦଣ୍ଡର ମୋଟ୍ ୨୭ ଖଣ୍ଡ ଜୀବାଶ୍ମୀକୃତ ଅବଶେଷ ମିଳିଥିଲା, ଯାହା ୪.୭୦ କୋଟି ବର୍ଷ ତଳର ଇଓସିନ୍ ଯୁଗ (୫.୬ କୋଟିରୁ ୩.୩୯ କୋଟି ବର୍ଷ ତଳର)ର ବୋଲି ବୈଜ୍ଞାନିକଙ୍କ ଅନୁମାନ । ସର୍ବବୃହତ ସାପ ଭାବେ ବର୍ତ୍ତମାନ ରେକର୍ଡରେ ଥିବା ୬.୫ ଫୁଟ (୨ ମିଟର) ଲମ୍ବର ଟାଇଟାନୋବୋଆ ସେରେଜୋନେନ୍ସିସ୍ଠାରୁ ଏହା ଖୁବ୍ ବଡ଼ ଥିଲା ।
ପୃଥିବୀର ଶୁଷ୍କତମ ମରୁଭୂମି ତଳେ ବିଶାଳ ପରିସଂସ୍ଥାନ
ପୃଥିବୀର ସବୁଠୁ ଶୁଷ୍କ ମରୁଭୂମି ଆଟାକାମା ତଳେ ବିଶାଳ ପରିସଂସ୍ଥାନ ଆବିଷ୍କାର ଏ ବର୍ଷର ଅନ୍ୟତମ ସବୁଠୁ ଚମତ୍କାର ବିଷୟ ଥିଲା । ମରୁ ତଳେ ଲୁକ୍କାୟିତ ଜୀବଜଗତରେ ସୂକ୍ଷ୍ମଜୀବ ବିବିଧତାର ଏହା ଏକ ବିଶାଳ ଗୁପ୍ତ ଭଣ୍ଡାର । ଯାହା ପୃଥିବୀର ପ୍ରାରମ୍ଭିକ ସମୟର ରହସ୍ୟ ଉନ୍ମୋଚନ କରିବ ବୋଲି ସେମାନେ ଆଶାବାଦୀ । ସୂକ୍ଷ୍ମଜୀବଙ୍କର ଏଭଳି ଏକ ପରିବେଶ ଏଠାରେ ତିଷ୍ଠିବା ଜଟିଳ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ଆଟାକାମାର ୟୁନ୍ଗେ କ୍ଷେତ୍ରରେ ମରୁଭୂମି ମାଟିର ୧୩.୭୮ ଫୁଟ (୪.୨ ମିଟର) ଗଭୀରକୁ ଖନନ କରିବା ପରେ ଏହି ଗୁପ୍ତ ପରିସଂସ୍ଥାନ ମିଳିଥିଲା । ଏଠାରେ ବିଭିନ୍ନ ପ୍ରକାର ସୂକ୍ଷ୍ମଜୀବ ସମୂହ ଭିନ୍ନ ଭିନ୍ନ ଗଭୀରତା ଓ ମୃତ୍ତିକା ପ୍ରକାରରେ ଦେଖାଯାଇଥିଲେ ।
ପ୍ରଶାନ୍ତ ମହାସାଗରରେ ସର୍ବବୃହତ ପ୍ରବାଳ
ବୈଜ୍ଞାନିକମାନେ ଦକ୍ଷିଣପଶ୍ଚିମ ପ୍ରଶାନ୍ତ ମହାସାଗରରେ ବିଶ୍ୱର ସର୍ବବୃହତ ପ୍ରବାଳ ଆବିଷ୍କାର କଲେ । ଏହା ୧୦୦ ଫୁଟରୁ ଅଧିକ ଲମ୍ବା ଏବଂ ଅତିକମ୍ରେ ୩୦୦ ବର୍ଷ ପୁରୁଣା । ଏତେ ବିଶାଳ ଯେ ମହାକାଶରୁ ମଧ୍ୟ ଦୃଶ୍ୟମାନ ହେଉଛି । ସୋଲୋମନ୍ ଦ୍ୱୀପପୁଞ୍ଜରେ ମହାସାଗର ଉପରେ ଅଧ୍ୟୟନ ଲାଗି ଗତ ଅକ୍ଟୋବରରେ ନ୍ୟାସନାଲ ଜିଓଗ୍ରାଫିକ୍ ପ୍ରିଷ୍ଟାଇନ୍ ସିଜ୍ ପ୍ରୋଗ୍ରାମ୍ ଦ୍ୱାରା ଏକ ବୈଜ୍ଞାନିକ ଅଭିଯାନ ଆରମ୍ଭ ହୋଇଥିଲା । ଅଭିଯାନ ସମୟରେ ଏହି ବିଶାଳ ପ୍ରବାଳ ଆବିଷ୍କୃତ ହୋଇଥିଲା ।
ଆଗ ଅଣ୍ଡା, ତା’ପରେ କୁକୁଡ଼ା
ବର୍ଷ ଶେଷରେ ବୈଜ୍ଞାନିକମାନେ କୁକୁଡ଼ା ଓ ଅଣ୍ଡାର ଉତ୍ପତ୍ତିକୁ ନେଇ ରହିଆସିଥିବା ବହୁପ୍ରାଚୀନ ପ୍ରଶ୍ନର ଉତ୍ତର ପାଇଲେ । ସେମାନଙ୍କ ଅନୁସାରେ, ଭ୍ରୂଣ ଭଳି ସଂରଚନାର ଗଠନ ବୋଧହୁଏ ଜନ୍ତୁଙ୍କ ଉତ୍ପତ୍ତି ପୂର୍ବରୁ ହୋଇଥିଲା । ଏକକୋଷୀ ଜୀବର ଅଧ୍ୟୟନରୁ ବୈଜ୍ଞାନିକମାନେ ଏ ବିଷୟରେ ଜାଣିବାକୁ ପାଇଲେ । ଜୀବର ନାଁ ‘କ୍ରୋମୋସ୍ଫେରା ପରକିନ୍ସି’ । ଏହା ଏକ ଇଚ୍ଥିଓସ୍ପୋରିନ୍ ସୂକ୍ଷ୍ମଜୀବ । ୧୦୦ କୋଟିରୁ ଅଧିକ ବର୍ଷ ଧରି ଏହାର ଅସ୍ତିତ୍ୱ ଥିଲା । ଜେନେଭା ବିଶ୍ୱବିଦ୍ୟାଳୟର ବାୟୋକେମିଷ୍ଟ୍ ମେରାଇନ୍ ଓଲିଭେଟାଙ୍କ ନେତୃତ୍ୱାଧୀନ ଏକ ବୈଜ୍ଞାନିକ ଟିମ୍ ଲକ୍ଷ୍ୟ କଲେ, କ୍ରୋମୋସ୍ଫେରା ପରକିନ୍ସିର ପ୍ରଜନନ ପଶୁ ଭ୍ରୂଣ ବିକାଶ ସହ ସମାନ ।
୪ କୋଟି ବର୍ଷ ତଳର ନଦୀ ପ୍ରଣାଳୀ
ଆଣ୍ଟାର୍କଟିକାର ବରଫ ଚାଦର ତଳେ ପ୍ରାୟ ୪ କୋଟି ବର୍ଷ ତଳର ଏକ ପ୍ରାଚୀନ ନଦୀ ପ୍ରଣାଳୀ ଠାବ କରାଯାଇଥିଲା । ଜର୍ମାନୀର ପୋଲାର ଆଣ୍ଡ ମେରାଇନ୍ ରିସର୍ଚ୍ଚରେ ମୁତୟନ ଅଲଫ୍ରେଡ୍ ୱେଜେନର ଇନ୍ଷ୍ଟିଚ୍ୟୁଟ୍ ହେମ୍ହୋଲ୍ଟଜ ସେଣ୍ଟର୍ର ଭୂବୈଜ୍ଞାନିକ ଜୋହାନ କ୍ଲେଗ୍ସଙ୍କ ନେତୃତ୍ୱାଧୀନ ଏକ ବୈଜ୍ଞାନିକ ଟିମ୍ ଏହା ଆବିଷ୍କାର କରିଥିଲେ । ପ୍ରାୟ ୧ ହଜାର ମାଇଲ ବିସ୍ତୃତ ଏହି ବିଶାଳ ନଦୀ ମଧ୍ୟ-ବିଳମ୍ବିତ ଇଓସିନ ଯୁଗର । ଏହି ଅବଧି ୩.୪ରୁ ୪.୪ କୋଟି ବର୍ଷ ପୂର୍ବର ।